Latest Odisha News

ହଷ୍ଟେଲରେ ୬ଷ୍ଠ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା: ବିଦା ହେଲେ ହଷ୍ଟେଲ ୱାର୍ଡେନ୍

ବାରିପଦା: ହଷ୍ଟେଲରେ ୬ଷ୍ଠ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ ବଡ କାର୍ଯ୍ୟାନୁଷ୍ଠାନ। ଚାକିରିରୁ ବିଦା ହେଲେ ହଷ୍ଟେଲ ୱାର୍ଡେନ୍ ମୀନତି ମହାପାତ୍ର । କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ମୀନତି ମହାପାତ୍ରଙ୍କୁ ବହିଷ୍କାର କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ସେପଟେ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ସେଠୀଙ୍କୁ ନିଲମ୍ବନ ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଡିଇଓ । ଖୁଣ୍ଟା ବ୍ଲକ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ଘଟିଥିଲା ଅଘଟଣ । କାର୍ଯ୍ୟାନୁଷ୍ଠାନ ଦାବିରେ ଅଭିଭାବକ ରାସ୍ତାରୋକ କରିଥିଲେ ।

ସୂଚନା ଅନୁସାରେ, ଗତକାଲି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଉଚ୍ଚ ବିଦ୍ୟାଳୟର କସ୍ତୁରବା ହଷ୍ଟେଲ ଛାତ୍ରୀ ମଧୁସ୍ମିତା ବେହେରା ଅଚାନକ ଅସୁସ୍ଥ ହୋଇଯାଇଥିଲେ । ତାଙ୍କୁ ସ୍ଥାନୀୟ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। କାର୍ଯ୍ୟାନୁଷ୍ଠାନ ଦାବିରେ ମୃତଦେହକୁ ଖୁଣ୍ଟା ଛକ ରାସ୍ତାରେ ରଖି ପ୍ରତିବାଦ କରିଥିଲେ ଅଭିଭାବକ । ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ସହ ହଷ୍ଟେଲ ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଆନ୍ଦୋଳନକାରୀ ଦାବି କରିଥିଲେ। ଝିଅକୁ ଡାକ୍ତରଖାନା ନେବାରେ ଜାଣିଶୁଣି ବିଳମ୍ବ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।

ଉକ୍ତ ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଇ କାର୍ଯ୍ୟରେ ଅବହେଳା ପାଇଁ ୱାର୍ଡେନ ମିନତୀ ମହାପାତ୍ରଙ୍କୁ ଚାକିରିରୁ ବହିଷ୍କାର କରିବା ସହ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ସେଠୀଙ୍କୁ ନିଲମ୍ବନ କରିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡାଇରେକ୍ଟରଙ୍କୁ ଚିଠି ଲେଖିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।

Comments are closed.