Latest Odisha News

BREAKING NEWS

ଯୋଗୀ ନୁହଁନ୍ତି, ଶାହ ପସନ୍ଦ

ନୂଆଦିଲ୍ଲୀ: ବିଜେପିରେ ନରେନ୍ଦ୍ର ମୋଦିଙ୍କ ପରେ କିଏ ହେବ ତାଙ୍କ ଉତ୍ତରାଧିକାରୀ ? କାହା ଉପରେ ଅଧିକ ଭରସା କରିବ ବିଜେପି ? ପ୍ରଧାନମନ୍ତ୍ରୀ ଭାବେ ତୃତୀୟ କାର୍ଯ୍ୟକାଳ ସରିବା ଆଗରୁ ମୋଦିଙ୍କୁ ୭୫ରୁ ବର୍ଷରୁ ଅଧିକ ବୟସ ହୋଇସାରିଥିବ । କେବଳ ରାଜନୈତିକ ବିଶେଷଜ୍ଞ ନୁହଁନ୍ତି, ବିଜେପି ସମର୍ଥକମାନଙ୍କ ମଧ୍ୟରେ ବି ଏ ନେଇ ଉତ୍ସୁକତା ଜନ୍ମିବା ସ୍ୱାଭାବିକ ଯେ ମୋଦିଙ୍କ ପରେ କିଏ ? ମୋଦିଙ୍କ ପରେ କିଏ ହେବେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ? ଏ ପ୍ରସଙ୍ଗରେ ଇଣ୍ଡିଆ ଟୁଡେ ପତ୍ରିକା ପକ୍ଷରୁ କରାଯାଇଥିଲା ସର୍ଭେ ।

ପ୍ରଥମ ବିକଳ୍ପ ଅମିତ ଶାହ

ସର୍ଭେରୁ ଜଣାପଡିଛି ଯେ, ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ମିଳିଛି ଅଧିକ ସମର୍ଥନ । ୨୫ ପ୍ରତିଶତରୁ ଅଧିକ ପ୍ରତିଶତ ଲୋକ ଅମିତ ଶାହଙ୍କୁ କରିଛନ୍ତି ସମର୍ଥନ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଙ୍କଠାରୁ ଆଗରେ ଅଛନ୍ତି ଅମିତ ଶାହ । ଯୋଗୀ ଆଦିତ୍ୟନାଥଙ୍କୁ ମାତ୍ର ୧୯ ପ୍ରତିଶତ ଲୋକ ହିଁ ମୋଦିଙ୍କ ଉତ୍ତରାଧିକାରୀ ଭାବେ ପସନ୍ଦ କରନ୍ତି । ଯୋଗୀଙ୍କ ପଛରେ ଅଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ । ସର୍ଭେ ଅନୁସାରେ ଗଡକରୀଙ୍କୁ ୧୩ ପ୍ରତିଶତ ଲୋକ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖିବାକୁ ଚାହାଁନ୍ତି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପ୍ରତି ୫ ପ୍ରତିଶତ ଲୋକଙ୍କ ସମର୍ଥନ ଥିବା ସର୍ଭେ କହୁଛି ।

ଅମିତ ଶାହଙ୍କ ଆପ୍ରୁଭାଲ ରେଟିଂ ହ୍ରାସ

ସର୍ଭେ ଅନୁସାରେ ଅମିତ ଶାହଙ୍କ ପ୍ରତି ଅଧିକ ସମର୍ଥନ ରହିଥିଲେ ମଧ୍ୟ ତାଙ୍କର ଆପ୍ରୁଭାଲ ରେଟିଂ ଆଗ ଅପେକ୍ଷା କମିଛି । ଏହି ବର୍ଷ ଫେବ୍ରୁଆରୀରେ ଅମିତ ଶାହଙ୍କ ଆପ୍ରୁଭାଲ ରେଟିଂ ୨୮ ପ୍ରତିଶତ ଥିବା ବେଳେ ଗତବର୍ଷ ଅଗଷ୍ଟରେ ଏହି ରେଟିଂ ଥିଲା ୨୯ ପ୍ରତିଶତ । ଯୋଗୀଙ୍କ ଆପ୍ରୁଭାଲ ରେଟିଂ ମଧ୍ୟ ତଳକୁ ଖସିଛି ।

୭୫ ବର୍ଷ ବୟସ ନିୟମ ଏକ ବିତର୍କିତ ପ୍ରସଙ୍ଗ

୨୦୧୪ ନରେନ୍ଦ୍ର ମୋଦି ଯେବେ ପ୍ରଧାନମନ୍ତ୍ରୀ ହେଲେ, ସେତେବେଳେ ଲାଲକୃଷ୍ଣ ଆଡଭାନି ଓ ମୁରଲୀ ମନୋହର ଯୋଶୀଙ୍କ ଭଳି ବରିଷ୍ଠ ନେତାଙ୍କୁ କ୍ୟାବିନେଟ କି ସଂସଦୀୟ ବୋର୍ଡରେ ସ୍ଥାନ ଦେଇନଥିଲେ । ଆଡଭାନି ଓ ଯୋଶୀଙ୍କୁ କେବଳ ମାର୍ଗଦର୍ଶକ ମଣ୍ଡଳରେ ସ୍ଥାନ ମିଳିଥିଲା । ସେତେବେଳେ ଆଡଭାନିଙ୍କୁ ୮୬ ଓ ଯୋଶୀଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଶାନ୍ତା କୁମାରଙ୍କୁ ମଧ୍ୟ ବୟସ ଆଳରେ ମିଳିନଥିଲା କୌଣସି ଦାୟିତ୍ୱ । ୨୦୧୬ରେ ମଧ୍ୟପ୍ରଦେଶ ବିଜେପି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ୭୫ ବର୍ଷରୁ ଅଧିକ ବୟସ ହୋଇଥିବାରୁ ବାବୁଲାଲ ଗୌରଙ୍କ ଭଳି ନେତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା ।

ବିଜେପିରେ ୭୫ ବର୍ଷରୁ ଅଧିକ ବୟସର ନେତାଙ୍କୁ ନିର୍ବାଚନ ଲଢିବା ପାଇଁ ଅନୁମତି ଦିଆନଯିବା ନେଇ କୌଣସି ନିୟମ ନାହିଁ ବୋଲି ୨୦୧୬ରେ କହିଥିଲେ ଅମିତ ଶାହ । କିଛି ବିଶେଷଜ୍ଞ କହିଛନ୍ତି ଯେ, ୭୫ ବର୍ଷ ବୟସ ନିୟମ ନରେନ୍ଦ୍ର ମୋଦି ହିଁ ଲାଗୁ କରିଥିଲେ । ସେ ନିଜେ ଏହି ନିୟମ ମାନିବେ କି ନାହିଁ ତାହା ମୋଦିଙ୍କ ଉପରେ ନିର୍ଭର କରେ । ଆଉ କେତେକଙ୍କ ମତରେ ନରେନ୍ଦ୍ର ମୋଦି ଏବେ ବି ସକ୍ରିୟ ଅଛନ୍ତି । ୨୦୨୯ ଯାଏଁ ମୋଦିଙ୍କ ନିୟନ୍ତ୍ରଣ ରହେ, ତାହା ହେଲେ ଏଥିରେ ଆଶ୍ଚର୍ଯ୍ୟ ହେବା କଥା ନୁହେଁ । କିନ୍ତୁ ଆରଏସଏସ ଓ ବିଜେପି ମାମଲାରେ କିଛି ବି ନିଶ୍ଚିତ କହିବା ଠିକ୍ ନୁହେଁ ବୋଲି ମତ ପ୍ରକାଶ ପାଇଛି ।

Comments are closed.