Latest Odisha News

ଓଡିଶାରେ ଗଡିଲା ଆଉ ୨ଟି ବନ୍ଦେ ଭାରତ ରେଳ

ବ୍ରହ୍ମପୁର: ଓଡିଶା ବ୍ରହ୍ମପୁର ଓ ରାଉଲକେଲାରୁ ଗଡିଲା ଆଉ ୨ଟି ବନ୍ଦେ ଭାରତ ରେଳ । ବ୍ରହ୍ମପୁର ରେଳ ଷ୍ଟେସନରୁ ବ୍ରହ୍ମପୁର-ଟାଟାନଗରକୁ ବନ୍ଦେ ଭାରତ ଏକ୍ସପ୍ରେସ ଗଡିଛି । ସେହିପରି ରାଉଲକେଲାରୁ ହାଓ୍ବଡା ଅଭିମୁଖେ ମଧ୍ୟ ଗଡିଛି ବନ୍ଦେ ଭାରତ ଟ୍ରେନ୍ । ଏନେଇ ଭିଡିଓ କନଫରେନ୍ସ ମାଧ୍ୟମରେ ଟ୍ରେନ୍ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପ୍ରଥମେ ଟାଟାନଗର-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ ଭର୍ଚୁଆଲ ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ପରେ ପରେ ଆଉ ୫ଟି ସମେତ ମୋଟ ୬ଟି ବନ୍ଦେ ଭାରତ ଟ୍ରେନର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାମନ୍ତ୍ରୀ ମୋଦି । ତେବେ ଆଜି ଦୁଇଟି ବନ୍ଦେ ଭାରତ ଟ୍ରେନ ଓଡିଶାରେ ଗଡିଥିବା ବେଳେ ୧୬ ତାରିଖରେ ଅର୍ଥାତ୍ ଆସନ୍ତାକାଲି ରାୟପୁର(ଦୁର୍ଗ)-ବିଶାଖାପାଟଣା ବନ୍ଦେ ଭାରତ ଶୁଭାରମ୍ଭ କରିବେ ମୋଦି ।

ତେବେ ଆଗରୁ ୩ଟି ବନ୍ଦେ ଭାରତ ରେଳ ଓଡିଶାରେ ଚଳାଚଳ ହେଉଥିବା ବେଳେ ଏବେ ଆଉ ୩ଟି ସମେତ ମୋଟ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଓଡିଶାରେ ଗଡିବ । ଆସନ୍ତାକାଲି ଟିଟିଲାଗଡ଼ ଦେଇ ଯିବାକୁ ଥିବା ରାୟପୁର(ଦୁର୍ଗ)-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସକୁ  ଅହମ୍ମଦାବାଦରୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହିଭପରି ଭାବେ ଦୁଇ ଦିନରେ ମୋଟ ୩ଟି ବନ୍ଦେ ଭାରତ ଓଡିଶାକୁ ମିଳିବ ।

ଅନ୍ୟପକ୍ଷରେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଉପସ୍ଥିତ ରହିଥିବା ବେଳେ ରାଜ୍ୟପାଳ ରଘୁବର ଦାସ ରାଉରକେଲାରେ ଉପସ୍ଥିତ ରହିଥିଲେ । ପରେ ମୁଖ୍ୟମନ୍ତ୍ରୀ ଉକ୍ତ ଟ୍ରେନ୍‌ରେ ଭୁବନେଶ୍ୱର ପର୍ଯ୍ୟନ୍ତ ଯାତ୍ରା କରିବେ ।

ଏଥିସହିତ ରବିବାର ବନ୍ଦେ ଭାରତ ଲୋକାର୍ପଣ ଉତ୍ସବ ବାଲୁଗାଁ, ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଯଖପୁରା,  ହରିଚନ୍ଦନପୁର ଓ କେନ୍ଦୁଝରଗଡ଼ରେ ମଧ୍ୟ ଅନୁଷ୍ଠିତ  ହେବ । ଭୁବନେଶ୍ୱରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ  ସିଂହଦେଓ, ଖୋର୍ଦ୍ଧା ରୋଡ୍‌ରେ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ  ପରିଡ଼ା, ବାଲୁଗାଁରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,  ଜଖପୁରାରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ  ଉପସ୍ଥିତ ରହିବେ । ଅନ୍ୟ ସମସ୍ତ ଷ୍ଟେସନରେ ସ୍ଥାନୀୟ  ସାଂସଦ ଓ ବିଧାୟକମାନେ ଯୋଗଦେବେ ବୋଲି ପୂର୍ବତଟ  ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଏ.କେ. ମିଶ୍ର  ସୂଚନା ଦେଇଛନ୍ତି ।

Comments are closed.