Latest Odisha News

BREAKING NEWS

ବାବା ଧବଳେଶ୍ବରଙ୍କ ପୀଠରେ କାର୍ତ୍ତିକ ବ୍ରତ ଏବଂ ବଡଓଷା ପାଇଁ ପ୍ରସ୍ତୁତି ଆରମ୍ଭ

କଟକ: କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ଵର ପୀଠରେ ଚଳିତ କର୍ତ୍ତିକ ମାସ ପୂଜା ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଚଳିତମାସ ୧୮ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଛି । ଏହା ଏକ ମାସ ଧରି ଚାଲିବାକୁ ଥିବା ବେଳେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିବ । ଏହାକୁ ଦୃଷ୍ଟିରେ ରଖି ଆଠଗଡ଼ ବାବା ଧବଳେଶ୍ଵରଙ୍କ ପୀଠରେ କାର୍ତ୍ତିକ ପଞ୍ଚୁକ ବ୍ରତ ଓ ବଡଓଷା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଆଜି ଏକ ବୈଠକ ମଧ୍ୟ ଆୟୋଜିତ ହୋଇଥିଲା ।

ଏହି ବୈଠକରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ୍ ସିନ୍ଧେଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ସେବାୟତମାନେ ଯୋଗ ଦେଇଥିଲେ । ନିଷ୍ପତ୍ତି କ୍ରମେ ନଭେମ୍ବର ମାସ ୧୩ ତାରିଖରେ ଧବଳେଶ୍ଵରଙ୍କ ପୀଠରେ ବଡ଼ଓଷା ପାଳନ କରାଯିବ ଏବଂ ଏହି ଅବସରରେ ବାବା ବଡ ସିଂହାର ବେଶ କରାଯିବା ସହ ମଧ୍ୟରାତ୍ରୀରେ ଧବଳେଶ୍ଵରଙ୍କ ପାଖରେ ପ୍ରସିଦ୍ଧ ଗଜଭୋଗ ଲାଗି କରାଯିବ । ଏବଂ ୧୪ ତାରିଖ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ ବିତରଣ କରାଯିବ । ୧୫ ନଭେମ୍ବରରେ କାର୍ତ୍ତିକ ବ୍ରତ ସମ୍ପୂର୍ଣ୍ଣ ହେବା ସହ ବୋଇତ ଭସାଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି ।

ବୈଠକରେ ପୀଠକୁ ମହାନଦୀ ଉପରେ ସଂଯୋଗ କରୁଥିବା କଂକ୍ରିଟ ସେତୁ ଉପରେ ଉଜ୍ୱଳ ଆଲୋକ ବ୍ୟବସ୍ଥା, ସୁଦୃଢ ବ୍ୟାରିକେଡ୍‌, ୨୪ଘଣ୍ଟିଆ ସ୍ୱାସ୍ଥ୍ୟ ଓ ଆମ୍ବୁଲାନ୍ସ ସେବା, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କୁ ସହାୟତା ସ୍ୱେଚ୍ଛାସେବୀ ମୁତୟନ, ବିଦ୍ୟୁତ୍‌ ସରବରାହ, ବିଶୁଦ୍ଧ ପାନୀୟଜଳ ଓ ପରିମଳ ବ୍ୟବସ୍ଥା, ରାସ୍ତା ମରାମତି ଆଦି ସମ୍ପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ସମସ୍ତ ବିଭାଗ ପଞ୍ଚକ ପୂର୍ବରୁ ସମସ୍ତ କାର୍ଯ୍ୟକୁ ସମାପନ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.