Latest Odisha News

୯ ବର୍ଷ ତଳର ‘ୟୁ ଟର୍ଣ୍ଣ’ ପାଇଁ ପୁରସ୍କାର: ଆତିଶୀଙ୍କୁ ସିଏମ୍ ଗାଦି ଦେଲେ କେଜରୀୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ । ଆମ୍ ଆଦମୀ ପାର୍ଟି ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ନୂଆ ନେତା ନିର୍ବାଚିତ କରାଯାଇଛି । ଖୋଦ୍ କେଜରୀୱାଲ ଆତିଶୀଙ୍କ ନାଁର ପ୍ରସ୍ତାବ ରଖିଥିଲେ । ସର୍ବସମ୍ମତି କ୍ରମେ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ଆତିଶୀ । ସୁଷମା ସ୍ୱରାଜ, ଶୀଲା ଦୀକ୍ଷିତଙ୍କ ପରେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ । ଅରବିନ୍ଦ କେଜରୀୱାଲଙ୍କ ବିଶ୍ୱସ୍ତ ଭାବେ  ଆତିଶୀ ଜଣାଶୁଣା । ଆମ ଆଦମୀ ପାର୍ଟି ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ସର୍ବସମ୍ମତ ଭାବେ ନେତା ନିର୍ବାଚିତ କରାଯାଇଛି । ଦୁଇ ଦିନ ପୂର୍ବେ ଅରବିନ୍ଦ କେଜରୀୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡିବେ ବୋଲି ଘୋଷଣା କରିଥିଲେ । ଏହା ପରେ ଆପ୍ ସରକାରର ନେତୃତ୍ୱ କିଏ ନେବ, ସେ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ରେସରେ କୈଳାସ ଗେହଲଟ, ଗୋପାଲ ରାୟ ଓ ସୌରଭ ଭରଦ୍ୱାଜଙ୍କ ସମେତ ଅଧା ଡଜନ ଆପ୍ ନେତା ଥିଲେ । ଶେଷରେ ମନ୍ତ୍ରୀ ଆତିଶୀଙ୍କୁ ନାଁରେ ମୋହର ବାଜିଛି । ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଜନତା ତାଙ୍କୁ ସଚ୍ଚୋଟତାର ସାର୍ଟିଫିକେଟ ଦେଲେ ହିଁ ସେ ପୁଣି ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ବୋଲି ଘୋଷଣା କରିଥିଲେ ଅରବିନ୍ଦ କେଜରୀୱାଲ । ଦଳର ନମ୍ବର ଟୁ ମନୀଷ ସିସୋଦିଆ ମଧ୍ୟ କୌଣସି ମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ ଘୋଷଣା କରିବା ପରେ କେଜରୀୱାଲଙ୍କ ବିଶ୍ୱସ୍ତ ଆତିଶୀ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡୁଥିଲା । ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ କେଜରୀୱାଲଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ । ସଚ୍ଚୋଟତାର ଅଗ୍ନିପରୀକ୍ଷା ପାଇଁ ସେ ପଦ ଛାଡୁଛନ୍ତି ବୋଲି ଘୋଷଣା କରିଥିଲେ କେଜରୀୱାଲ ।

 

ଆତିଶୀ କାହିଁକି କେଜରୀୱାଲଙ୍କ ଉତ୍ତରାଧିକାରୀ ?

 

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ପାଇଁ ଅଧା ଡଜନ ଆପ୍ ନେତା ରେସରେ ଥିଲେ ମଧ୍ୟ କେଜରୀୱାଲ ଆତିଶୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ଏହା ପଛରେ ରହିଛି ଏକାଧିକ କାରଣ । ଆତିଶୀ ଜଣେ ମହିଳା ଓ ତାଙ୍କର ପ୍ରଶାସନିକ ଅଭିଜ୍ଞତା ମଧ୍ୟ ରହିଛି । ମଦ ଦୁର୍ନୀତି ମାମଲାରେ କେଜରୀୱାଲ ଜେଲ୍ ଗଲା ପରେ ଆତିଶୀ ଉଭୟ ସଂଗଠନ ଓ ସରକାର କଥା ଭଲ ଭାବେ ବୁଝିବା ସହ ପାର୍ଟିର ପ୍ରମୁଖ ଚେହେରା ଭାବେ ମୁଣ୍ଡ ଟେକିଥିଲେ । ଶିକ୍ଷା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ କାର୍ଯ୍ୟକୁ ବହୁଳ ଭାବେ ପ୍ରଚାର ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆତିଶୀ ।

 

ଦିନେ ଥିଲେ ବିଦ୍ରୋହୀ, ପରେ ହେଲେ ବିଶ୍ୱସ୍ତ

 

ଆମ୍ ଆଦମୀ ପାର୍ଟିରେ ଖୁବ୍ କମ୍ ସମୟ ମଧ୍ୟରେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିଛନ୍ତି ଆତିଶୀ । ଗତ ଚାରିବର୍ଷ ମଧ୍ୟରେ ବିଧାୟିକା, ମନ୍ତ୍ରୀ ଓ ଏବେ ମୁଖ୍ୟମନ୍ତ୍ରୀ । ୨୦୨୦ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଲଢି ବିଜୟୀ ହୋଇଥଲେ ଆତିଶୀ । ୨୦୨୩ରେ ସେ କେଜରୀୱାଲ ସରକାରରେ ପ୍ରଥମ ଥର ମନ୍ତ୍ରୀ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନ ଲଢି

 

ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କଠାରୁ ପରାସ୍ତ ହୋଇଥିଲେ ଆତିଶୀ । ୨୦୧୫ରେ ଆମ୍ ଆଦମୀ ପାର୍ଟିରେ ବଡ ଧରଣର ବିଦ୍ରୋହ ହୋଇଥିଲା । କେଜରୀୱାଲଙ୍କୁ ବିରୋଧ କରିଥିଲେ ପ୍ରଶାନ୍ତ ଭୂଷଣ ଓ ଯୋଗେନ୍ଦ୍ର ଯାଦବଙ୍କ ଭଳି ଦଳର ବରିଷ୍ଠ ପ୍ରତିଷ୍ଠାତା ସଦସ୍ୟ । ଆତିଶୀ ଯୋଗେନ୍ଦ୍ର ଯାଦବଙ୍କ ନିକଟତମ ହୋଇଥିବାରୁ ତାଙ୍କୁ ଦଳର ମୁଖପାତ୍ର ପଦରୁ ହଟାଇ ଦିଆଯାଇଥିଲା । କିନ୍ତୁ ପରେ ଆତିଶୀ ନେଇଥିଲେ ୟୁ ଟର୍ଣ୍ଣ । ଯୋଗେନ୍ଦ୍ର ଯାଦବଙ୍କ ଶିବିର ଛାଡି କେଜରୀୱାଲଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଥିଲେ । ଆଉ ୯ ବର୍ଷ ପରେ ଆତିଶୀଙ୍କୁ ବିଶ୍ୱସ୍ତ ରହିବାର ସୁଫଳ । ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋସନ । ଏହା କଣ କେଜରୀୱାଲଙ୍କ ପାଇଁ ଆଉ ଏକ ମାଷ୍ଟର ଷ୍ଟ୍ରୋକ୍ ସାବ୍ୟସ୍ତ ହେବ ?

Leave A Reply

Your email address will not be published.