Latest Odisha News

BREAKING NEWS

ଏ କ’ଣ କହି ପକାଇଲେ ରାହୁଲ ?

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଥିବା ରାହୁଲ ଗାନ୍ଧିଙ୍କ ଆଉ ଏକ ବିବାଦୀୟ ବୟାନ । ବିଜେପି ଓ ଆରଏଏସକୁ ଜୋରଦାର ଟାର୍ଗେଟ କଲା ପରେ ଏବେ ଶିଖ୍ ସଂପ୍ରଦାୟ ନେଇ ବିବାଦୀୟ ବୟାନ ଦେଇଛନ୍ତି, ଯାହା କି ବିଜେପିକୁ କ୍ଷୁବ୍ଧ କରିଛି । ଭାରତରେ ଶିଖ୍ ବିରୋଧୀ କାର୍ଯ୍ୟକଳାପ ହେଉଛି ବୋଲି ରାହୁଲ ଗାନ୍ଧିଙ୍କ ଅଭିଯୋଗ ପରେ ବିବାଦ ସୃଷ୍ଟି ହୋଇଛି ।

ଭାରତରେ ଶିଖ୍ ସଂପ୍ରଦାୟ ନେଇ କ’ଣ କହିଲେ ରାହୁଲ ?

ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆମେରିକା ଗସ୍ତରେ ଥାଇ ବିଜେପି ଓ ଆରଏସସକୁ ଟାର୍ଗେଟ କରିଛନ୍ତି । ଅନ୍ୟ କିଛି ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି ରାହୁଲ, ଯାହାକୁ ନେଇ ବିଜେପି ଆକ୍ରମଣାତ୍ମକ ପ୍ରତିକ୍ରିୟା ଦେଇଛି । ଏବେ ଆମେରିକାରେ ରାହୁଲଙ୍କ ଆଉ ଏକ ବୟାନ ବିବାଦକୁ ଜନ୍ମ ଦେଇଛି । ରାହୁଲ ଯେମିତି ବୟାନ ଦେଇଛନ୍ତି ନା, ସେଥିରୁ ଜଣାପଡୁଛି ଯେ, ଭାରତରେ ଶିଖ୍ ସଂପ୍ରଦାୟ ବିପଦରେ । ଶିଖ୍ ଅଧିକାରର ଉଲ୍ଲଂଘନ ହେଉଛି । ବିରୋଧୀ ଦଳ ନେତା କହିଥିଲେ ଯେ, ଭାରତରେ ଶିଖମାନଙ୍କୁ ପଗଡି ପିନ୍ଧିବା ଅଧିକାର ଦିଆଯିବ କି ନାହିଁ , ସେଥିପ୍ରତି ସେ ଚିନ୍ତିତ । ଜଣେ ଶିଖ୍‌କୁ ଭାରତରେ କଡା ପିନ୍ଧିବାକୁ ଅନୁମତି ମିଳିବ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧି । ଜଣେ ଶିଖ୍ ଗୁରୁଦ୍ୱାରା ଯିବାକୁ ସକ୍ଷମ ହେବ କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ରାଜନୀତି ପାଇଁ ନୁହେଁ , ବରଂ ଅଧିକାର ପାଇଁ ଲଢେଇ ହେଉଛି ବୋଲି ଭର୍ଜିନିଆରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ବିରୋଧୀ ଦଳ ନେତା ।

୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମନେ ପକାଇଲା ବିଜେପି

ଭାରତରେ ଶିଖ୍ ଅଧିକାର ନେଇ ବିବାଦୀୟ ବୟାନ ପରେ ରାହୁଲଙ୍କୁ ଘେରିଛି ବିଜେପି । ମନେପକାଇ ଦେଇଛି ୧୯୮୪ ଶିଖ୍ ବିରୋଧୀ ଦଙ୍ଗା । ଶିଖ୍ ଅଧିକାର ନେଇ ଦେଇଥିବା ବୟାନ ଦୋହରାଇବା ପାଇଁ ରାହୁଲଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ବିଜେପି ମୁଖପାତ୍ର ଆର.ପି ସିଂହ । ପୁଣି ଥରେ ବିବାଦୀୟ ବୟାନ ଦେଲେ ରାହୁଲଙ୍କୁ କୋର୍ଟକୁ ଟଣାଯିବ ବୋଲି ଚେତାବନୀ ଦେଇଛନ୍ତି । କଂଗ୍ରେସ ଦଳର ଶାସନ କାଳରେ ହିଁ ୧୯୮୪ ଦଙ୍ଗାରେ ଦିଲ୍ଲୀରେ ୩ ହଜାର ଶିଖଙ୍କୁ ହତ୍ୟା କରାଯାଇଥିଲା । ଶିଖମାନଙ୍କ ନରସଂହାର କରାଯାଇଥିଲା । ସେମାନଙ୍କ ପଗଡି କାଡି ଦିଆଯାଇଥିଲା । ଜବରଦସ୍ତ ବାଳ ଓ ଦାଢି କାଟିଦିଆଯାଇଥିଲା । କିନ୍ତୁ କଂଗ୍ରେସ ଶାସନରେ ହିଁ ଏସବୁ ହୋଇଥିଲା ବୋଲି ରାହୁଲ କହୁନାହାନ୍ତି  ବୋଲି ଆରପି ସିଂହ କହିଛନ୍ତି । ଏନଡିଏ ସରକାରରେ ଶିଖ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ରାହୁଲଙ୍କ ଶିଖ୍ ଅଧିକାର ମନ୍ତବ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆମେରିକାରେ ଶିଖ୍ ସଂପ୍ରଦାୟଙ୍କ ଆଗରେ ରାହୁଲ ବିପଜ୍ଜନକ ଓ ମିଛ କଥା କହୁଛନ୍ତି । ବିରୋଧୀ ଦଳ ନେତା ଭାବେ ରାହୁଲ ବିଦେଶରେ ଭାରତ ସରକାରଙ୍କୁ ସମାଲୋଚନା କରି ଏକ ଭୁଲ ଉଦାହରଣ ସୃଷ୍ଟି କରୁଛନ୍ତି ବୋଲି ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ।

ଆରଏସଏସ, ବିଜେପିକୁ ଟାର୍ଗେଟ, ଚୀନକୁ ପ୍ରଶଂସା

ଲଗାତର ଦ୍ୱିତୀୟ ଦିନ ପାଇଁ ରାହୁଲ ଗାନ୍ଧି ବିଜେପି ଓ ମୋଦି ସରକାର ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି । ପୂର୍ବରୁ ରାହୁଲ ଆରଏଏସ ଓ ବିଜେପିକୁ ଜୋରଦାର ଟାର୍ଗେଟ କରିଥିଲେ । ଲୋକସଭା ନିର୍ବାଚନ ପରେ ଲୋକଙ୍କ ମନରୁ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ଡର ଦୂର ହୋଇଛି ବୋଲି ଟେକ୍ସାସରେ ଏକ କାର୍ଯ୍ୟକ୍ରମରେ କହିଥିଲେ ରାହୁଲ । ବିଜେପି ସମ୍ବିଧାନ ଉଲ୍ଲଂଘନ କରୁଛି ଓ ଆରଏସଏସ ଭାରତକୁ ଗୋଟିଏ ବିଚାରର ଦେଶ ବୋଲି ମନେ କରୁଛି । କେବଳ ସେତିକି ନୁହେଁ, ରୋଜଗାର ପ୍ରସଙ୍ଗରେ ଚୀନର ପ୍ରଶଂସା କରିଥିଲେ ରାହୁଲ, ଯାହାକୁ ନେଇ ବିଜେପି ତାଙ୍କୁ ଜୋରଦାର ଆକ୍ରମଣ କରିଛି । ବିଦେଶରେ ଭାରତକୁ ଅପମାନିତ କରିବା ରାହୁଲ ଗାନ୍ଧିଙ୍କ ପୁରୁଣା ଅଭ୍ୟାସ  ବୋଲି ବିଜେପି କହିଥିଲା । ଏବେ ରାହୁଲଙ୍କ ଶିଖ୍ ଅଧିକାର ବୟାନରେ ବିଜେପିକୁ ଏକ ମଉକା ମିଳିଯାଇଛି ।

Comments are closed.