Latest Odisha News

BREAKING NEWS

ଆପ୍‌କୁ କିପରି ସମ୍ଭାଳିବେ ସିସୋଦିଆ ?

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଜାମିନରେ ଜେଲରୁ ମୁକୁଳିଛନ୍ତି ମନୀଷ ସିସୋଦିଆ । ଜେଲରୁ ମୁକୁଳିବା ସିସୋଦିଆଙ୍କ ପାଇଁ ଆଶ୍ୱସ୍ତିର ବିଷୟ । ବିନା ଅରବିନ୍ଦ କେଜରୀୱାଲରେ ଚାଲିଥିବା ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରକୁ ମଧ୍ୟ ମିଳିଛି ବଡ ଆଶ୍ୱସ୍ତି

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ପରେ ଆପ୍ ସରକାରରେ ନମ୍ବର ଟୁ ମନ୍ତ୍ରୀ ଥିଲେ ମନୀଷ ସିସୋଦିଆ । ଉପମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ସେ ହିଁ ସବୁ କଥା ବୁଝୁଥିଲେ । ସିସୋଦିଆ ଗିରଫ ହେଲା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମନ୍ତ୍ରୀ ଆତିଶୀଙ୍କୁ ସିସୋଦିଆଙ୍କ ଦାୟିତ୍ୱ ଦେଇଥିଲେ । ଏବେ କେଜରୀୱାଲ୍ ମଧ୍ୟ ଜେଲରେ ।

ମନୀଷ ସିସୋଦିଆ ଜେଲରୁ ମୁକୁଳିଛନ୍ତି ସତ, କିନ୍ତୁ ଏବେ ସବୁ କିଛି ବଦଳି ଯାଇଛି । ସିସୋଦିଆ ଏବେ କେବଳ ଦଳର ବିଧାୟକ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ବି ଜେଲରେ ଥିବାରୁ ସିସୋଦିଆଙ୍କ ପାଇଁ ଅନେକ ଚ୍ୟାଲେଂଜ ସୃଷ୍ଟି ହୋଇଛି । କେଜରୀୱାଲଙ୍କ ଅନୁପସ୍ଥିତିକୁ କିଛି ମାତ୍ରାରେ ପୂରଣ କରିବାରେ ସିସୋଦିଆ ସମର୍ଥ ହେବେ କି ବୋଲି ପ୍ରଶ୍ନ ଉଠିଛି ।

ଏବେ ମଧ୍ୟ ମନୀଷ ସିସୋଦିଆ ଦଳର ନମ୍ବର ଟୁ । କେଜରୀୱାଲଙ୍କ ସେ ଅତି ବିଶ୍ୱସ୍ତ ସହଯୋଗୀ । କିନ୍ତୁ ନିଜେ ସେ କେଜରୀୱାଲଙ୍କ ପରି ପ୍ରଭାବଶାଳି ନୁହନ୍ତି । ସହଯୋଗୀଙ୍କୁ ଲୋକେ ନେତା ଭାବେ ଗ୍ରହଣ କରନ୍ତି ନାହିଁ । ଏଣେ ଆଉ ୬ ମାସ ପରେ ବିଧାନସଭା ନିର୍ବାଚନ । ଯଦି ଅରବିନ୍ଦ ଜେଲରୁ ନ ବାହାରିବେ , ତାହା ହେଲେ ସିସୋଦିଆଙ୍କ ଉପରେ ରହିବ ବଡ ଦାୟିତ୍ୱ । କ୍ଷମତା ବଜାୟ ରଖିବା ଆମ୍ ଆଦମୀ ପାର୍ଟି ପାଇଁ ଏବେ ସବୁଠାରୁ ବଡ ଚ୍ୟାଲେଞ୍ଜ ହୋଇଛି । ଆଉ କେଜରୀୱାଲଙ୍କ ବିନା ଦଳ ପାଇଁ ସ୍ଥିତି ଜଟିଳ ହେବା ଆଶଙ୍କା ରହିଛି ।

ଜେଲ୍ ଯିବା ଆଗରୁ ସିସୋଦିଆ ଥିଲେ ଦିଲ୍ଲୀର ଡେପୁଟି ସିଏମ୍ । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ କେବଳ ମୁଖ୍ୟମନ୍ତ୍ରୀ ହିଁ କ୍ୟାବିନେଟରେ ଅଦଳବଦଳ ବା ସଂପ୍ରସାରଣ ପାଇଁ ଉପରାଜ୍ୟପାଳଙ୍କୁ ସୁପାରିଶ କରିପାରିବେ । ମୁଖ୍ୟମନ୍ତ୍ରୀ ଏବେ ଜେଲରେ ଥିବାରୁ ଆପ୍ ସରକାରରେ ଅଦଳବଦଳ ବା ସଂପ୍ରସାରଣ ସମ୍ଭବ ଲାଗୁ ନାହିଁ । ଯେତେବେଳେ କେଜରୀୱାଲ ଅନ୍ତରୀଣ ଜାମିନରେ ଜେଲରୁ ଆସିଥିଲେ, ସେତେବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯିବାକୁ ଅନୁମତି ନଥିଲା । ଅତି ଜରୁରୀ ଫାଇଲରେ ହିଁ ଦସ୍ତଖତ କରୁଥିଲେ କେଜରୀୱାଲ୍ । ଏ ଦୃଷ୍ଟିରୁ କେଜରାୱାଲ ଆପ୍ ସରକାରରେ ମନୀଷ ସିସୋଦିଆଙ୍କୁ ମନ୍ତ୍ରୀ ଭାବେ ପୁଣି ନେବା ପାଇଁ ସୁପାରିଶ କରିବା ସ୍ଥିତିରେ ନାହାନ୍ତି ।

ଏଣେ କେଜରୀୱାଲଙ୍କ ଅନୁପସ୍ଥିତିରେ ଦଳରେ ପ୍ରାଧାନ୍ୟ ପାଇଁ ସଂଜୟ ସିଂହଙ୍କ ପରି ନେତାଙ୍କ ସହ ସିସୋଦିଆଙ୍କ ପ୍ରତିଯୋଗିତାକୁ ଏଡାଇ ଦିଆ ଯାଇନପାରେ । ସିସୋଦିଆଙ୍କ ପରେ ସଂଜୟ ସିଂହ ବି ଜେଲ୍ ଯାଇଥିଲେ । ଆଉ ଶୀଘ୍ର ଫେରିଆସିଥିଲେ । ସିସୋଦିଆ ଓ କେଜରୀୱାଲ ଜେଲରେ ଥିବା ବେଳେ ଦଳରେ ବେଶ୍ ସକ୍ରିୟ ହୋଇପଡିଥିଲେ ସଂଜୟ ସିଂହ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସଂଜୟ ହିଁ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଏବେ ସଂଜୟଙ୍କ ସହ ମନୀଷଙ୍କ ବର୍ଚସ୍ୱ ଲଢେଇ ହେବା ସମ୍ଭାବନା ନେଇ ରାଜନୀତିଜ୍ଞ ମହଲରେ ଚର୍ଚ୍ଚା ହେଉଛି ।

ଯଦି ଅରବିନ୍ଦ କେଜରୀୱାଲ ନିୟମିତ ଜାମିନ ପାଇ ଜେଲରୁ ନ ବାହାରନ୍ତି , ତାହା ହେଲେ ସିସୋଦିଆ ଓ ଆମ୍ ଆଦମୀ ପାର୍ଟି ପାଇଁ ଅନେକ ସମସ୍ୟା ଉପୁଜିବ ବୋଲି ରାଜନୀତି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

 

Comments are closed.