Latest Odisha News

ପୁଣି ସିବିଆଇକୁ ସୁପ୍ରିମକୋର୍ଟଙ୍କ କଟାକ୍ଷ: କହିଲେ ‘ପଞ୍ଜୁରୀର ଶୁଆ’ ହେବା ଗୁଣ ଛାଡ

ନୂଆଦିଲ୍ଲୀ: ପୁଣି ସିବିଆଇକୁ କଟାକ୍ଷ କରି କହିଲେ ସୁପ୍ରିମକୋର୍ଟ । ୧୧ ବର୍ଷ ପରେ ସିବିଆଇକୁ ମନେପକାଇଦେଲେ ପଞ୍ଜୁରୀ ଭିତରେ ଶୁଆ ପ୍ରସଙ୍ଗ । କହିଲେ ‘ପଞ୍ଜୁରୀ ଭିତରେ ଶୁଆ’ ଗୁଣ ଛାଡ ।

ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜମାନତ ଉପରେ ଶୁଣାଣି କରି ଜଷ୍ଟିସ ଉଜ୍ଜଲ ଭୂଆଁ କହିଛନ୍ତି, ‘ସିବିଆଇ ଦେଶର ପ୍ରମୁଖ ଯାଞ୍ଚ ଏଜେନ୍ସି । ତେଣୁ ସବୁବେଳେ ଜାତି, ଧର୍ମ, ବର୍ଗ ଓ ରାଜନୈତିକ ଦଳ ନିର୍ବିଶେଷରେ ଏଜେନ୍ସି ଉପରେ ରହିବା ଆବଶ୍ୟକ । ସ୍ବାଧୀନ ଓ ନିରପେକ୍ଷ ମନୋଭାବ ରଖିବା ଉଚିତ । ଆଉ ସିବିଆଇ ମୁକ୍ତ ଶୁଆ ହେବା ଆବଶ୍ୟକ । ଯେକୌଣସି ବି ଘଟଣାରେ ଯାଞ୍ଚ ଓ ଗିରଫଦାରୀରେ ନିଷ୍ପକ୍ଷ ହେବା ଉଚିତ । ପୂର୍ବରୁ ମଧ୍ୟ ସିବିଆଇକୁ କୋର୍ଟ ପଞ୍ଜୁରୀ ଭିତର ଶୁଆ ଆଖ୍ୟା ଦେଇସାରିଛି । ତେଣୁ ଏବେ ସମୟ ଆସିଛି ଏଜେନ୍ସିକୁ ଏଭଳି ଆଖ୍ୟା ଠାରୁ ବଞ୍ଚିତ ରଖିବା ଆବଶ୍ୟକ ।’

ତେବେ କହିରଖୁଛୁ, ୨୦୧୩ରେ ମଧ୍ୟ କୋଇଲା ଦୁର୍ନୀତି ମାମଲାରେ ସିବିଆଇ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ ତତ୍କାଳୀନ ସୁପ୍ରିମକୋର୍ଟ ଜର୍ଜ ଜଷ୍ଟିସ ଆରଏମ ଲୋଧା । ସେ ସିବିଆଇକୁ ପଞ୍ଜୁରୀର ଶୁଆ କହିଥିଲେ, ଯିଏ କି ତାର ମାଲିକର ଭାଷା କହୁଛି । ଏହା ଏକ ସ୍ବାଧୀନ ସଂସ୍ଥା, ଆଉ ତାର ସ୍ବାଧୀନତା ବଜାୟ ରଖିବା ଉଚିତ୍ ବୋଲି ତାଗିଦ୍ କରି କହିଥିଲେ କୋର୍ଟ । ଯାହାକୁ ନେଇ ସେତେବେଳେ ସମାଲୋଚନା କରିଥିଲେ ବିରୋଧୀ ।

ଆଉ ବର୍ତ୍ତମାନ ମଧ୍ୟ ବିରୋଧୀ ସିବିଆଇ ଆଉ ଇଡିକୁ ଜୋରଦାର କଡା ଆକ୍ରମଣ କରୁଛନ୍ତି । ଇଡି ଓ ସିବିଆଇ ବିଜେପି ସରକାରଙ୍କ ଭାଷା କହୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି । ୨୦୧୪ରେ ବିଜେପି ସରକାରକୁ ଆସିଲା ପରେ ଏହି ଏଜେନ୍ସିମାନଙ୍କୁ ଅପବ୍ୟବହାର କରୁଛି ବୋଲି କଂଗ୍ରେସ ଅନ୍ୟ ବିରୋଧୀ ଦଳ ସ୍ବର ଶାଣିତ କରିଛନ୍ତି । ଯିଏ ବିଜେପି ଭାଷା କହୁଛନ୍ତି, ଆଉ କେବଳ ବିରୋଧୀଙ୍କ ବିରୋଧରେ ସ୍ବର ଉଠାଉଛନ୍ତି ବୋଲି କହି ସମାଲୋଚନା କରିଆସୁଛନ୍ତି ବିରୋଧୀ । ଆଉ ଗତକାଲି ଏହାକୁ ନେଇ ସୁପ୍ରମିକୋର୍ଟ ମଧ୍ୟ ସିବିଆଇକୁ କଡା କଟାକ୍ଷ କରିଛନ୍ତି । ସୁଧୁରିଯିବାକୁ ପରାମର୍ଶ ବି ଦେଇଛନ୍ତି ।

ସେପଟେ ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣି ପରେ ରାଜନୀତି ବି ଆରମ୍ଭ ହୋଇଯାଇଛି ।  ଏହାକୁ ନେଇ ଆପ ନେତା ମନିଷ ସିସୋଦିଆ କହିଛନ୍ତି, ବିଜେପି ସିବିଆଇକୁ ଶୁଆ ଭଳି ବ୍ୟବହାର କରିଛି । ଏଥିପାଇଁ ବିଜେପିକୁ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍ ।

ସୂଚନାଯୋଗ୍ୟ, ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଇଡି ଗିରଫଦାରୀ ଉପରେ ଜୁଲାଇ ୧୨ରେ ଜାମିନ ମିଳିଥିଲା ବେଳେ ଗତକାଲି ସିବିଆଇ ଗିରଫଦାରୀରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରମିକୋର୍ଟ । ତେବେ ଜେଲରୁ ବାହାରିଲେ ମଧ୍ୟ କେଜ୍ରିଓ୍ବାଲଙ୍କ କିଛି କାର୍ଯ୍ୟ ଉପରେ କିଛି ସର୍ତ୍ତ ରଖିଛନ୍ତି ସୁପ୍ରମିକୋର୍ଟ । ଜେଲରୁ ବାହାରିବା ପରେ ବର୍ତ୍ତମାନ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ସେପରି ଜରୁରୀ କାଳୀନ ନହୋଇଥିଲେ କୌଣସି ଫାଇଲରେ ଦସ୍ତଖତ କରିପାରିବେ ନାହିଁ କି ସିଏମଓକୁ ବି ଯାଇପାରିବେ ନାହିଁ । ଏଥିସହିତ ଏହି ଜାମିନ ମାମଲାରେ ସେ ବାହାରେ କୌଣସି ମନ୍ତବ୍ୟ ମଧ୍ୟ ଦେଇପାରିବେ ନାହିଁ । କୌଣସି ସାକ୍ଷୀ ସହ କୌଣସି ପ୍ରକାର କଥାବାର୍ତ୍ତା ମଧ୍ୟ କରିବେ ନାହିଁ । ଦରକାର ପଡିଲେ ଟ୍ରାଏଲ କୋର୍ଟରେ ହାଜର ହୋଇ ଯାଞ୍ଚରେ ସହଯୋଗ କରିବେ କେଜ୍ରିଓ୍ବାଲ ।

ସେପଟେ ଜାମିନ ଣୁଣାଣିର ଦିନକ ପରେ ଆଜି ଘର ବାହୁଡିଛନ୍ତି କେଜ୍ରିଓ୍ବାଲ । ଦିଲ୍ଲୀ ଓ ଆପ ନେତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ବଡ ରାଲି ସହ କେଜ୍ରିଓ୍ବାଲଙ୍କୁ ସ୍ବାଗତ କରିଛନ୍ତି ଆପ ନେତା ଓ ସମର୍ଥକ । ଏହାପରେ ମୁଖ୍ୟମନ୍ତ୍ରୀ ସିଧା କନୌତ ସ୍ଥିତ ହନୁମାନ ମନ୍ଦିର ଯାଇ ପ୍ରଭୁଙ୍କୁ ଦର୍ଶନ କରି ତାଙ୍କ ଆଶିଷ ଲୋଡିଛନ୍ତି ।

Comments are closed.