Latest Odisha News

କୋଲକାତା ଲଜ୍ଜା; ସୁପ୍ରିମକୋର୍ଟଙ୍କ କଡା ପ୍ରଶ୍ନ

ନୂଆଦିଲ୍ଲୀ: ଆରଜି କର ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ କ୍ଷୋଭ ଓ ଉଦବେଗ । ପଶ୍ଚିମବଙ୍ଗ ସରକାର ଓ ପୋଲିସକୁ ପଚାରିଛନ୍ତି ଅନେକ ପ୍ରଶ୍ନ । ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ନେଇ ଜନଆକ୍ରୋଶ ପରେ ଘଟଣାର ନିଜଆଡୁ ସଂଜ୍ଞାନ ନେଇ ଶୁଣାଣି ଆରମ୍ଭ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ପୀଡିତାଙ୍କ ପରିଚୟ ସାର୍ବଜନୀନ ହୋଇଥିବାରୁ ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ପୋଲିସ ଯାଂଚଠୁ ଆରମ୍ଭ କରି ମେଡିକାଲ କଲେଜ ଓ ହସପିଟାଲର ପୂର୍ବତନ ପ୍ରିନିସିପାଲ ସନ୍ଦୀପ ଘୋଷଙ୍କ ଭୂମିକା ନେଇ ବି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଡାକ୍ତରଙ୍କ ସୁରକ୍ଷା ନେଇ ଚିନ୍ତା

ଡାକ୍ତରଙ୍କ ସୁରକ୍ଷା ନେଇ କୋର୍ଟ ଚିନ୍ତିତ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ମହିଳାମାନେ ସୁରକ୍ଷାରୁ ବଂଚିତ ହେଉଛନ୍ତି । ଏଭଳି ସ୍ଥିତିରେ ଡାକ୍ତର କିଭଳି କାମ କରିବେ ବୋଲି ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ । ମହିଳା ଡାକ୍ତରଙ୍କ ପାଇଁ ଅନେକ ଜାଗାରେ ରେଷ୍ଟ ରୁମ୍ ମଧ୍ୟ ନାହିଁ । ୱାର୍କପ୍ଲେସରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଓ ପରିବର୍ତ୍ତନ ପାଇଁ ଆଉ ଏକ ବଳାତ୍କାରକୁ ଅପେକ୍ଷା କରିହେବ ନାହିଁ ବୋଲି ଶୁଣାଣି ବେଳେ କହିଛନ୍ତି ସୁପ୍ରିମକୋର୍ଟ ଖଣ୍ଡପୀଠ । ଡାକ୍ତରୀ ପେଷାରେ ହିଂସା ଆଶଙ୍କା ବଢିଛି । ପୁରୁଷ ପ୍ରଧାନ ମାନସିକତା ଯୋଗୁଁ ମହିଳା ଡାକ୍ତରଙ୍କୁ ଅଧିକ ଟାର୍ଗେଟ କରାଯାଉଥିବା କହିଛନ୍ତି ସୁପ୍ରିମକୋର୍ଟ । ସୁରକ୍ଷିତ ପରିସ୍ଥିତିରେ ମହିଳାମାନେ ଯେପରି କାମ କରିବେ, ସେଥିପାଇଁ ଜାତୀୟ ପ୍ରୋଟୋକଲ ଉପରେ ଗୁରୁତ୍ୱାରୋପ୍ କରିଛନ୍ତି ଟପ୍ କୋର୍ଟ ।

ଜାତୀୟ ଟାସ୍କଫୋର୍ସ ଗଠନ

ଆରଜି କର ହସପିଟାଲ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଡାକ୍ତରଙ୍କ ସ୍ଥିତି ନେଇ ଜାତୀୟ ଟାସ୍କ ଫୋର୍ସ ଗଠନ କରିବାକୁ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ତଦାରଖରେ କାମ କରିବ ୮ ଜଣିଆ ଟାସ୍କଫୋର୍ସ । ଏମ୍ସ ନିର୍ଦ୍ଦେଶକ ଡକ୍ଟର ଏମ୍‌. ଶ୍ରୀନିବାସନଙ୍କ ସମେତ ଅନ୍ୟ ଡାକ୍ତରଙ୍କୁ ଏଥିରେ ସାମିଲ କରାଯାଇଛି । ଟାସ୍କଫୋର୍ସ ତିନି ସପ୍ତାହ ମଧ୍ୟରେ ରିପୋର୍ଟ ଦେବ । ମାମଲାର ଯାଂଚ କରୁଥିବା ସିବିଆଇକୁ ଏହି ମାସ ୨୨ ତାରିଖ ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ। ଏଥିସହ ତିନି ମାସ ମଧ୍ୟରେ ଯାଂଚ ଶେଷ କରି ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଛି।

ପୋଲିସ କାର୍ଯ୍ୟାନୁଷ୍ଠାନକୁ ପ୍ରଶ୍ନ 

ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଯାଂଚ ନେଇ ପୋଲିସକୁ ପ୍ରଶ୍ନ କରିଛନ୍ତି । ପୀଡିତାଙ୍କ ପରିବାରକୁ ଅନ୍ଧାରରେ ରଖିଥିବା ଅଭିଯୋଗ ଉପରେ କୋଲକାତା ପୋଲିସକୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ମାମଲାରେ ଏତଲା ଦାୟରରେ ଡେରି ହୋଇଥିଲା । ଏତଲା ଦାୟର କରିବା ହସପିଟାଲର ଦାୟିତ୍ୱ ଥିଲା ବୋଲି କହିଛନ୍ତି କୋର୍ଟ । ପରିବାର ଲୋକଙ୍କୁ ପୀଡିତାଙ୍କ ମୃତଦେହ ଯଥେଷ୍ଟ ଡେରିରେ ଦିଆଯାଇଥିଲା । ହସପିଟାଲ ମ୍ୟାନେଜମେଂଟ ଏ ମାମଲାରେ କଣ କରୁଥିଲା ବୋଲି ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ଆରଜି କର ମେଡିକାଲ କଲେଜ ପ୍ରିନସିପାଲ ସନ୍ଦୀପ ଘୋଷଙ୍କ କାର୍ଯ୍ୟକଳାପ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ଟପ୍ କୋର୍ଟ । ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିଲେ ସନ୍ଦୀପ ଘୋଷ । ସେ ପ୍ରକୃତରେ କଣ କରୁଥିଲେ ବୋଲି କୋର୍ଟ ପଚାରିବା ସହ ଘଟଣା ପରେ ତାଙ୍କୁ କିପରି ଅନ୍ୟ ସ୍ଥାନରେ ନିଯୁକ୍ତ କରାଗଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

ମାମଲାରେ ସୁପ୍ରିମକୋର୍ଟଙ୍କ କଡା ଟିପ୍ପଣୀ ଓ ପ୍ରଶ୍ନ ପରେ ପଶ୍ଚିମବଙ୍ଗ ସରକାରଙ୍କ ପାଇଁ ସ୍ଥିତି ଆହୁରି ଜଟିଳ ହୋଇଛି ।

 

Comments are closed.