ଭୁବନେଶ୍ୱର: ଆସନ୍ତା ସପ୍ତାହରେ ଓଡ଼ିଶା ସରକାର କେନ୍ଦ୍ରକୁ ବାତ୍ୟା ବୁଲବୁଲ୍ କ୍ଷୟକ୍ଷତି ସମ୍ପର୍କରେ ଦାବି ଉପସ୍ଥାପନ କରିବେ ।
ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ନିମନ୍ତେ କେନ୍ଦ୍ରୀୟ ଟିମର ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବା ପରେ ଗଣମାଧ୍ୟମକୁ ସୂଚନାଦେଇ ଶୁକ୍ରବାର ଦିନ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର୍ ପ୍ରଦୀପ ଜେନା କହିଛନ୍ତି, ରାଜସ୍ୱ, ବିପର୍ଯ୍ୟୟ ପ୍ରଶମନ, କୃଷି ଓ ପଶୁପାଳନ ବିଭାଗ ପକ୍ଷରୁ ଏକ ପ୍ରତିନିଧି ଦଳ ୬ଟି ବାତ୍ୟା ପ୍ରପୀଡ଼ିତ ଅଞ୍ଚଳକୁ ଗସ୍ତ କରିବେ । ସେହିସବୁ ଜିଲ୍ଲାମାନଙ୍କରେ ବାତ୍ୟାରେ ହୋଇଥିବା ଫସଲହାନୀ ଓ କ୍ଷୟକ୍ଷତି ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରିବେ । ଏହାପରେ ଏହି ୬ଟି ଜିଲ୍ଲାର ପଞ୍ଚାୟତ ଗୁଡ଼ିକୁ ବାତ୍ୟା ପୀଡ଼ିତଙ୍କୁ ସହାୟତା ରାଶି ପ୍ରଦାନ ନିମନ୍ତେ ସେମାନଙ୍କର ନାମ ପଠାଇଦିଆଯିବ ।
ଆହୁରିମଧ୍ୟ ସେ କହିଛନ୍ତି ଯେ, ବାତ୍ୟା ପରବର୍ତ୍ତୀ ସହାୟତା ରାଶି ଲାଗି ଓଡ଼ିଶା ପ୍ରତି ଧ୍ୟାନ ଦେବାକୁ ସେ କେନ୍ଦ୍ରକୁ ଅନୁରୋଧ କରିବେ ।
କେନ୍ଦ୍ରୀୟ ଟିମର ମୁଖ୍ୟ ସହେଲୀ ଘୋଷ କହିଛନ୍ତି ଯେ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏହି ଟିମ୍ ଯାଇ ସ୍ଥିତି ପରଖିଛି । ସେହି ସବୁ ଅଞ୍ଚଳରେ ବ୍ୟାପକ ଭାବେ ଧାନ ଫସଲ, ଘର ଏବଂ ବିଦ୍ୟୁତ ଉପକରଣ ନଷ୍ଟ ହୋଇଛି । କେନ୍ଦ୍ର ସରକାରଙ୍କୁ ଏହି ଟିମ୍ ରିପୋର୍ଟ ପ୍ରଦାନ କରିବେ ।
ବାତ୍ୟା ପୂର୍ବ ଏବଂ ପରବର୍ତ୍ତୀ ପଦକ୍ଷେପ ଲାଗି ରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛି ଏହି କେନ୍ଦ୍ରୀୟ ଟିମ୍ ।
Comments are closed.