ଭୁବନେଶ୍ୱର: ବନ୍ୟପ୍ରାଣୀ ଅପରାଧ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନଭେମ୍ବର ୧୦ ଏବଂ ୧୧ ତାରିଖରେ ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏବଂ ବରଗଡ଼ ଜିଲ୍ଲା ପୋଲିସର ଏକ ମିଳିତ ଅଭିଯାନରେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି।
ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ, ବନ ବିଭାଗ ଓ ପୋଲିସର ପ୍ରାୟ ୭୦ ଜଣିଆ ଏକ ମିଳିତ ଦଳ ଅଭୟାରଣ୍ୟ ସୀମାକୁ ଲାଗି ରହିଥିବା ପାଞ୍ଚଟି ଗାଁରେ ଚଢ଼ାଉ କରିଥିଲେ।
ଏହି ଅଭିଯାନ ସମୟରେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବରଗଡ଼ ଜିଲ୍ଲାର ଦେବ୍ରିଗଡ଼ ସୀମାନ୍ତବର୍ତ୍ତୀ ରାଉତପଡ଼ା ଗାଁର ଘନଶ୍ୟାମ ମିର୍ଦ୍ଧା (୪୦) ଏବଂ ସୁପ୍ରସାଦ ସୁଇ (୪୮)।
ଏହି ସମୟରେ ଦଳ ପକ୍ଷରୁ ପଶୁ ଧରିବା ପାଇଁ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି, ଫାଶ, ୩ କିଲୋଗ୍ରାମ ବିଦ୍ୟୁତ୍ ସଂଯୋଗ ତାର (ହୁକିଂ ୱାୟାର), ୨ କିଲୋଗ୍ରାମ କେବୁଲ୍ ତାର ଏବଂ ପଶୁ ଧରିବା ଜାଲର ଦୁଇଟି ପୁଡ଼ା ଜବତ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ଏହି ସାମଗ୍ରୀଗୁଡ଼ିକ ବନ୍ୟପ୍ରାଣୀଙ୍କ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରେ, କାରଣ ଏଗୁଡ଼ିକ ବନ୍ୟପ୍ରାଣୀଙ୍କୁ ଧରିବା ଏବଂ ବେଆଇନ ଭାବେ ବିଦ୍ୟୁତ୍ ଆଘାତ ଦେଇ ମାରିବା ପାଇଁ ବ୍ୟବହୃତ ହୋଇଥାଏ।
ବନ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଏକ ଚିତାବାଘକୁ ଶିକାର କରିବାକୁ ଯୋଜନା କରୁଥିଲେ ଏବଂ ଏଥିପାଇଁ ଅଭୟାରଣ୍ୟ ଭିତରେ ଫାଶ ବିଛାଇଥିଲେ। ଦେବ୍ରିଗଡ଼ କର୍ତ୍ତୃପକ୍ଷଙ୍କ ଲଖନପୁର ରେଞ୍ଜ୍ ଦଳ ସେମାନଙ୍କୁ ଗିରଫ କରି ନଭେମ୍ବର ୧୧ ତାରିଖରେ କୋର୍ଟ ଚାଲାଣ କରିଛନ୍ତି।
ଅପରପକ୍ଷରେ ଶିକାର ସମ୍ବନ୍ଧୀୟ ନିର୍ଭରଯୋଗ୍ୟ ସୂଚନା ପ୍ରଦାନ କଲେ ଦେବ୍ରିଗଡ଼ କର୍ତ୍ତୃପକ୍ଷ ୧,୦୦୦ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି।
