Latest Odisha News

ଆମେରିକାରେ ମୋଦୀ-ବାଇଡେନ୍ ଭେଟଘାଟ

ନୂଆଦିଲ୍ଲୀ: ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆମେରିକାର ଫିଲାଡେଲ୍‌ଫିଆରେ ପହଞ୍ଚିବା ପରେ ସେଠାରେ ମୋଦୀଙ୍କୁ ସ୍ବାଗତ କରିଥିଲେ ଭାରତୀୟ ବଂଶୋଦ୍‌ଭବମାନେ । ସେଠାରୁ ସିଧାସଳଖ କ୍ବାଡ୍‌ ଶିଖର ସମ୍ମିଳନୀରେ ଯୋଗଇଛନ୍ତି ମୋଦୀ । ବୈଠକରେ ସ୍ବାସ୍ଥ୍ୟ, ଶିକ୍ଷା, ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ବାରୋପ ଦିଆଯାଇଥିଲା । ଏଥିସହ ଜାତିସଂଘର ସୁରକ୍ଷା ପରିଷଦରେ ସଂସ୍କାର ଆଣିବାକୁ ୪ ଦେଶର ସହମତି ମିଳିଥିଲା । ଉଭୟ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯିବା ସହ ସୁରକ୍ଷା ପରିଷଦକୁ ଅଧିକ ଦକ୍ଷ ଓ ଶକ୍ତିଶାଳୀ କରିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ସାମ୍ପ୍ରତିକ ସମସ୍ୟା ସହ ୪ ଦେଶର ମଧ୍ୟରେ ସହଯୋଗ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଛି । ଏହାପରେ ରାଷ୍ଟ୍ରପତି ବାଇଡେନଙ୍କ ବାସଭବନରେ ହୋଇଛି ମୋଦୀ ଓ ବାଇଡେନଙ୍କ ଭେଟଘାଟ । ରାଷ୍ଟ୍ରପତି ବାଇଡେନ୍‌ଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

କ୍ୱାଡ ସମ୍ମିଳନୀରେ ଯୋଗ ଦେଇ ମୋଦୀ କହିଛନ୍ତି ଯେ, କ୍ୱାଡର ମିଳିତ ଭାବେ କାର୍ଯ୍ୟ କରିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ସେପଟେ ବାଇଡେନ ମଧ୍ୟ ଏହି ସମ୍ମିଳନୀରେ କ୍ୱାଡ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ଏହାକୁ ଆହୁରି ଦୃଢ କରିବାକୁ ନିବେଦନ କରିଥିଲେ। କ୍ବାଡରେ ମୋଦୀ କହିଛନ୍ତି ଯେ, ମୁଁ ମୋର ତୃତୀୟ କାର୍ଯ୍ୟକାଳରେ ଏହି କ୍ବାଡରେ ଯୋଗଦେଇଥିବାରୁ ଅତ୍ୟନ୍ତ ଖୁସି । ୨୦୨୧ରେ ଆମେରିକା ପ୍ରଥମ ଥର ପାଇଁ କ୍ଵାଡ ସମ୍ମିଳନୀ ଆୟୋଜନ କରିଥିଲା । ବହୁତ କମ୍ ସମୟରେ ଆମେ ବିଶ୍ଵର ପ୍ରାୟ ସମସ୍ତ ସ୍ଥାନରେ ଆମର ସହଯୋଗ ବିସ୍ତାର କରିଛୁ । ଯେଉଁଥିରେ ଆପଣମାନଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ଵପୁର୍ଣ୍ଣ । ତେଣୁ ସମସ୍ତଙ୍କୁ ମୁଁ ଅନ୍ତରରୁ ଧନ୍ୟବାଦ ଦେଇଛି ବୋଲି କହିଥିଲେ ମୋଦୀ ।

କ୍ଵାଡ ସମ୍ମିଳନୀରେ ଯୋଗ ଦେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଡେଲାୱେୟରର ଗ୍ରୀନଭିଲେରେ ପହଞ୍ଚିଥିଲେ ମୋଦୀ । ସେଠାରେ ବାଇଡେନ ମୋଦୀଙ୍କୁ ଖୁବ ଉତ୍ସାହର ସହ ସ୍ଵାଗତ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ଆଲୋଚନା । ମୋଦୀ ଏବଂ ବାଇଡେନଙ୍କ ଏହି ଦ୍ଵିପାକ୍ଷିକ ବୈଠକରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସହକାରୀ, ଦୁଇ ଦେଶର ରାଷ୍ଟ୍ରଦୂତ, ବୈଦେଶିକ ସଚିବ ସାମିଲ ଥିଲେ । ମୋଦୀ-ବାଇଡେନ ଭେଟଘାଟର କିଛି ଫଟୋ ଏକ୍ସରେ ପୋଷ୍ଟ କରି ବାଇଡେନ ଲେଖିଛନ୍ତି, ଯେବେବି ଆମେ ଏକାଠି ରହୁ ସେତେବେଳେ ସହଯୋଗର ନୂତନ କ୍ଷେତ୍ର ଖୋଜିବାର କ୍ଷମତା ମୋତେ ପ୍ରଭାବିତ କରିଥାଏ। ଆଜି ବି କିଛି ଏପରି ମୁହୁର୍ତ୍ତ ଥିଲା ।

ତେବେ ମୋଦୀଙ୍କ ଗସ୍ତ ଆମେରିକ-ଭାରତ ଦ୍ବିପାକ୍ଷିକ ସମ୍ପର୍କକୁ ନିବିଡ କରିବାର ଏକ ମାଧ୍ୟମ ବୋଲି କୁହାଯାଉଛି । କହିରଖୁଛୁ ଯେ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷା ନିଶ୍ଚିତ କରିବା ସହିତ ଏଠାରେ ମୁକ୍ତ ଓ ଅବାଧ ବିଚରଣକୁ ଦୁଇ ଦେଶ ଗୁରୁତ୍ବ ଦେଉଛନ୍ତି। ଏହା ପ୍ରତିରକ୍ଷା, ସବୁଜ ଇନ୍ଧନ ଓ ମହାକାଶ କ୍ଷେତ୍ରରେ ମଧ୍ୟ ଦୁଇଦେଶ ମଧ୍ୟରେ ସହଯୋଗ ରହିଛି। ବାଇଡେନଙ୍କ ସହ ଆଲୋଚନା ପରେ ଜାପାନ ଏବଂ ଅଷ୍ଟ୍ରେଲିଆ ସହ ମଧ୍ୟ ମୋଦୀ ଆଲୋଚନା କରିବାର ସୂଚନା ମିଳିଛି ।

Leave A Reply

Your email address will not be published.