Latest Odisha News

୫୬ ଇଞ୍ଚ ଛାତି ଏବେ ଇତିହାସ ! ଆମେରିକାରେ ବିଜେପି ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ରାହୁଲ ଗାନ୍ଧୀ ଆମେରିକାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ କଡ଼ା ସମାଲୋଚନା କରିଛନ୍ତି। ‌ଟେକ୍ସାସରେ ବସବାସ କରୁଥିବା ଭାରତୀୟମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ରାହୁଲ କହିଛନ୍ତି, ଆର୍‌ଏସ୍‌ଏସ୍‌ ଭାରତକୁ ଗୋଟିଏ ଚିନ୍ତାଧାରାରେ ଦେଖୁଥିବା ବେଳେ କଂଗ୍ରେସ ଭାରତକୁ ଏକାଧିକ ଚିନ୍ତାଧାରାରେ ଦେଖୁଛି। ଏହା ହିଁ ଆମର ଲଢ଼େଇ ବୋଲି ସେ କହିଛନ୍ତି।

ସୋମବାର ରାତିରେ ଭର୍ଜିନିଆରେ ଏକ ଇଭେଣ୍ଟରେ ସେ କହିଛନ୍ତି ଯେ ଲୋକସଭା ନିର୍ବାଚନର ତିନିମାସ ପୂର୍ବରୁ ଆମର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ସିଲ୍ କରି ଦିଆଯାଇଥିଲା। ବିଜେପି ଆମ ସମ୍ବିଧାନ, ଭାଷା ଓ ସଂସ୍କୃତିକୁ ନଷ୍ଟ କରୁଛି। କିନ୍ତୁ ନିର୍ବାଚନ ପରେ କିଛି ପରିବର୍ତ୍ତନ ହୋଇଛି। କିଛି ଲୋକ କହିଥିଲେ ଯେ ସେମାନେ ଆଉ ଭୟଭୀତ ଅନୁଭବ କରନ୍ତି ନାହିଁ, ଭୟ ବର୍ତ୍ତମାନ ଦୂର ହୋଇଯାଇଛି। ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଛୋଟ ବ୍ୟବସାୟ ଉପରେ ଏଜେନ୍ସିଗୁଡ଼ିକର ଏତେ ଭୟ ଏବଂ ଚାପ ବିସ୍ତାର କରିଥିଲେ ଯେ ତାହା କ୍ଷଣକେ ଲୋପ ପାଇଗଲା। ଏହି ଭୟ ବିସ୍ତାର କରିବାକୁ ସେମାନଙ୍କୁ ବର୍ଷ ବର୍ଷ ଲାଗିଥିଲା।

ଗତ ଲୋକସଭା ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରି ପାରି ନଥିବା ବିଷୟ ଦର୍ଶାଇ ରାହୁଲ କହିଛନ୍ତି ନିର୍ବାଚନ ପରେ ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିକୁ ଭୟ କରିବା ଛାଡ଼ି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, ‘ସଂସଦରେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଦେଖୁଛି ଏବଂ ମୁଁ ଏହା କହିପାରିବି ଯେ ମୋଦୀଙ୍କ ଧାରଣା ଥିଲା ୫୬ ଇଞ୍ଚ ଛାତି, ଯାହା ଭଗବାନଙ୍କ ସହ ସିଧାସଳଖ ସଂଯୋଗ। କିନ୍ତୁ ଏସବୁ ଏବେ ସମାପ୍ତ ହୋଇଛି। ବର୍ତ୍ତମାନ ୫୬ ଇଞ୍ଚ ଛାତି ଇତିହାସ ପାଲଟିଛି। ବିଜେପି ଏବଂ ଆରଏସଏସର ଭୁଲ ଧାରଣା ହେଉଛି ଯେ ସେମାନେ ଭାବନ୍ତି ଭାରତ ବିଭିନ୍ନ ଜିନିଷର ସମୁହ ଅଟେ। ମୁଁ ପ୍ରକୃତରେ ନରେନ୍ଦ୍ର ମୋଦୀଙ୍କୁ ଘୃଣା କରେ ନାହିଁ, କିନ୍ତୁ ମୁଁ ତାଙ୍କ ଦୃଷ୍ଟିକୋଣ ସହିତ ସହମତ ନୁହେଁ। ଅନେକ ସମୟରେ ମୁଁ ତାଙ୍କ ପ୍ରତି ସମବେଦନା ଜଣାଉଛି।’

Comments are closed.