Latest Odisha News

BREAKING NEWS

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ: ୩୬ ସେକେଣ୍ଡରେ ଓଡ଼ିଶୀ ନୃତ୍ୟର ୫୧ଟି ମୁଦ୍ରା

ପୁରୀ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ପୁରୀର କୁନି ଝିଅ ରୀତିକା ପ୍ରିୟଦର୍ଶିନୀ। ମାତ୍ର ୩୬ ସେକେଣ୍ଡରେ ଓଡ଼ିଶୀ ନୃତ୍ୟର ୫୧ଟି ମୁଦ୍ରାକୁ ପ୍ରଦର୍ଶିତ କରି ରୀତିକା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି। ଗୋଟିଏ ମିନିଟ୍ ଭିତରେ ୫୧ ଟି ଓଡ଼ିଶୀ ନୃତ୍ୟ ମୁଦ୍ରା ପ୍ରଦର୍ଶିତ କରିବା ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ସମୟ ଅବଧି ଦିଆଯାଇଥିବା ବେଳେ ରୀତିକା ମାତ୍ର ୩୬ ସେକେଣ୍ଡରେ ୫୧ ଟି ଓଡ଼ିଶୀ ନୃତ୍ୟ ମୁଦ୍ରା ପ୍ରଦର୍ଶନ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ମେଡାଲ୍ ଏବଂ ସାର୍ଟିଫିକେଟ ହାସଲ କରିଛନ୍ତି। ମାତ୍ର ୬ ବର୍ଷ ବୟସରେ ରୀତିକା ପ୍ରିୟଦର୍ଶିନୀ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବାକୁ ନେଇ ରୀତିକାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି।

ପୁରୀ ବାଲିସାହି ବାସିନ୍ଦା ରବିନ୍ଦ୍ର ମାଲୁ ଏବଂ ଅଙ୍କିତା ମୁଦଲୀଙ୍କ ଝିଅ ହେଉଛନ୍ତି ରୀତିକା ପ୍ରିୟଦର୍ଶିନୀ। ରୀତିକା ହରଚଣ୍ଡୀ ସାହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ବିତୀୟ ଶ୍ରେଣୀର ଛାତ୍ରୀ। ରୀତିକା ପ୍ରିୟଦର୍ଶିନୀ ଜଣେ ମେଧାବୀ ଛାତ୍ରୀ ଭାବେ ବେଶ୍ ପରିଚିତ ଥିବାବେଳେ ମାତ୍ର ଚାରିବର୍ଷ ବୟସରୁ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ସେପଟେ ମାତ୍ର ୬ ବର୍ଷ ବୟସରେ ଓଡ଼ିଶୀ ନୃତ୍ୟର ୫୧ ଟି ମୁଦ୍ରାକୁ ମାତ୍ର ୩୬ ସେକେଣ୍ଡରେ ପ୍ରଦର୍ଶିତ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ପୁରୀ ସହରରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ପୁରୀର ପାରମ୍ପରିକ ପ୍ରସିଦ୍ଧ ପର୍ବ ସାହି ଯାତ ଏବଂ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ମଧ୍ୟ ରୀତିକା ବିଭିନ୍ନ ପାରମ୍ପାରିକ ନୃତ୍ୟ ପରିବେଷଣ କରିଥାନ୍ତି। କୁନି ଝିଅ ରୀତିକା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବାକୁ ନେଇ ବେଶ୍ ଗର୍ବିତ ଥିବା କହିଛନ୍ତି ରୀତିକାଙ୍କ ପରିବାର ଲୋକେ l

ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି କୁନି ଝିଅ ରୀତିକା ପ୍ରିୟଦର୍ଶିନୀ ମଧ୍ୟ ବିଭିନ୍ନ କ୍ଷେତ୍ରରେ ବେଶ୍ ସଫଳତା ଅର୍ଜନ କରିଚାଲିଥିବା ବେଳେ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ପାଇଛନ୍ତି। ତେବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ରୀତିକା ସ୍ଥାନ ପାଇବା ପରେ ଆଗାମୀ ଦିନରେ ସେ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଜଣେ ସଫଳ ନୃତ୍ୟଶିଳ୍ପୀ ହୋଇ ଓଡ଼ିଶାର ଗୌରବ ଆଣିବେ ଆଶା କରିଛନ୍ତି ପରିବାର ଲୋକେ ।

Comments are closed.