Latest Odisha News

BREAKING NEWS

ଆସନ୍ତାକାଲିଠାରୁ କମିବ ବର୍ଷାର ପରିମାଣ, ପୁଣି ୧୪ରୁ ପ୍ରବଳ ବର୍ଷା

ଭୁବନେଶ୍ୱର: ଶନିବାର ଓଡିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ, ମାଲକାନଗିରି ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ କଟକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହୋଇପାରେ।

ଭୁବନେଶ୍ୱରରେ ମଧ୍ୟ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲା ସମେତ ମାଲକାନଗିରି, କୋରାପୁଟ, ନବରଙ୍ଗପୁରର ଅନେକ ସ୍ଥାନରେ ରବିବାର ସକାଳ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି।

ପରବର୍ତ୍ତୀ ତିନି ଦିନ ମଧ୍ୟରେ ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ରାଜ୍ୟରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଆଜି ସୁନ୍ଦରଗଡ଼ ଓ ଝାରସୁଗୁଡା, ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ୱରରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ରବିବାରଠାରୁ ବର୍ଷାର ପରିମାଣ କମିବା ସହ ପୁଣି ୧୪ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅଗଷ୍ଟ ୧୫ ଓ ୧୬ ତାରିଖରେ ଉତ୍ତର ଓଡିଶାର କେତେକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରିଛି।

Comments are closed.