Latest Odisha News

ଲଗାଣ ବର୍ଷାରେ ଫୁଲୁଛି ଜଳକା, ବନ୍ୟା ଆଶଙ୍କାରେ ଆତଙ୍କିତ ଲୋକେ

ବାଲେଶ୍ୱର: ଲଗାଣ ବର୍ଷାରେ ବଢୁଛି ଜଳକା ନଦୀର ଜଳସ୍ତର। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀଠାରେ ସତର୍କ ସଙ୍କେତ ୬ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୨ ମିଟରରେ ପ୍ରବାହିତ ହେଉଛି । ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ନଦୀ କୂଳିଆ ଲୋକେ।

ଜଳକା ନଦୀର ଜଳସ୍ତର ବଢ଼ିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି। ନଦୀକୂଳିଆ ଲୋକେ ବନ୍ୟା ଆଶଙ୍କାରେ ଆତଙ୍କିତ ହୋଇ ପଡ଼ିଛନ୍ତି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ଲଗାତାର ବଢୁଛି। ଦୁଇ ଦିନ ଧରି ବାଲେଶ୍ବର ସମେତ ପଡୋଶୀ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଜଳକା ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ କ୍ରମଶଃ ବୃଦ୍ଧି ପାଉଛି ନଦୀର ଜଳସ୍ତର, ମଥାନୀ ଠାରେ ବିପଦ ସଙ୍କେତ ରହିଛି ୬.୫୦ ।

ଯଦି ଏଭଳି ଭାବରେ ବର୍ଷା ଲାଗି ରହେ ତାହାଲେ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରି ବନ୍ଯା ଆସିବାର ଆଶଙ୍କା କରାଯାଉଛି। ଗତ ବନ୍ୟାରେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଏକ ହଜାରରୁ ଅଧିକ ହେକ୍ଟର ଚାଷ ଜମିରେ ପାଣି ପଶି ଥିଲା। ସେଥିରେ ବହୁ ପରିମାଣରେ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଗତ ଦିନେ ଦୁଇଦିନ ହେବ ପାଣି ଛାଡିଥିବା ବେଳେ ପୁଣି ଏକ ଲଘୁଚାପ ଯୋଗୁଁ ବନ୍ୟା ହୋଇ ଚାଷ ଜମିରେ ପାଣି ପଶିଲେ ସମ୍ପୂର୍ଣ୍ଣ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Leave A Reply

Your email address will not be published.