Latest Odisha News

ମହିଳାଙ୍କୁ ମିଳିବ ଋତୁସ୍ରାବ ଜନିତ ଛୁଟି

ଭୁବନେଶ୍ବର: ଏଣିକି ମହିଳାଙ୍କୁ ମାସକୁ ଋତୁସ୍ରାବ ପାଇଁ ମିଳିବ ଗୋଟେ ଦିନ ଛୁଟି । ରାଜ୍ୟ ସରକାର ଖୁବ୍ ଶ୍ରୀଘ୍ର ଏନେଇ ଋତୁସ୍ରାବ ସ୍ବାସ୍ଥ୍ୟ ନୀତି ଆଣିବାକୁ ଯୋଜନା କରୁଛନ୍ତି । ଏହି ନୀତି ଅନୁଯାୟୀ ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଜନିତ କଷ୍ଟରୁ ଲାଘବ ପାଇଁ ଗୋଟେ ଦିନ ଛୁଟି ପ୍ରଦାନ କରାଯିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗରୁ ଏଥିପାଇଁ ଜମା ଛୁଟି ନଥିଲା କିନ୍ତୁ ଏବେ ଛୁଟି ମିଳିବ । ଏହା ସଂପୂର୍ଣ୍ଣ ରୂପେ ବିକଳ୍ପିକ, ଅର୍ଥାତ୍ ମହିଳାଙ୍କ ଉପରେ ନିର୍ଭର କରିବ । ଋତୁସ୍ରାବ ପୀଡା କଷ୍ଟ ଦୂର ପାଇଁ ଋତୁସ୍ରାବ ଦିନ କିମ୍ବା ଦ୍ବିତୀୟ ଦିନ, ଯେ କୌଣସି ଗୋଟିଏ ଦିନ ସେମାନେ ଛୁଟି ନେଇପାରିବେ । ତେବେ ପ୍ରଥମେ ଏହା କେବଳ ସରକାରୀ ମହିଳାଙ୍କ ପାଇଁ ହୋଇଥିବା ବେଳେ ଆଜି ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, କେବଳ ସରକାରୀ ନୁହେଁ ଘରୋଇ କ୍ଷେତ୍ରରେ ମହିଳାମାନେ ମଧ୍ୟ ଏହି ସୁଯୋଗ ପାଇବେ ।

ତେବେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରଥମ ୧୦୦ ଦିନିଆ କାର୍ଯ୍ୟର ଏକ ଅଂଶବିଶେଷ ଭାବେ ଏପରି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ନିଆଯାଇଛି । ଖାଲି ସେତିକି ନୁହେଁ ବାଲ୍ୟ ବିବାହକୁ ରୋକବା ପାଇଁ ମଧ୍ୟ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଏଥିପାଇଁ ୨୦୨୫-୩୦ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ଏଥିରେ ପ୍ରତି ଜିଲ୍ଲାର ସିଡିପିଓମାନଙ୍କୁ ବାଲ୍ୟ ବିବାହ ନିବାରଣର ଅଧିକାରୀ ବା ସିଏମପିଓ ଭାବେ ନିଯୁକ୍ତ କରାଯାଏ । ହେଲେ ଏହି ନୂଆ ବ୍ୟବସ୍ଥାରେ ପ୍ରଧାନଶିକ୍ଷକ, ଅଧ୍ୟକ୍ଷ, ସରପଞ୍ଚ ଓ ଆବାସିକ ଓ୍ବାଡର୍ନମାନଙ୍କୁ ମଧ୍ୟ ସିଏମପିଓ ଭାବରେ ଦାୟିତ୍ବ ଦିଆାଯିବ । ସେମାନେ ମଧ୍ୟ ସିଡିପିଓଙ୍କ ଭଳି ଆଇନଗତ କ୍ଷମତା ବ୍ୟବହାର କରି ବାଲ୍ୟବିବାହ ରୋକି ପାରିବେ ।

Comments are closed.