Latest Odisha News

୨ ଦିନ ନିର୍ଧୁମ ଛେଚିବ: ମାଲକାନଗିରି, ଗଜପତି, କୋରାପୁଟକୁ ରେଡ୍ ଆଲର୍ଟ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣବଳୟ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ୩୧ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମାଲକାନଗିରି, ଗଜପତି, କୋରାପୁଟ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ଆଜି କୋରାପୁଟ ଓ ଗଜପତି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଏହି ଲଘୁଚାପ ଉତ୍ତର ବଙ୍ଗୋପସାଗରରେ କେନ୍ଦ୍ରୀଭୁତ ହୋଇଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ଗତି କରିବ। ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ସ୍ଥଳଭାଗ ମୁହାଁ ହେବ। ଏହାର ପ୍ରଭାବରେ ୩୧ ତାରିଖ ପର୍ଯ୍ୟନ୍ତ ନିର୍ଧୁମ ବର୍ଷା ହେବ। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାକୁ ସତର୍କ କରାଯାଇଛି। ଏହି ସବୁ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

ବର୍ଷା ପାଇଁ ରେଡ୍‌ ୱାର୍ଣ୍ଣିଂ ଥିବାରୁ କୋରାପୁଟ ଓ ଗଜପତି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି। ସ୍କୁଲ ଛୁଟି ସହ କୋରାପୁଟରେ ବନ୍ଦ ରହିବ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର। ଏଥିସହ ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବର୍ଷା ବେଳେ ଘରୁ ନବାହାରିବା ସହ ନିଜ ନିଜ ପକ୍କା ଘର କିମ୍ବା ଆଶ୍ରୟସ୍ଥଳରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ।

Comments are closed.