Latest Odisha News

‘ବିଗ୍‌ବସ୍-୧୮’ର ମହଙ୍ଗା ପ୍ରତିଯୋଗୀ ନିୟା ଶର୍ମା, ଜାଣନ୍ତୁ କେତେ ନେବେ ପାରିଶ୍ରମିକ

ମୁମ୍ବାଇ: ଏବେ ବଲିଉଡର ଟାଇଗର ସଲମାନ ଖାନଙ୍କ ସୋ’ ବିଗ୍ ବସ୍ ୧୮କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟେଲିଭିଜନ୍‌ ଜଗତର ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌-୧୮’। ଏଥିରେ ଭାଗ ନେବା ପାଇଁ ଅନେକ ପ୍ରତିଯୋଗୀଙ୍କ ନାଁ ଲଗାତାର ଚର୍ଚ୍ଚାକୁ ଆସୁଛି। ଚଳିତ ସିଜନ୍‌ର ଅନ୍ୟତମ ପ୍ରତିଯୋଗୀ ହେଉଛନ୍ତି ନିୟା ଶର୍ମା, ଯାହାଙ୍କ ନାଁରେ ପ୍ରଥମେ ମୋହର ବାଜିଛି। ନିୟା ଚଳିତ ସିଜନ୍‌ର ସବୁଠୁ ମହଙ୍ଗା ପ୍ରତିଯୋଗୀ ହେବାକୁ ଯାଉଛନ୍ତି।

‘ସୁହାଗନ୍‌ ଚୁଡ଼ୈଲ୍‌’, ‘ଏକ୍‌ ହଜାରୋଁ ମେଁ ମେରୀ ବହ୍‌ନା ହୈ’ ଓ ‘ନାଗିନ୍‌’ ଭଳି ଧାରାବାହିକ ପାଇଁ ଲୋପ୍ରିୟତା ପାଇଛନ୍ତି ନିୟା। ବିଗ୍‌ ବସ୍‌ ଘରେ ନିୟା ବିତାଇବାକୁ ଯାଉଥିବା ପ୍ରତ୍ୟେକ ଦିନ ପାଇଁ ଶୋ’ର ନିର୍ମାତା ତାଙ୍କୁ ୫ ଲକ୍ଷ ୪୦ ହଜାର ଟଙ୍କା ଦେବେ। ଅର୍ଥାତ୍‌ ସପ୍ତାହକୁ ସେ ୩୭ ଲକ୍ଷ ୮୦ ହଜାର ଟଙ୍କା ପାରିଶ୍ରମିକ ନେବେ। ରିପୋର୍ଟ ଅନୁସାରେ, ନିର୍ମାତା ନିୟାଙ୍କ ସହ ମାତ୍ର ୧୫ ଦିନର କଣ୍ଟ୍ରାକ୍ଟ ସାଇନ୍‌ କରିଛନ୍ତି।

ନିକଟରେ ‘ଖତ୍‌ରୋଁ କେ ଖିଲାଡ଼ି-୧୪’ ଫିନାଲେରେ ରୋହିତ ଶେଟ୍ଟୀ ନିୟାଙ୍କ ବିଗ୍‌ ବସ୍‌ ଏଣ୍ଟ୍ରି ବିଷୟରେ ସ୍ପଷ୍ଟ କରିଥିଲେ। ସେ କନଫର୍ମ କରିଥିଲେ ଯେ ଚଳିତ ସିଜନ୍‌ର ଚୂଡ଼ାନ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଜଣେ। ଏନେଇ ନିୟାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହା ପୂର୍ବରୁ ନିୟା ବିଗ୍‌ ବସ୍‌ ଓଟିଟିରେ ମାତ୍ର କିଛି ଘଣ୍ଟା ପାଇଁ ଭାଗ ନେଇଥିଲେ। ଲୋକପ୍ରିୟ ସିରିଏଲ ‘କୁଣ୍ଡଲୀ ଭାଗ୍ୟ’ ଅଭିନେତା ଧୀରଜ ଧୂପରଙ୍କ ବିଗ୍‌ ବସ୍‌ ଏଣ୍ଟ୍ରି ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି। ଅଭିନେତ୍ରୀ ସୁରଭି ଜ୍ୟୋତି, ଶହଜାଦ ଧାମୀ, ଶୋଏବ ଇବ୍ରାହିମ ଓ ନାୟରା ବାନାର୍ଜୀ ମଧ୍ୟ ଶୋ’ରେ ଏଣ୍ଟ୍ରି କରିପାରନ୍ତି। ବଲିଉଡ୍‌ ଅଭିନେତ୍ରୀ ସମୀରା ରେଡ୍ଡୀ, ଉର୍ମିଲା ମାତୋଣ୍ଡକର ଓ ଶିଳ୍ପା ଶିରୋଡକରଙ୍କ ନାଁ ବି ଚର୍ଚ୍ଚାକୁ ଆସିଛି ।

Comments are closed.