Latest Odisha News

ଖୋଲିବ ରତ୍ନଭଣ୍ଡାର: ସ୍ଥାନାନ୍ତର ହେବ ସିନ୍ଦୁକ , ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ସ୍ଥାନାନ୍ତର ହେବ ଖାଲି କରାଯାଇଥିବା ଆଲମିରା ଓ ସିନ୍ଦୁକ। ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରରୁ ପୁରୁଣା ସିନ୍ଦୁକ ଏବଂ ଆଲମାରୀ ଗୁଡିକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଦିନ ୧ ଟା ଠାରୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ନୀଳାଦ୍ରି ମହୋଦୟ ସଂଗ୍ରହାଳୟ ନିକଟ ଏକ କୋଠରିକୁ ପୁରୁଣା ସିନ୍ଦୁକ ଓ ଆଲମାରୀ ଗୁଡିକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ମାର୍ଗଦର୍ଶିକା ଅନୁମୋଦନ କରିଛନ୍ତି। ଏହିସବୁ ପୁରୁଣା ସିନ୍ଦୁକ ଏବଂ କାଠ ଆଲମାରୀ ଗୁଡିକରେ ଦୀର୍ଘବର୍ଷ ଧରି ମହାପ୍ରଭୁଙ୍କ ମୂଲ୍ୟବାନ ଅଳଙ୍କାର ରହିଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ମାସ ୧୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଥିଲା।

ଜିଲ୍ଲାପାଳଙ୍କ ରେକର୍ଡ ରୁମରୁ ମିଳୁଥିବା ଚାବିରେ ତାଲା ନଖୋଲିବାରୁ ଦୁଇଟି ତାଲା ଭଙ୍ଗା ଯାଇଥିଲା। ସେହିପରି ଗତ ମାସ ୧୮ ତାରିଖରେ ପୁଣିଥରେ ଭିତର ଏବଂ ବାହାର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ରହିଥିବା ରତ୍ନ ଅଳଙ୍କାରଗୁଡ଼ିକୁ ଦୁଇଟି ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା। ନୂଆ କାଠ ସିନ୍ଦୁକରେ ପ୍ରଭୁଙ୍କ ରତ୍ନ ଅଳଙ୍କାର ଗୁଡ଼ିକ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖା ଯାଇଛି।

ରତ୍ନ ଭଣ୍ଡାର ଭିତରେ ରହିଥିବା ପୁରୁଣା ସିନ୍ଦୁକ ଏବଂ ଆଲମାରୀ ଗୁଡିକ ସ୍ଥାନାନ୍ତର ପାଇଁ ତଦାରଖ କମିଟି ବୈଠକରେ ସ୍ଥିର କରାଯାଇଥିଲା। ରତ୍ନ ଭଣ୍ଡାର ଖାଲି କରାଯିବା ପରେ ଆବଶ୍ୟକ ଯାଞ୍ଚ ଏବଂ ମରାମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାକୁ ହସ୍ତାନ୍ତର କରାଯିବ।

Comments are closed.