Latest Odisha News

ଗଞ୍ଜାମରେ ‘ଅନୋଖା ଧାଗା’ କେନ୍ଦ୍ର ପ୍ରତିଷ୍ଠା କଲା ଟିପିଏସଓଡିଏଲ୍

ବ୍ରହ୍ମପୁର: ମହିଳା ଦକ୍ଷତା ଓ ଉଦ୍ୟମିତାକୁ ଗୁରୁତ୍ୱ । ଗଞ୍ଜାମ ଜିଲ୍ଲା ବାହାଦୂରପେଟା ଗ୍ରାମରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ‘ଅନୋଖା ଧାଗା’ କେନ୍ଦ୍ର ଉଦଘାଟିତ ହୋଇଛି । ଟାଟା ପାଓ୍ୱାରର ପରିକଳ୍ପନାରେ ସୃଷ୍ଟି ହୋଇଥିବା ଏହି ପଦକ୍ଷେପ ସଂପ୍ରତି ଟିପିଏସ୍ଓଡିଏଲରେ କାର୍ଯ୍ୟକ୍ଷମ ହୋଇଛି । ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ସହଭାଗିତାରେ କମ୍ପାନୀ ଏହି କେନ୍ଦ୍ରକୁ ପ୍ରତିଷ୍ଠା କରିବାରେ ସମର୍ଥ ହୋଇଛି । ପ୍ରଶିକ୍ଷଣ ଦେଇ ମହିଳାମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କ ମାଧ୍ୟମରେ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି କରିବା ଏହି କେନ୍ଦ୍ରର ଲକ୍ଷ୍ୟ ଅଟେ ।

‘ଅନୋଖା ଧାଗା’ କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନୀ ଗ୍ରାମାଞ୍ଚଳ ମହିଳାମାନଙ୍କର ସାମାଜିକ ଓ ଆର୍ଥିକ ପ୍ରଗତି ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି । ମହିଳାମାନେ ସିଲେଇ ପ୍ରଶିକ୍ଷଣ ନେବାଠାରୁ ଆରମ୍ଭ କରି ଉଦ୍ୟୋଗ ସୃଷ୍ଟି କରିବା ଓ ଏହାକୁ ସଫଳତାପୂର୍ବକ ଚଳାଇବା ନିମନ୍ତେ ଆବଶ୍ୟକ ବିଭିନ୍ନ ପ୍ରକାର ଆନୁଷଙ୍ଗିକ ସହାୟତା କମ୍ପାନୀ ପକ୍ଷରୁ ପ୍ରଦାନ କରାଯିବ । ସେହିଭଳି ବ୍ୟବସାୟ କିଭଳି ପରିଚାଳିତ ହୁଏ ସେନେଇ ମଧ୍ୟ ମହିଳାମାନଙ୍କୁ ତାଲିମ ଦିଆଯିବ ।

ରଙ୍ଗେଇଲୁଣ୍ଡା ବ୍ଲକ୍ ର ୫ଟି ପଞ୍ଚାୟତର ମହିଳାମାନେ ଏହି କେନ୍ଦ୍ରରୁ ତାଲିମ ନେବେ; ଗଞ୍ଜୁ, କରାପଲ୍ଲୀ, ନାରାୟଣପୁର, ବକ୍ସିପଲ୍ଲୀ ଓ ମାଣ୍ଡିଆପଲ୍ଲୀ । ଏବେ, ୩ଟି ବ୍ୟାଚ୍ ରେ ସମୁଦାୟ ୬୦ ଜଣ ମହିଳା ସିଲେଇ ପ୍ରଶିକ୍ଷଣ ନେଉଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଅହଲ୍ୟା ସାହୁ କହିଛନ୍ତି ଯେ, ‘’ଏହି କେନ୍ଦ୍ରରୁ ଆମେ ସିଲେଇ ଶିଖୁଛୁ । ଆଗାମୀ ଦିନରେ ବ୍ୟବସାୟ ମଧ୍ୟ କରିବୁ । କପଡ଼ା ବିକ୍ରି ପାଇଁ ବଜାର ମଧ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଉଛି । ମୁଁ ବହୁତ ଖୁସି ଓ ଗର୍ବିତ । ସବୁଠାରୁ ବଡ଼ କଥା ମୁଁ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାଧୀନ ହେବାକୁ ଯାଉଛି ।‘’

କମ୍ପାନୀ ଏହି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦକୁ ବଜାର ଯୋଗାଇଦେବା ଦିଗରେ ଅଧିକ ସକ୍ରିୟତାର ସହ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି । ବଡ଼ ବେପାରୀମାନଙ୍କ ସହ ଯୋଗାଯୋଗ ରଖି ଉତ୍ପାଦକୁ ବିକ୍ରି କରିବା ନେଇ ଏକ ଲିଙ୍କେଜ୍ ବ୍ୟବସ୍ଥା ପ୍ରତିଷ୍ଠା କରୁଛି । ଯାହାଫଳରେ ତାଲିମ ଶେଷ କରି ମହିଳାମାନେ ରୋଜଗାରକ୍ଷମ ହୋଇପାରିବେ ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଟିପିଏସ୍ଓଡିଏଲ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଧର୍ମପତ୍ନୀ ଶ୍ରୀମତୀ ମଞ୍ଜୁ ଗର୍ଗ, ଶ୍ରୀ ବିଜୟ ପ୍ରକାଶ ଶର୍ମା, ଚିଫ୍ କମର୍ସିଆଲ ଅଫିସର, ଟିପିଏସ୍ଓଡିଏଲ୍ ଓ ଶ୍ରୀ ଅଜୟ କୁମାର ଦାଶ, ବ୍ଲକ୍ ପ୍ରୋଜେକ୍ଟ କୋର୍ଡିନେଟର, ଓଡ଼ିଶା ଜୀବିକା ମିଶନ ପ୍ରମୁଖ ଉପସ୍ଥିତ ଥିଲେ ।

ଉଦଘାଟନୀ କାର୍ଯ୍ୟକ୍ରମ ଶେଷରେ କମ୍ପାନୀ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା । ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶାର ସାମାଜିକ ତଥା ଆର୍ଥିକ ପ୍ରଗତି ଦିଗରେ ନିଜର ଉଦ୍ୟମ ଜାରି ରଖିଛି । ‘ଅନୋଖା ଧାଗା’ ଭଳି କାର୍ଯ୍ୟକ୍ରମ କମ୍ପାନୀର ଏହି ଦିଗରେ ଥିବା ପ୍ରତିବଦ୍ଧତାକୁ ପ୍ରମାଣ କରୁଛି ।

Comments are closed.