Latest Odisha News

କୃଷି ଆଇନକୁ ନେଇ କଙ୍ଗନାଙ୍କ ବୟାନ ହରିୟାଣା ନର୍ବାଚନରେ ଭାରି ପଡିବ କି ?

ନୂଆଦିଲ୍ଲୀ: ମଣ୍ଡି, ହିମାଚଳ ପ୍ରଦେଶର ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ବୟାନ ପାଇଁ ସର୍ବଦା ଖବର ଶୀର୍ଷରେ ଥାନ୍ତି। ସାଂସଦ ହେବା ପରେ କଙ୍ଗନା ନିଜର ବିବାଦୀୟ ବୟାନ ପାଇଁ ନିଜ ଦଳର ସମସ୍ୟାକୁ ଆହୁରୀ ବୃଦ୍ଧି କରାଉଛନ୍ତି। ବିଜେପି ସଭାପତି ଜେପି ନାଡ୍ଡା ମଧ୍ୟ ତାଙ୍କୁ ଏ ସମ୍ପର୍କରେ ଅନେକ ଥର ପରାମର୍ଶ ଦେଇଛନ୍ତି। ଏହା ସତ୍ତ୍ୱେ ବି କଙ୍ଗନାଙ୍କ ଭିତରେ କୌଣସି ପରିବର୍ତ୍ତନ ନାହିଁ। ଏହାରି ଭିତରେ କଙ୍ଗନାଙ୍କ ଆଉ ଏକ ବୟାନ ଚର୍ଚ୍ଚାକୁ ଆସିଛି। ଏଥର ସେ କୃଷି ବିଲ୍ ସମ୍ପର୍କରେ ବୟାନ ଦେଇଛନ୍ତି।

କୃଷି ଆଇନ୍‌କୁ ନେଇ ସେ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ଚାପ ବଢ଼ିବାରୁ ସେ ଏବେ ମାରିଛନ୍ତି ୟୁ-ଟର୍ଣ୍ଣ। ଭିଡିଓ ଜାରି କରି ସଫେଇ ଦେବା ସହ ନିଜ ମତ ବଦଳାଇଛନ୍ତି। ରଦ୍ଦ ହୋଇଥିବା ତିନି କୃଷି ଆଇନକୁ ପୁଣି ଥରେ ଲାଗୁ କରିବାକୁ ନେଇ ମଙ୍ଗଳବାର ବୟାନ ଦେଇଥିଲେ କଙ୍ଗନା। ତାଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଥିଲା। ଚାରିଆଡୁ ତାଙ୍କୁ ଟାର୍ଗେଟ୍‌ କରାଯାଇଛି। ଏପରିକି ସେ ନିଜ ଦଳରେ ମଧ୍ୟ ସମାଲୋଚନାର ଶିକାର ହୋଇଛନ୍ତି। ଏହାପରେ ସେ ଏବେ ଏକ ନୂଆ ଭିଡିଓ ଜାରି କରି ନିଜ ଶବ୍ଦ ଫେରାଇ ନେଉଥିବା କହିଛନ୍ତି।

ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ କଙ୍ଗନା କହିଛନ୍ତି ଯେ ‘ମୁଁ କୃଷି ଆଇନ ସମ୍ବନ୍ଧରେ ମୋ ଦଳ ସହ ଛିଡା ହୋଇଛି। ମୁଁ ମୋର ଶବ୍ଦଗୁଡିକୁ ଫେରାଇ ନେଉଛି। ଗତ କିଛି ଦିନ ହେବ ଗଣମାଧ୍ୟମ ମୋତେ କୃଷି ଆଇନ ଉପରେ ପ୍ରଶ୍ନ ପଚାରୁଥିଲା। ​​ମୁଁ ପରାମର୍ଶ ଦେଇଥିଲି ଯେ କୃଷକମାନେ ପ୍ରଧାନମନ୍ତ୍ରୀଙ୍କୁ କୃଷି ଆଇନ ଫେରାଇ ଆଣିବା ପାଇଁ ଅନୁରୋଧ କରିବା ଉଚିତ୍। ମୋର ଏହି ବୟାନରେ ଅନେକ ଲୋକ ନିରାଶ ହୋଇଛନ୍ତି। ମୋର ଓପିନିୟନ ମୋର ନିଜର ହେବା ଉଚିତ ନୁହେଁ, ଏହା ଦଳର ଷ୍ଟାଣ୍ଡ ହେବା ଉଚିତ। ଯଦି ମୁଁ ମୋର କଥା କିମ୍ବା ଭାବନାରେ କାହାକୁ ନିରାଶ କରିଛି, ତେବେ ମୁଁ ମୋର କଥାକୁ ଫେରାଇ ନେଉଛି।’

ପଞ୍ଜାବ ବିଧାନସଭାରେ ବିରୋଧୀ ଦଳର ନେତା ପ୍ରତାପ ସିଂ ବାଜୱା କହିଛନ୍ତି ଯେ ଯଦି ବିଜେପି ତାଙ୍କ ମନ୍ତବ୍ୟକୁ ସମର୍ଥନ କରେ ନାହିଁ ତେବେ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। କୃଷକ ଏବଂ କୃଷି ଆଇନ ଉପରେ ବିଜେପି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍। ଏପରି ବିବାଦୀୟ, ଦଳର ନିଷ୍ପତ୍ତି ବିରୋଧୀ ବୟାନ ଦେବା ପରିବର୍ତ୍ତେ କଙ୍ଗନା ରାଜନୀତିରୁ ଦୂରେଇ ଯାଇ ତାଙ୍କ ବଲିଉଡ କ୍ୟାରିଅରକୁ ପୁନର୍ଜୀବିତ କରିବା ଉପରେ ଧ୍ୟାନ ଦେବା ଉଚିତ୍।

ସୂଚନା ଥାଉକି ହରିୟାଣାରେ ବିଧାନସଭା ନିର୍ବାଚନ ସମୟରେ କଙ୍ଗନାଙ୍କ ଏହି ବିବୃତ୍ତି ଏବେ ତାଙ୍କୁ ଭାରି ପଡିଛି। ଫଳାଫଳ ଘୋଷଣା ହେବା ପରେ ତାଙ୍କର ଏହି ବୟାନ ବିଜେପିକୁ କ୍ଷତି ପହଞ୍ଚାଉଛି କି ନାହିଁ ତାହା ସ୍ପଷ୍ଟ ହେବ। କିନ୍ତୁ ଏହା ନିଶ୍ଚିତ ଯେ ରାଜ୍ୟରେ ବହୁ ସଂଖ୍ୟକ କୃଷକ ଭୋଟର ଅଛନ୍ତି ଏବଂ ସେମାନେ କୌଣସି ଦଳର ଭବିଷ୍ୟତ ସ୍ଥିର କରିବାରେ ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନ ମଧ୍ୟରେ କିଛି କୃଷକ ସଂଗଠନ ବିଜେପି ସରକାର ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି। କୃଷକମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ବେକାରୀ ଏବଂ ମୁଦ୍ରାସ୍ଫୀତି ଉପରେ ସେମାନେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି।

Leave A Reply

Your email address will not be published.