Latest Odisha News

BREAKING NEWS

ଯୁବଶକ୍ତି ହେଉଛି ଦେଶର ସବୁଠୁ ବଡ଼ ଶକ୍ତି: ରାଜ୍ୟପାଳ

ଭୁବନେଶ୍ୱର: ଯୁବଶକ୍ତି ହେଉଛି ଦେଶର ସବୁଠୁ ବଡ଼ ଶକ୍ତି। ଆଜି କିଟ୍‍ ବିଶ୍ୱବିଦ୍ୟାଳୟର ବିଂଶତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ରାଜ୍ୟପାଳ ରଘୁବର ଦାସ।

ଯୁବଶକ୍ତି ହେଉଛି ଭବିଷ୍ୟତର ମୂଳଦୁଆ। ଏହି ଯୁବଉର୍ଜା, ଉତ୍ସାହ ଓ ନବସର୍ଜନା ସହ ଭାରତ ଆଜି ବିଶ୍ୱରେ ସଫଳତାର କାହାଣୀ ଲେଖିଚାଲିଛି। ଭାରତର ଯୁବଶକ୍ତି ହେଉଛନ୍ତି ପରିବର୍ତ୍ତନ ବାହକ। ଏକ ସମୃଦ୍ଧ ଭାରତ ଗଠନରେ ଯୁବଶକ୍ତିଙ୍କ ଅଗ୍ରଣୀ ଭୂମିକା ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ ରାଜ୍ୟପାଳ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସଫଳତା ସମାଜର ଅନ୍ୟମାନଙ୍କୁ ଉପରକୁ ଉଠାଇବା ସହ ସମାଜରେ ସାର୍ଥକ ପରିବର୍ତ୍ତନରେ ନିହିତ ରହିଛି। ଏହାକୁ ପ୍ରଥମେ ନିଜ ପରିବାର ଓ ସମାଜରୁ ଆରମ୍ଭ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବାସ୍ତବିକ ଜୀବନରେ ପାଦ ଦେବାବେଳେ ସମାଜର ସବୁଠାରୁ ଗରିବ, ନିଷ୍ପେସିତ ଓ ଅବହେଳିତ ଲୋକଙ୍କ କଥା ଚିନ୍ତା କରି ସେମାନଙ୍କୁ ସାହାଯ୍ୟ କରିବା। ଜୀବନରେ ଯେତେ ଉପରକୁ ଗଲେ ମଧ୍ୟ ନିଜର ମୂଲ୍ୟବୋଧକୁ ଭୁଲିଯିବା ଉଚିତ୍‍ ନୁହେଁ ବୋଲି ସେ କହିଥିଲେ।

ଆଭାସୀ ମାଧ୍ୟମରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ୟୁକ୍ରେନ୍‍ର ଶାନ୍ତି ନୋବେଲ୍‍ ବିଜେତା ଓଲେକ୍‍ସାଣ୍ଡ୍ରା ମାତ୍‍ଭିଚକ୍‍ କହିଛନ୍ତି, ଖୁବ୍‍ ଅଳ୍ପ ସମୟ ମଧ୍ୟରେ କିଟ୍‍ ଭାରତ ତଥା ବିଶ୍ୱର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବେ ପ୍ରସିଦ୍ଧି ଲାଭ କରିପାରିଛି। ଏଭଳି ଏକ ଶିକ୍ଷାନୁଷ୍ଠାନ ଗଢ଼ିବା ଏବଂ ଅସମାନତା ଦୂର କରିବା କ୍ଷେତ୍ରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ପ୍ରଶଂସନୀୟ। ଜଣେ ସାଧାରଣ ଲୋକ ସମାଜରେ ସୁଦୂରପ୍ରସାରୀ ପ୍ରଭାବ ପକାଇବା ସହ ଅସାଧାରଣ କାମ କରିପାରେ ବୋଲି ଏଥିରୁ ପ୍ରମାଣିତ ବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ନିମନ୍ତେ ହାଇଦ୍ରାବାଦ୍‍ସ୍ଥିତ ଏସିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଆଣ୍ଡ ଏଆଇଜି ହସ୍‍ପିଟାଲ୍‍ର ଅଧ୍ୟକ୍ଷ ଡ. ଡି. ନାଗେଶ୍ୱର ରେଡ୍ଡୀ, ଆଧ୍ୟାତ୍ମିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଶିଷ୍ଟ ଆଧ୍ୟାତ୍ମିକ ଚିନ୍ତକ ଡ. ଚନ୍ଦ୍ରଭାନୁ ଶତପଥୀ, ଟେକ୍ନୋଲୋଜି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପୁନେସ୍ଥିତ କେପିଆଟି ଟେକ୍ନୋଲୋଜିର ସହ-ପ୍ରତିଷ୍ଠାତା କିଶୋର ପାଟିଲ୍‍ ଏବଂ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଓଡ଼ିଶା ଆଥଲେଟିକ୍‍ ସଂଘ ଓ ଓଡ଼ିଶା ଫୁଟବଲ୍‍ ସଙ୍ଘର ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା।

ସେହିପରି ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ଅଶୋକ ପରିଜା ନିଜ ସଭାପତିତ୍ୱ ଅଭିଭାଷଣରେ ଦୂରଦୃଷ୍ଟି, କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ମନୋଭାବର ପ୍ରତୀକ ହେଉଛି କିଟ୍‍ ବିଶ୍ୱବିଦ୍ୟାଳୟ ବୋଲି କହିଥିଲେ। କୁଳପତି ପ୍ରଫେସର ଶରଣଜିତ ସିଂହ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଚଳିତ ବର୍ଷ ମୋଟ ୭୨୮୩ ଛାତ୍ରଛାତ୍ରୀ ଡିଗ୍ରୀ ପାଇଥିବା ବେଳେ ୫୪୫୫ ଜଣଙ୍କୁ ସ୍ନାତକ, ୧୫୯୭ ଜଣଙ୍କୁ ସ୍ନାତକୋତ୍ତର ଓ ୧୮୬ ଜଣଙ୍କୁ ପିଏଚ୍‍ଡି ଡିଗ୍ରୀ ପ୍ରଦାନ କରାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ହାସଲ କରିଥିବା ୫୯ଜଣ ଛାତ୍ରଛାତ୍ରୀଙ୍କୁ ପଦକ ପ୍ରଦାନ କରାଯାଇଥିଲା। ୩ଜଣଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ, ୨୬ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ, ୨୭ଜଣଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା। ସେହିପରି ନନିବାଳା ସ୍ମୃତି ସ୍ୱର୍ଣ୍ଣ ପଦକ, ପି. କେ. ବଳ ସ୍ମୃତି ସ୍ୱର୍ଣ୍ଣ ପଦକଳ ପିପିଏଲ୍‍ ସ୍ୱର୍ଣ୍ଣ ପଦକ ମଧ୍ୟ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ର ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ୍‍ ଦାଶ, ପ୍ରାକ୍ତନ କୁଳାଧିପତି ପ୍ରଫେସର ଏନ୍‍ ଏଲ୍‍ ମିତ୍ର, ପ୍ରଫେସର ବେଦ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.