Latest Odisha News

ଫୁଲୁଛି ନଦୀ, ଭୟରେ ଲୋକେ, ଯାତାୟତ ବାଧାପ୍ରାପ୍ତ

ବାଲେଶ୍ଵର: ବିପଦ ସଙ୍କେତ ଉପରେ ଜଳକା ନଦୀ । ବାଲେଶ୍ବର ବସ୍ତା ମଥାନୀଠାରେ ବିପଦ ସଙ୍କେତ ଡେଇଁଲା ଜଳକା । ଜଳକା ନଦୀର ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ଏବେ ୬.୬୭ ମିଟରରେ ଜଳ ପ୍ରବାହିତ ହେଉଛି । ଦୁଇ ଦିନ ହେବ ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ନଦୀ କୂଳିଆଙ୍କୁ ଘାରିଛି ବନ୍ୟା ଆଶଙ୍କା।

ସେପଟେ ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆହୁରି ଦୁଇ ଦିନ ରାଜ୍ୟରେ ବର୍ଷା ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଅନ୍ୟପଟେ ଲଗାଣ ବର୍ଷାରେ ବେହାଲ ହୋଇଛି କେନ୍ଦୁଝର ଜିଲ୍ଲା । କୁମୁଳା ବାହାଳୀ ନିକଟରେ ଥିବା ତେଲ ନଦୀ ପୋଲ ଉପରେ ପ୍ରବାହିତ ହେଉଛି ୩ ଫୁଟର ବନ୍ୟାଜଳ । ଫଳରେ ମୟୁରଭଞ୍ଜ ଓ କେନ୍ଦୁଝର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉପର ମୁଣ୍ଡ ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ତେଲ ନଦୀର ଜଳ ସ୍ତର ବଢିଛି । ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି । ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଛି l

Comments are closed.