Latest Odisha News

ଓଡ଼ିଶାରେ ନବୀନ ବାବୁଙ୍କ ନେତୃତ୍ୱରେ ଏକ “କରପ୍‌ସନ୍ କ୍ଲବ” ଚାଲିଥିଲା: ବିଜେପି

ଭୁବନେଶ୍ୱର: ବିଜେଡି ସରକାର ସମୟରେ ଯେଉଁଭଳି ଖୁଲମଖୁଲା ଦୁର୍ନୀତି ଚାଲୁଥିଲା ତା’ର ପ୍ରମାଣ ଏବେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହେବା ପରେ ସାମ୍ନାକୁ ଆସୁଛି । ଆଗରୁ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ କିରାଣୀ ଓ ପିଅନଙ୍କ ଦୁର୍ନୀତିକୁ ଧରପଗଡ କରି ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିଲେ । ଏବେ କିନ୍ତୁ କିରାଣୀ, ପିଅନଙ୍କ ସହ ବିଭିନ୍ନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଉଚ୍ଚପଦସ୍ଥ ଅଫିସରମାନଙ୍କ ଉପରେ ଭିଜିଲାନ୍ସ ଚଢ଼ାଉ କରି ସେମାନଙ୍କ କଳାକାରନାମା ଉପରୁ ପରଦା ଉଠାଉଛି । ଏହି ସମସ୍ତ ଦୁର୍ନୀତିଖୋର ଅଧିକାରୀମାନେ ବିଜୁ ଜନତା ଦଳର ୨୪ବର୍ଷର ସରକାର ସମୟରେ ଦୁର୍ନୀତି କରିବାର ସୀମା ଲଘିଂଥିଲେ ବୋଲି ବିଜେଡିକୁ ଟାର୍ଗେଟ କରି କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ ।

ବିଜେପି ଆହୁରି ମଧ୍ୟ କହିଛି ଯେ, ଓଡ଼ିଶାରେ ନବୀନ ବାବୁଙ୍କ ନେତୃତ୍ୱରେ ଏକ “କରପ୍‌ସନ୍ କ୍ଲବ” ଚାଲିଥିଲା ।ଯେତେ ଅଫିସରମାନେ ଧରାପଡିଛନ୍ତି ଏ ସମସ୍ତେ ବିଜେଡି ସରକାର ସମୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଖୁବ୍ ନିକଟତର ଥିଲେ । ନବୀନ ବାବୁଙ୍କର ସରକାର ସମୟରେ କିଭଳି ଦୁର୍ନୀତିକୁ ନୀତି କରାଯାଇଥିଲା ଓ ଭ୍ରଷ୍ଟାଚାର ସୀମା ପାର କରିଥିଲା ଆଜି ତାହାର ପ୍ରମାଣ ଓଡ଼ିଶା ଲୋକଙ୍କ ସାମ୍ନାରେ । ୫-ଟି ଅଧିନରେ ଯେତେ ପ୍ରକଳ୍ପ ହୋଇଛି ସବୁଠି ଏଭଳି କୋଟି କୋଟି ଟଙ୍କା ଲୁଟ୍ କରାଯାଇଛି । ନବୀନ ବାବୁଙ୍କ ସରକାର ସମୟରେ ବିଜେଡି ମନ୍ତ୍ରୀ ଓ ଅସାଧୁ ଅଫିସରମାନେ ବିଭିନ୍ନ ସରକାରୀ ଅଧିକାରୀମାନଙ୍କ ଦ୍ୱାରା ବ୍ୟାପକ ଅର୍ଥ ଲୁଟ୍ କରୁଥିଲେ ଓ ନିଜର କମିଶନ ନେଇ ସେମାନଙ୍କୁ ସୁରକ୍ଷା ଦେଉଥିଲେ । ତେବେ ଆଗାମୀ ଦିନରେ ଆହୁରି ବଡ ବଡ ମାଛଙ୍କର ମୁଖା ଖୋଲିବ କହିଛନ୍ତି ବିଜେପି ।

Comments are closed.