Latest Odisha News

ମନାଇ ପାରିଲେନି ମମତା

କୋଲକାତା: ଜାରି ରହିଛି ଅଚଳାବସ୍ଥା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଲୋଚନା ପାଇଁ ଅନୁରୋଧ ସତ୍ତ୍ୱେ ପ୍ରତିବାଦ ଜାରି ରଖିଛନ୍ତି ଜୁନିଅର ଡାକ୍ତର । ଦୁଷ୍କର୍ମ ଓ ହତ୍ୟାର ଶୀକାର ୩୧ ବର୍ଷିୟା ଜୁନିଅର ମହିଳା ଡାକ୍ତରଙ୍କୁ ନ୍ୟାୟ ଦାବିରେ ଜାରି ରହିଛି ଆନ୍ଦୋଳନ । ମନାଇବା ପାଇଁ ମମତାଙ୍କୁ ସବୁ ଉଦ୍ୟମ ବିଫଳ । ଆଗ ନ୍ୟାୟ, ପଛେ ଚା’ ପାନ ବୋଲି ଜୁନିଅର ଡାକ୍ତରମାନେ କହିଛନ୍ତି । ପୀଡିତାଙ୍କୁ ନ୍ୟାୟ ମିଳିବା ଯାଏଁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିବ ।

ଆଗ ନ୍ୟାୟ, ପରେ ଚା’
କୋଲକାତା ଆରଜି କର ମେଡିକାଲ କଲେଜ ଓ ହସପିଟାଲର ଜୁନିଅର ଡାକ୍ତରମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । ଏଣେ ରାଜ୍ୟ ସ୍ୱାସ୍ଥ୍ୟ ଭବନ ଆଗରେ ଡାକ୍ତରମାନଙ୍କ ଧାରଣ। ଷଷ୍ଠ ଦିନରେ ପହଂଚିଛି । ମୁଖ୍ୟମନ୍ତ୍ରୀଙ୍କ ସହ ଶନିବାର ଆଲୋଚନା ପାଇଁ ଜୁନିଅର ଡାକ୍ତରମାନଙ୍କ ଏକ ପ୍ରତିନିଧି ଦଳ ଯାଇଥିଲେ । କିନ୍ତୁ ଆଲୋଚନା ହୋଇପାରିନାହିଁ । କାଳିଘାଟରେ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ କଥାବାର୍ତ୍ତା ପାଇଁ ଜୁନିଅର ଡାକ୍ତରମାନଙ୍କୁ ଡକାଯାଇଥିଲା । କିନ୍ତୁ ଆଲୋଚନାର ଭିଡିଓ ରେକର୍ଡିଂ ପାଇଁ କୌଣସି ବ୍ୟବସ୍ଥା ନଥିଲା । କଥାବାର୍ତ୍ତାର ଭିଡିଓ ରେକର୍ଡିଂ ଓ ପରେ ଏହା ଡାକ୍ତରମାନଙ୍କୁ ପ୍ରଦାନ କରିବା ପାଇଁ ସର୍ତ୍ତରେ ଅଧିକାରୀମାନେ ସମ୍ମତି ପ୍ରକାଶ କରିନଥିଲେ ବୋଲି ଡାକ୍ତରଙ୍କ ପ୍ରତିନିଧିମଣ୍ଡଳର ସଦସ୍ୟ ଡକ୍ଟର ଆକିବ କହିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚା’ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଜୁନିଅର ଡାକ୍ତର । ଆଗ ପୀଡିତାଙ୍କୁ ନ୍ୟାୟ, ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଚା’ ବୋଲି କହିଛନ୍ତି ଜୁନିଅର ଡାକ୍ତର ।

ରେକର୍ଡିଂ ପାଇଁ କଥା ଅଟକିଛି
ଜୁନିଅର ଡାକ୍ତରମାନେ ରାଜ୍ୟ ସରକାରଙ୍କ ସହ ଆଲୋଚନାର ଭିଡିଓ ରେକର୍ଡିଂ ପାଇଁ ପୂର୍ବରୁ ହିଁ ସର୍ତ୍ତ ରଖିଥିଲେ । ହେଲେ ମମତା ସରକାରଙ୍କ କହିବା କଥା ଯେ, ମାମଲା କୋର୍ଟରେ ବିଚାରାଧୀନ ରହିଛି । ତେଣୁ ଭିଡିଓ ରେକର୍ଡିଂ ସମ୍ଭବ ନୁହେଁ । ମମତା ବାନାର୍ଜୀ ଶନିବାର କହିଥିଲେ ଯେ, ମିଟିଂର ଭିଡିଓ ରେକର୍ଡିଂ କରାଯାଇପାରେ । କିନ୍ତୁ କୋର୍ଟ ଅନୁମତି ପରେ ହିଁ ଡାକ୍ତରମାନଙ୍କୁ ରେକର୍ଡିଂ ପ୍ରଦାନ କରାଯିବ । କଥାବାର୍ତ୍ତା ନ ହେଲେ ବି ଚା’ ପିଇବାରୁ ଜୁନିଅର ଡାକ୍ତରଙ୍କ ପ୍ରତିନିଧି ଦଳକୁ ଅନୁରୋଧ କରିଥିଲେ ମମତା । କିନ୍ତୁ ମମତାଙ୍କ ଚା’ ପାନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ଜୁନିଅର ଡାକ୍ତର ।

ପ୍ରମାଣ ନଷ୍ଟ ଅଭିଯୋଗରେ ସନ୍ଦୀପ ଘୋଷ ଗିରଫ

ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ମମତା ବାନାର୍ଜୀଙ୍କ ଚିନ୍ତା ବଢାଇ ଦେଇଛି । ଏଣେ ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରୁଥିବା ସିବିଆଇ ଆରଜି କର ମେଡିକାଲ କଲେଜ ଓ ହସପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି । ପୂର୍ବରୁ ଆର୍ଥିକ ଅନିୟମିତତା ମାମଲାରେ ଗିରଫ ସନ୍ଦୀପ ଘୋଷଙ୍କୁ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରିଛି ସିବିଆଇ । ସନ୍ଦୀପ ଘୋଷଙ୍କ ସହ ଅଭିଜିତ ମଣ୍ଡଳ ନାମକ ଜଣେ ପୋଲିସ ଅଧିକାରୀଙ୍କୁ ମଧ୍ୟ ଗିରଫ କରିଛି ସିବିଆଇ । ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ସନ୍ଦୀପ ଘୋଷଙ୍କ ଗିରଫଦାରି ଜୁନିଅର ଡାକ୍ତରଙ୍କ ଦାବି ମଧ୍ୟରେ ରହିଛି । ସନ୍ଦୀପ ଘୋଷଙ୍କ ଗିରଫଦାରି ସେମାନଙ୍କ ଦାବିର ଯଥାର୍ଥତାକୁ ସୂଚାଉଛି ବୋଲି ଜୁନିଅର ଡାକ୍ତରମାନେ କହିଛନ୍ତି । ଶନିବାର ମମତାଙ୍କ ଘରୁ ଜୁନିଅର ଡାକ୍ତରମାନେ ଖାଲି ହାତରେ ଫେରିଲା ପରେ ସିବିଆଇ ସନ୍ଦୀପ ଓ ପୋଲିସ ଅଫିସରଙ୍କୁ ବାନ୍ଧିଛି ।

 

Comments are closed.