ଭୁବନେଶ୍ବର: ବିଧାୟକଙ୍କ ପାଠଶାଳାକୁ ନେଇ ଥମୁନି ବିବାଦ। ବିରୋଧୀ ବିଜେଡି ଓ କଂଗ୍ରେସର ବୟକଟ୍ ଧମକ ପରେ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ନେଇ ସଂଶୋଧିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେପି ନଡ୍ଡାଙ୍କୁ ଅତିଥି ତାଲିକାରୁ ବାଦ୍ ଦିଆଯାଇଥିବା ବେଳେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜ୍ଜୁ ଉଦଘାଟନ କରିବେ ବୋଲି ନୂଆ କାର୍ଯ୍ୟସୂଚୀରେ ଲେଖାଯାଇଛି। ଶାସକ ବିଜେପି ନରମିଥିଲେ ବି ଜିଦରେ ଅଟଳ ରହିଛି ବିଜେଡି। ପ୍ରଶିକ୍ଷଣ ନୁହେଁ ବରଂ ଏହା ଦଳୀୟ କାର୍ଯ୍ୟକ୍ରମ କହି ବୟକଟ୍ ନିଷ୍ପତ୍ତିକୁ ଦୋହରାଇଛି ଦଳ ।
ଧର୍ମେନ୍ଦ୍ର, ଜେପି ବାଦ୍
ଆସନ୍ତାକାଲିଠୁ ବିଧାୟକଙ୍କୁ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେପି ନଡ୍ଡା ବିଧାୟକଙ୍କୁ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ଥିଲା । ତେବେ ବିଜେଡି ଓ କଂଗ୍ରେସର ବିରୋଧ ପରେ ତାଲିକା ପରିବର୍ତ୍ତନ କରାଯାଇଥିଲା। ନୂଆ କାର୍ଯ୍ୟସୂଚୀ ଅନୁସାରେ କେନ୍ଦ୍ରମନ୍ତ୍ରୀ କିରେନ ରିଜୁ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ ଓ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଉଦଯାପନୀ ଅଭିଭାଷଣ ଦେବେ ବୋଲି ଉଲ୍ଲେଖ କରାଯାଇଛି । ଧର୍ମେନ୍ଦ୍ର ଓ ନଡ୍ଡାଙ୍କୁ ବାଦ୍ ଦିଆଯାଇଥିବା ବେଳେ ବାକି ଅତିଥୀ ଓ କାର୍ଯ୍ୟକ୍ରମ ପୂର୍ବଭଳି ରହିଛି ।
କାହିଁକି ବିରୋଧ କରୁଛି ବିଜେଡି?
ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ବା ଦିଗଦର୍ଶନ କାର୍ଯ୍ୟକ୍ରମକୁ ବର୍ଜନ କରିବ ବିଜେଡି। ଏନେଇ ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ପରମ୍ପରା ଅନୁସାରେ ବାଚସ୍ପତି କିମ୍ବା ମୁଖ୍ୟମନ୍ତ୍ରୀ ପ୍ରଶିକ୍ଷଣ ଶିବିରର ଉଦଘାଟନ ଓ ଉଦଯାପନ କରିଥାନ୍ତି। ବିଧାନସଭାରେ ସମସ୍ତ କାର୍ଯ୍ୟ ଗୃହକୁ ନିର୍ବାଚିତ ସଭ୍ୟଙ୍କ ଦ୍ବାରା ହେବାର ପରମ୍ପରା ରହିଛି । ତେବେ ଗୃହ ବାହାରର କେହି ଉଦଘାଟନ କରିବା ବିଧାନସଭା ପଦ ମର୍ଯ୍ୟାଦାର ହାନୀ ହେଉଛି ବୋଲି ବିଜେଡି କହିଛି। ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି କ୍ଷମତାକୁ ଆସିଥିବା ବିଜେପି ରାଜ୍ୟ ନେତୃତ୍ୱକୁ ଅଣଦେଖା କରୁଥିବା ପ୍ରମିଳା ଅଭିଯୋଗ କରିଛନ୍ତି।
କଂଗ୍ରେସ ବି କରୁଛି ବିରୋଧ
କେବଳ ବିଜେଡି ନୁହେଁ, କଂଗ୍ରେସ ବି ପ୍ରଶିକ୍ଷଣ ଶିବିର ବର୍ଜନ କରିବାକୁ କହିଛି। କାର୍ଯ୍ୟକ୍ରମକୁ ସରକାର ରାଜନୀତିକରଣ କରୁଛନ୍ତି। ତେଣୁ ଦଳ ଏହାକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିବା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି । ସେପଟେ ସବୁ ବିଧାନସଭା ବିଧି ବ୍ୟବସ୍ଥା ଭିତରେ ହେଉଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହେଉଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବି ରହିବେ। ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ଘଡେଇଙ୍କ ପରି ବରିଷ୍ଠ ନେତା ବି ପ୍ରଶିକ୍ଷଣ ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।
କାଲିଠୁ ଶିବିର…ତୁଟିନି କେଁ
ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ, ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନରେ ବାଚସ୍ପତି ସୁରମା ପାଢୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଯୋଗଦେବେ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଜେପି ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ନରସିଂହ ମିଶ୍ର ପ୍ରମୁଖ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ସମ୍ବୋଧନ କରିବେ । ତେବେ ଆସନ୍ତାକାଲି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗ ନଦେବାକୁ ଏବେବି ବିଜେଡି ଅଡି ବସିଥିବା ବେଳେ କଂଗ୍ରେସ ସ୍ପଷ୍ଟ କରିନି। କାର୍ଯ୍ୟସୂଚୀ ବଦଳାଇଥିଲେ ବି ବିରୋଧୀଙ୍କ ବର୍ଜନ ନିଷ୍ପତ୍ତିର କାରଣ ରହିଥିବା କେନ୍ଦ୍ରମନ୍ତ୍ରୀଙ୍କୁ ଏବେବି ସାମିଲ କରିଛନ୍ତି ସରକାର । ନାଁ ବଦଳିଛି ହେଲେ ବିରୋଧ ମୁତାବକ ନିଷ୍ପତ୍ତି ବଦଳିନି । ଏଥର ବିଧାନସଭାରେ ମୋଟ୍ ୮୪ ଜଣ ବିଧାୟକ ନୂଆ କରି ନିର୍ବାଚିତ ହୋଇଛନ୍ତି । ଏହାମଧ୍ୟରୁ ବିଜେପିର ୫୪, ବିଜେଡିର ୧୮, କଂଗ୍ରେସର ୯ ଓ ସ୍ବାଧୀନ ୩ଜଣ ବିଧାୟକ ରହିଛନ୍ତି।
Comments are closed.