Latest Odisha News

BREAKING NEWS

ଚୀନ୍ ପାଇଁ ପେନସନ୍ ଟେନସନ୍, ବଢାଇଲା ଅବସର ବୟସ

ବେଜିଂ: ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚୀନ୍ ଏବେ ଏକ ନୂଆ ସଂକଟ ଦେଇ ଗତି କରୁଛି । ଜନସଂଖ୍ୟାରେ ଏକ ବଡ ଭାଗ ବୁଢା ହେବାରେ ଲାଗିଛନ୍ତି । ମାନେ କମ୍ୟୁନିଷ୍ଟ ଚୀନରେ ବଢି ଚାଲିଛି ବୟସ୍କ ଲୋକଙ୍କ ସଂଖ୍ୟା । ଆଉ ଏହା ଦେଶର ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିଛି । ଯୁବ ୱାର୍କଫୋର୍ସ ସଂଖ୍ୟା କମ୍ ଥିବାରୁ ଚୀନ୍ ପାଇଁ ଚିନ୍ତାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଚୀନ ଏବେ ଚାକିରିଆଙ୍କ ଅବସର ବୟସ ସୀମା ବଢାଇବାକୁ ନିଷ୍ପତ୍ତି ନେଇଛି । ଚୀନ କମ୍ୟୁନିଷ୍ଟ ପାର୍ଟିର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ଅବସର ବୟସ ସୀମା ବୃଦ୍ଧି ପ୍ରସ୍ତାବରେ ମାରିଛି ମୋହର । ୧୯୫୦ ଦଶକ ପରେ ପରେ ପ୍ରଥମ ଥର ପାଇଁ ଚାକିରିଆଙ୍କ ଅବସର ବୟସ ବୃଦ୍ଧି କରିଛି ଚୀନ୍ ।

୨୦୨୫ ଜାନୁଆରୀରୁ ଲାଗୁ ହେବ ଯୋଜନା 

ଚୀନର ସରକାରୀ ମିଡିଆ ଜିନହୁଆ ଅନୁସାରେ ୨୦୨୫ ଜାନୁଆରୀ ପହିଲାରୁ ଲାଗୁ ହେବ ନୂଆ ଅବସର ନୀତି । ପରବର୍ତ୍ତୀ ୧୫ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ଅବସର ବୟସ ସୀମା ବୃଦ୍ଧି କରାଯିବ । ପୁରୁଷମାନଙ୍କ ପାଇଁ ଅବସର ବୟସ ୬୦ରୁ ୬୩ କରାଯିବ । ମହିଳାଙ୍କ ପାଇଁ ସେବାନିବୃତ୍ତି ଆୟୁ ସେମାନଙ୍କ ଭୂମିକା ଭିତ୍ତିରେ ୫୫ ଓ ୫୮ ବର୍ଷକୁ ବୃଦ୍ଧି କରାଯିବ । ବର୍ତ୍ତମାନ ଚୀନରେ ଅବସର ବୟସ ପୁରୁଷଙ୍କ ପାଇଁ ୬୦ ଓ ବ୍ଲୁ କଲାର ମହିଳାଙ୍କ ୫୦ ବର୍ଷ ରହିଛି । ହ୍ୱାଇଟ କଲାର ଚାକିରିଆଙ୍କ କ୍ଷେତ୍ରରେ ଅବସର ବୟସ ୫୫ ବର୍ଷ ରହିଛି । ଚୀନରେ ବର୍ତ୍ତମାନ ଅବସର ବୟସ ପ୍ରମୁଖ ଅର୍ଥନୀତିଙ୍କ ମଧ୍ୟରେ ସବୁଠୁ କମ୍ ।

ଚୀନରେ ଦ୍ରୁତଗତିରେ ହ୍ରାସ ପାଉଛି ଜନ୍ମହାର

ଚୀନର ୱାର୍କଫୋର୍ସ ପାଇଁ ଯୁବକଙ୍କ ସଂଖ୍ୟା ଅଭାବ ରହୁଛି । ଗତ କିଛି ବର୍ଷ ଧରି ଜନ୍ମ ହାର ଦ୍ରୁତଗତିରେ ହ୍ରାସ ପାଇଥିବାରୁ ଏଭଳି ପରିସ୍ଥିତିର ସାମନା କରୁଛି ଚୀନ୍ । କାମ କରିପାରୁଥିବା ଲୋକଙ୍କ ସଂଖ୍ୟା କମ୍ ହେବାରେ ଲାଗିଛି । ତେଣୁ ଅବସର ବୟସ ବୃଦ୍ଧି କରାଯିବ ।

ବଢିଚାଲିଛି ପେନସନ ବାବଦ ଖର୍ଚ୍ଚ

ଚୀନ୍ ପେନସନ ବିକାଶ ରିପୋର୍ଟରେ କୁହାଯାଇଥିଲା ଯେ, ରିଟାୟରମେଂଟ ଆୟୁ ଅତିକମରେ ୬୫ ବର୍ଷ ହେବା ଦରକାର । ପୁରୁଷ ଓ ମହିଳା ଉଭୟଙ୍କ ପାଇଁ ଏହି ବୟସ ସମାନ ହେବା ଦରକାର । ବରିଷ୍ଠଙ୍କ ସଂଖ୍ୟା ବଢୁଥିବାରୁ ସେମାନଙ୍କ ପେନସନ ପିଚ୍ଛା ଅଧିକ ଖର୍ଚ୍ଚ ହେଉଛି, ଯାହା କି ସରକାରଙ୍କ ପାଇଁ ଆଉ ଏକ ମୁଣ୍ଡବିନ୍ଧାର କାରଣ । ଚୀନ୍ ପେନସନଭୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢିଚାଲିଛି । ଯେଉଁ ଗତିରେ ପେନସନଭୋଗୀଙ୍କ ସଂଖ୍ୟା ବଢିଚାଲିଛି ନା, ୨୦୩୫ ସୁଦ୍ଧା ସରକାରୀ ପେନସନ ପାଣ୍ଠିରେ ପଇସା ଶେଷ ହୋଇଯିବ ବୋଲି ସରକାରୀ ଚାଇନିଜ୍ ଏକାଡେମୀ ଅଫ୍ ସୋସିଆଲ ସାଇନ୍ସ ରିପୋର୍ଟରେ କୁହାଯାଇଛି ।

ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି ଚୀନ୍‌

ଚୀନ୍ ଏବେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି । ଆର୍ଥିକ ସ୍ଥିତି ଆଗର ପରି ଭଲ ନାହିଁ । ଏଣେ ଲଗାତର ଦ୍ୱିତୀୟ ବର୍ଷ ଜନ୍ମ ଦର କମିଛି । ତେଣୁ ପଡୋଶୀ ଦେଶ ଚିନ୍ତାରେ । ତେବେ, ଅବସର ବୟସ ବଢାଇବା ପାଇଁ ସରକାରଙ୍କ ନିଷ୍ପତ୍ତିରେ ଲୋକେ ଖୁସି ନୁହନ୍ତି ।

 

 

Comments are closed.