Latest Odisha News

ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରୀ ଅସଦାଚରଣ ଘଟଣା; ଆସୋସିଏଟ ପ୍ରଫେସର ନିଲମ୍ବିତ, ରିପୋର୍ଟ ମାଗିଲେ କୁଳାଧିପତି

ଭୁବନେଶ୍ଵର: ଉତ୍କଳ ବିଶ୍ବବିଦ୍ୟାଳୟ ଘଟଣାକୁ ନେଇ ରିପୋର୍ଟ ମାଗିଲେ କୁଳାଧିପତି । ବିଶ୍ଵବିଦ୍ୟାଳୟରେ ଜଣେ ପିଜି ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଉକ୍ତ ଘଟଣା ସମ୍ବନ୍ଧିତ ତଥ୍ୟ, କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ମାଗିଛନ୍ତି ବିଶ୍ବବିଦ୍ୟାଳୟ କୁଳାଧିପତି । କୁଳପତିଙ୍କୁ ଚିଠି ଲେଖି ରିପୋର୍ଟ ମାଗିଲେ କୁଳାଧିପତିଙ୍କ ଓଏସଡି । ସମ୍ବେଦନଶୀଳ ଘଟଣା ହୋଇଥିବାରୁ ରିପୋର୍ଟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅତି ଗୁରୁତ୍ବପୂର୍ଣ୍ଣ ଭାବେ ବିଚାରକୁ ନେବା ପାଇଁ ଚିଠିରେ ଉଲ୍ଲେଖ ରହିଛି ।

ଅନ୍ୟପଟେ ଉକ୍ତ ଘଟଣାରେ ଉତ୍କଳ ବିଶ୍ଵବିଦ୍ୟାଳୟର ବିଶ୍ଳେଷଣାତ୍ମକ ଏବଂ ପ୍ରୟୋଗାତ୍ମକ ଅର୍ଥନୀତି ବିଭାଗର ଆସୋସିଏଟ ପ୍ରଫେସର ନିଲମ୍ବିତ ହୋଇଛନ୍ତି। ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି। ଅଗଷ୍ଟ ୧୬ରେ ଏହି ଘଟଣା ଘଟିଥିବାବେଳେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ରିପୋର୍ଟ ଆଧାରରେ କୁଳପତି ଆସୋସିଏଟ ପ୍ରଫେସରଙ୍କୁ ନିଲମ୍ବନ କରିଛନ୍ତି। ଏଥିସହ ହେଡକ୍ୱାର୍ଟର ନ ଛାଡ଼ିବାକୁ ଆସୋସିଏଟ ପ୍ରଫେସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧୬ ତାରିଖରେ ଅର୍ଥନୀତି ବିଭାଗର ଜଣେ ଛାତ୍ରୀଙ୍କୁ ବହି ଦେବାକୁ ସମ୍ପୃକ୍ତ ଆସୋସିଏଟ ପ୍ରଫେସର ନିକ କୋଠରୀକୁ ଡାକିଥିଲେ । ଛାତ୍ରୀ କୋଠରୀକୁ ଯିବା ପରେ ପ୍ରଫେସର ଛାତ୍ରୀଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ କରିଥିଲେ ଛାତ୍ରୀ । ଏନେଇ ସେ ବିଶ୍ୱବିଦ୍ୟାଳୟରେ ଥିବା ସେକ୍ସୁଆଲ ହାରାସମେଣ୍ଟ ସେଲ ନିକଟରେ ଅଭିଯୋଗ କରିଥିଲେ ।ଏଥିରୁ କୌଣସି ସୁଫଳ ନ ମିଳିବାରୁ ଛାତ୍ରୀ ଜଣକ ଜାତୀୟ ମାନବାଧିକାର ଆୟୋଗରେ ଅଭିଯୋଗ କରିଥିଲେ।

 

Leave A Reply

Your email address will not be published.