Latest Odisha News

ଅବପାତରେ ପରିଣତ ହେଲା ଲଘୁଚାପ: ୧୦ ଯାଏଁ ପ୍ରବଳ ବର୍ଷିବ 

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେଲା ଲଘୁଚାପ। ଗତକାଲିର ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ ଲଘୁଚାପ କ୍ଷେତ୍ର ଆଜି ସକାଳ ସମୟରେ ଘନୀଭୂତ ହୋଇ ଅବପାତ ପରିଣତ ହୋଇଛି।

କଳିଙ୍ଗପାଟନମ ଠାରୁ ୩୧୦ କିମି ଦୂର ପୂର୍ବରେ, ଗୋପାଳପୁର ଠାରୁ ୨୬୦ କିମି ପୂର୍ବ -ଦକ୍ଷିଣପୂର୍ବରେ, ପାରାଦ୍ୱୀପ ଠାରୁ ୨୯୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବରେ, ଦିଘା ଠାରୁ ୪୧୦ କିମି ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇ ରହିଛି । ଯାହା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡିଶା – ପଶ୍ଚିମବଙ୍ଗ ଉପକୂଳ ଆଡକୁ ଗତି କରି ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି ।

ପରବର୍ତୀ ଦୁଇ ଦିନରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଉତ୍ତର ଓଡିଶା ଗାଙ୍ଗେୟ- ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି | ଯାହାର ପ୍ରଭାବରେ ଆଜି ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି । ଏଥିସହିତ ଏହାର ସର୍ବାଧିକ ପ୍ରଭାବ ଆସନ୍ତା ୯ ଓ ୧୦ ତାରିଖରେ ଦେଖାଯିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ।

ଏଥିପାଇଁ ଭୀଷଣ ବର୍ଷା ନେଇ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂଯାରିକରିଛି ପାଣିପାଗ ବିଭାଗ। ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼କୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିପାଇଁ  ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାକୁ ମଧ୍ୟ ଭୀଷଣ ବର୍ଷା ନେଇ ୱାର୍ଣ୍ଣିଂ ଦିଆ ଯାଇଛି। ବର୍ଷା ସହ ୪୦-୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ସହିତ ସମୁଦ୍ର ଅଶାନ୍ତ ରହିବ। ଆସନ୍ତା ୧୧ ତାରିଖ ଯାଏଁ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

Comments are closed.