Latest Odisha News

BREAKING NEWS

ଦଳଡିଆଁଙ୍କୁ ପ୍ରାଧାନ୍ୟ, ପୁରୁଣା ନେତାଙ୍କୁ ଉପେକ୍ଷା

ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ପ୍ରଥମ ପ୍ରାର୍ଥୀ ତାଲିକା । ପ୍ରଥମ ତାଲିକାରେ ୬୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । କ୍ଷମତା ହ୍ୟାଟ୍ରିକ ଲକ୍ଷ୍ୟରେ ଥିବା ବିଜେପି କେବଳ ବିଜୟ ଫର୍ମୁଲା ଉପରେ ଗୁରୁତ୍ୱ ଦେଇଛି । ଅନେକ ନେତାଙ୍କ ପୁଅ-ଝିଅଙ୍କୁ ଟିକେଟ ମିଳିଥିବା ବେଳେ ଅନ୍ୟ ଦଳରୁ ଆସିଥିବା ନେତା ବି ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି । ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ଓ ବରିଷ୍ଠ ନେତା ଅନୀଲ ବିଜଙ୍କୁ ମଧ୍ୟ ପ୍ରଥମ ପ୍ରାର୍ଥୀ ତାଲିକାରେ ସ୍ଥାନ ମିଳିଛି । ପ୍ରଥମ ପ୍ରାର୍ଥୀ ତାଲିକା ଜାରି ହେଲା ପରେ ଦଳରେ ଅସନ୍ତୋଷ ଓ ବିରୋଧର ସ୍ୱର ବି ତୀବ୍ର ହୋଇଛି ।

ଖରାପ ସ୍ଥିତି ଥିବା ମନ୍ତ୍ରୀ ଓ ବିଧାୟକଙ୍କୁ ପୁଣି ଟିକେଟ

ପ୍ରଥମ ପ୍ରାର୍ଥୀ ତାଲିକାରେ ଅନେକ ଟିକେଟ୍ ଆଶାୟୀ ସ୍ଥାନ ପାଇନାହାନ୍ତି । ୬୭ ଜଣିଆ ପ୍ରାର୍ଥୀ ତାଲିକାରେ ଅନେକ ସିଟିଂ ଏମଏଲଏ ଓ ପୂର୍ବରୁ ହାରିଥିବା ବିଧାୟକଙ୍କୁ ଟିକେଟ ମିଳିନାହିଁ । ପୁଣି ଲଢିବା ଆଶାରେ ଏମାନେ ସମସ୍ତେ ନିଜ ନିଜ ନିର୍ବାଚନମଣ୍ଡଳୀରେ ସକ୍ରିୟ ରହିଥିଲେ ମଧ୍ୟ ନିରାଶ ହୋଇଛନ୍ତି । ଅଭିଯୋଗ ହୋଇଛି ଯେ, ଅନେକ ମନ୍ତ୍ରୀ ଓ ଏମଏଲଏଙ୍କ ବିରୋଧରେ ଭୋଟରଙ୍କ ଚରମ ଅସନ୍ତୋଷ ଥିଲେ ମଧ୍ୟ ସେମାନେ ଟିକେଟ୍ ହାତେଇଛନ୍ତି । ଦଳର ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟରେ ଅନେକ ମନ୍ତ୍ରୀ ଓ ବିଧାୟକଙ୍କ ସ୍ଥିତି ଖରାପ ବୋଲି ଦର୍ଶାଯାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ପୁଣି ଟିକେଟ ପାଇବାରେ ସଫଳ ହୋଇଛନ୍ତି ।

ଦଳଡିଆଁଙ୍କୁ ଟିକେଟ, ପୁରୁଣା ନେତାଙ୍କୁ ଉପେକ୍ଷା

ପ୍ରଥମ ପ୍ରାର୍ଥୀ ତାଲିକାରେ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ପ୍ରାଧାନ୍ୟ ଦିଆଯାଇଥିବାରୁ ବିଜେପିର ଅନେକ ପୁରୁଣା ଓ କର୍ମଠ ନେତାମାନେ ଅସନ୍ତୁଷ୍ଟ ଅଛନ୍ତି । କଂଗ୍ରେସ ଓ ଜେଜେପି ଛାଡିଥିବା ନେତାଙ୍କୁ ଟିକେଟ ମିଳିଛି । ଏ ନେଇ ଦଳୀୟ ନେତୃତ୍ୱ ଉପରେ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି ପୁରୁଣା ନେତା । ଉପେକ୍ଷିତ ହୋଇଥିବା ଅନେକ ଅସନ୍ତୁଷ୍ଟ ନେତା ବିଜେପି ଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କେତେକ ଅନ୍ୟ ଦଳରେ ସାମିଲ ହୋଇପାରନ୍ତି । ଆଉ କିଛି ସ୍ୱାଧୀନ ଭାବେ ଲଢିପାରନ୍ତି । ଟିକେଟ ପାଇନଥିବା ଦୁଇ ଟାଣୁଆ ନେତା ବିଜେପି ଛାଡିସାରିଲେଣି । ରାଜ୍ୟ ବିଜେପି କିଶାନ ମୋର୍ଚ୍ଚାର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ସୁଖବିନ୍ଦର ସିଂହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

୯ ସିଟିଂ ଏମଏଲଏଙ୍କ ଟିକେଟ କଟିଲା

ଗୋଟିଏ ପଟେ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକାରେ ନାମୀ ଚେହେରାଙ୍କୁ ସ୍ଥାନ ଦେଇଥିବା ବେଳେ ୯ ଜଣ ସିଟିଂ ଏମଏଲଏଙ୍କ ଟିକେଟ କାଟି ଦେଇଛି । ଏମାନଙ୍କ ମଧ୍ୟରେ କ୍ୟାବିନେଟ ମନ୍ତ୍ରୀ ରଞ୍ଜିତ ଚୌତାଲା ମଧ୍ୟ ଅଛନ୍ତି ।

ନେତାଙ୍କ ପୁଅଝିଅଙ୍କୁ ମିଳିଛି ଟିକେଟ

କିଛି ପ୍ରଭାବଶାଳୀ ନେତା ଓ ଅନ୍ୟ ଦଳରୁ ଆସିଥିବା ନେତାଙ୍କ ପୁଅ ଝିଅ ଏଥର ବିଜେପି ଟିକେଟର ଲଢିବେ । ବରିଷ୍ଠ ନେତା ରାଓ ଇନ୍ଦ୍ରଜିତ ସିଂହଙ୍କ ଝିଅ ଆରତୀ ସିଂହ, କଂଗ୍ରେସରୁ ଆସି ରାଜ୍ୟସଭା ସଦସ୍ୟ ହୋଇଥିବା କିରଣ ଚୌଧୁରୀଙ୍କ ଝିଅ ଶ୍ରୁତି ଚୌଧୁରୀ ଓ କୁଲଦୀପ ବିଷ୍ଣୋଇଙ୍କ ପୁଅ ଭବ୍ୟଙ୍କୁ ଟିକେଟ ଦିଆଯାଇଛି । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ୫ ତାରିଖରେ ହେବ ଭୋଟ୍ ଗ୍ରହଣ । ଫଳାଫଳ ଅକ୍ଟୋବର ୮ରେ ଆସିବ । ବିଜେପି ଲଗାତର ତୃତୀୟ ଥର କ୍ଷମତା ହାତେଇବା ଲକ୍ଷ୍ୟରେ ରହିଛି । କିନ୍ତୁ ଲୋକସଭା ନିର୍ବାଚନରେ ହରିୟାଣାରେ କ୍ଷତି ସହିଥିଲା ବିଜେପି । ଏଥର କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ପକ୍ଷରୁ ବିଜେପିକୁ କଡା ଚ୍ୟାଲେଂଜ ମିଳିପାରେ । କଂଗ୍ରେସ ଓ ଆପ୍ ମଧ୍ୟରେ ମେଂଟ ନେଇ କଥାବାର୍ତ୍ତା ଆରମ୍ଭ ହୋଇଛି ।

Comments are closed.