Latest Odisha News

ଶ୍ରୀମନ୍ଦିର ଆନନ୍ଦ ବଜାରର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ

ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ପଦକ୍ଷେପ । ଭକ୍ତ ମାନେ ଆନନ୍ଦ ବଜାରରେ ଯେଭଳି ଶୃଙ୍ଖଳିତ ଭାବେ ମହାପ୍ରସାଦ ସେବନ କରିପାରିବେ ସେନେଇ ଗତକାଲି ଠାରୁ ସେନାନିବୃତ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ବେଳେ, ଆଜି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଶ୍ରୀମନ୍ଦିର ଆନନ୍ଦ ବଜାର ଯାଇ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।

ଏଥିସହ ସୁଆର ମହାସୁଆର ନିଯୋଗ ସହ ମଧ୍ୟ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ବିଶେଷ କରି ଆନନ୍ଦ ବଜାରରେ ବାସୀ ଅବଢ଼ା ବିକ୍ରି ଉପରେ କଟକଣା ଲଗାଇବା, ଭକ୍ତମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ନକରିବା, ବାହାରୁ ଅମୁଣିଆ ସାମଗ୍ରୀ ଆନନ୍ଦ ବଜାରରେ ବିକ୍ରି ନକରିବା ଉପରେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତେବେ ସବୁ କିଛି ବ୍ୟବସ୍ଥା ଠିକ୍ ଭାବେ ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ବ୍ୟବସ୍ଥା ସଫଳ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସେପଟେ ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ସେନା ନିବୃତ କର୍ମଚାରୀଙ୍କୁ ମୁତୟନ କରାଯାଇଥିବାରୁ ଏହାକୁ ନାପସନ୍ଦ କରିଛନ୍ତି ବରିଷ୍ଠ ସେବାୟତ । ତେବେ ଶ୍ରୀମନ୍ଦିର ହେଉ କିମ୍ବା ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ହେଉ ଏଥିରେ ସେବାୟତ ପରିବାରର ଯୁବକମାନଙ୍କୁ ମଧ୍ୟ ନିୟୋଜିତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବରିଷ୍ଠ ସେବାୟତ ଗୌରହରି ପ୍ରଧାନ । ଏହାଦ୍ବାରା ଶ୍ରୀମନ୍ଦିରରେ ଆହୁରି ଶୃଙ୍ଖଳା ଆସିପାରିବ ବୋଲି ସେ କହିଛନ୍ତି ।

Comments are closed.