Latest Odisha News

BREAKING NEWS

ନୂଆ ବିବାଦରେ ‘ବିବାଦ ରାଣୀ’

ମୁମ୍ବାଇ:ବିବାଦ କଙ୍ଗନା ରନୌତଙ୍କ ପିଛା ଛାଡୁନାହିଁ । ଏବେ ପୁଣି ନୂଆ ବିବାଦରେ ଫସିଛନ୍ତି ଅଭିନେତ୍ରୀରୁ ନେତ୍ରୀ ସାଜିଥିବା କଙ୍ଗନା । ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀରେ କଙ୍ଗନା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ହେଲେ ଗାନ୍ଧିଜୀଙ୍କୁ ଗୌଣ କରିଛନ୍ତି । ଗାନ୍ଧିଜୀଙ୍କୁ ରାଷ୍ଟ୍ରପିତା କହିବା ଠିକ୍ ନୁହେଁ ବୋଲି ମତ ଦେଇଛନ୍ତି ମଣ୍ଡିର ବିଜେପି ସାଂସଦ । ଦେଶ୍ କେ ପିତା ନେହିଁ, ଦେଶ କେ ତୋ ଲାଲ୍ ହୋତେ ହେଁ । ଧନ୍ୟ ହେ ଭାରତ ମାତା କେ ୟେ ଲାଲ୍ । ସୋସିଆଲ ମିଡିଆରେ ଏଭଳି ଟିପ୍ପଣୀ କରି କଙ୍ଗନା ମହାତ୍ମାଙ୍କୁ ଉପେକ୍ଷା କରି କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଗୁଣଗାନ କରିଥିବା ସ୍ପଷ୍ଟ ହୋଇଛି । ଗାନ୍ଧିଜୀଙ୍କୁ ଗୌଣ ଭାବେ ଉପସ୍ଥାପନ କରିଛନ୍ତି କଙ୍ଗନା ।

କଙ୍ଗନାଙ୍କୁ ଗଡସେଙ୍କ ନୂଆ ଭକ୍ତ କହିଲା କଂଗ୍ରେସ

କଙ୍ଗନାଙ୍କ ବିବାଦୀୟ ପୋଷ୍ଟ ବିଜେପିକୁ ପୁଣି ଅଡୁଆରେ ପକାଇଥିବା ବେଳେ ଆକ୍ରମଣାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ । ଗାନ୍ଧିଜୀଙ୍କ ପ୍ରତି କଙ୍ଗନାଙ୍କ ଏହା ମୂର୍ଖତାପୂର୍ଣ୍ଣ ଅପମାନ ବୋଲି କହି କଡା ପ୍ରତିକ୍ରିୟା ପ୍ରକାଶ କରିିଛି କଂଗ୍ରେସ । ଗଡସେ ଭକ୍ତମାନେ ବାପୁ ଓ ଶାସ୍ତ୍ରୀଜୀଙ୍କ ମଧ୍ୟରେ ଫରକ ଖୋଜୁଛନ୍ତି ବୋଲି କହି ତାତ୍ସଲ୍ୟ କରିଛନ୍ତି କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ୍ । ବିଜେପିର ନୂଆ ଗଡସେ ଭକ୍ତଙ୍କୁ ନରେନ୍ଦ୍ର ମୋଦି କ୍ଷମା କରିବେ କି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିୟା । ଦେଶର ପିତା, ଦେଶର ପୁତ୍ର ଓ ସହିଦ ବି ଅଛନ୍ତି । ସମସ୍ତେ ସମ୍ମାନର ହକଦାର ବୋଲି ସୁପ୍ରିୟା ଶ୍ରୀନେତ୍ ସୋସିଆଲ ମିଡିଆରେ କହିଛନ୍ତି ।

କଙ୍ଗନାଙ୍କ ଟିପ୍ପଣୀକୁ ବିଜେପିରୁ ବି ବିରୋଧ

ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ବେପରୱା ବୟାନ ଦେଇ ନିଜ ଦଳ ବିଜେପିକୁ ଅଡୁଆରେ ପକାଇଛନ୍ତି କଙ୍ଗନା । ହେଲେ ତାଗିଦ୍ ସତ୍ତ୍ୱେ ସୁଧୁରୁ ନାହାନ୍ତି ମଣ୍ଡି ସାଂସଦ । ଏବେ ଗାନ୍ଧିଜୀଙ୍କୁ ରାଷ୍ଟ୍ରପିତା ମାନ୍ୟତା ପ୍ରସଙ୍ଗରେ କଙ୍ଗନାଙ୍କ ଟିପ୍ପଣୀରେ ବିଜେପି ନେତାଏଁ କ୍ଷୁବ୍ଧ । କଡା ଆପତ୍ତି ପ୍ରକାଶ କରିଛନ୍ତି କିଛି ବିଜେପି ନେତା । ବରିଷ୍ଠ ବିଜେପି ନେତା ମନୋରଂଜନ କାଲିଆ କଙ୍ଗନାଙ୍କ ଗାନ୍ଧି ବିରୋଧୀ ଟିପ୍ପଣୀକୁ ନିନ୍ଦା କରିଛନ୍ତି । ନିଜର ସ୍ୱଳ୍ପ ରାଜନୈତିକ କ୍ୟାରିଅରରେ ବିବାଦୀୟ ମନ୍ତବ୍ୟ ସତେ ଯେମିତି କଙ୍ଗନାଙ୍କ ଅଭ୍ୟାସରେ ପରିଣତ ହୋଇଛି । ରାଜନୀତି କଙ୍ଗନାଙ୍କୁ ସୁହାଉ ନାହିଁ । ରାଜନୀତି ଏକ ଗମ୍ଭୀର ବ୍ୟାପାର । କହିବା ଆଗରୁ ଜଣେ ଭଲ ଭାବେ ଚିନ୍ତା କରିବା ଦରକାର । କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ ଦଳକୁ ଅଡୁଆରେ ପକାଉଛି ବୋଲି ବିଜେପି ନେତା ମନୋରଂଜନ କାଲିଆ ସୋସିଆଲ ମିଡିଆ ଭିଡିଓ ପୋଷ୍ଟରେ କହିଛନ୍ତି ।

କୃଷକ ଆନ୍ଦୋଳନ ବିରୋଧରେ ଆପତ୍ତିଜନକ ବୟାନ

କିଛି ଦିନ ତଳେ କଙ୍ଗନା ରନୌତ ୨୦୨୧ରେ ରଦ୍ଦ ହୋଇଥିବା ତିନି କୃଷି ଆଇନ ପୁଣି ଲାଗୁ କରିବା ସପକ୍ଷରେ ମତ ଦେଇଥିଲେ । କୃଷକ ଆନ୍ଦୋଳନକୁ କଡା ସମାଲୋଚନା କରି ଏକାଧିକ ଅଭିଯୋଗ କରିଥିଲେ କଙ୍ଗନା । କୃଷକ ଆନ୍ଦୋଳନକୁ ବାଂଲାଦେଶ ପରିସ୍ଥିତି ସହ ତୁଳନା କରିବା ପରେ କଙ୍ଗନାଙ୍କୁ କଟୁ ସମାଲୋଚନା କରାଯାଇଥିଲା । କୃଷକ ଆନ୍ଦୋଳନରେ ହତ୍ୟା ଓ ଦୁଷ୍କର୍ମ ପରି ଘଟଣା ହୋଇଥିଲା ବୋଲି ଅଭିଯୋଗ କରିଥିଲେ କଙ୍ଗନା । ହରିୟାଣା ନିର୍ବାଚନ ପୂର୍ବରୁ କଙ୍ଗନାଙ୍କ ବିବାଦୀୟ ବୟାନ ବିଜେପିକୁ ଅଡୁଆରେ ପକାଇଥିଲା । ବିଜେପି ସଭାପତି ଜେପି ନଡ୍ଡା ତାଗିଦ କଲା ପରେ ମନ୍ତବ୍ୟରୁ ଓହରିଥିଲେ କଙ୍ଗନା ।

ନେତ୍ରୀ ହେବା ପୂର୍ବରୁ ମଧ୍ୟ କଙ୍ଗନା ରନୌତ ଏକାଧିକ ବିବାଦୀୟ ବୟାନ ଦେଇଥିଲେ । ଇଂରେଜମାନେ ଭାରତକୁ ସ୍ୱାଧୀନତା ଭିକ ଭାବେ ଦେଇଥିଲେ । ପ୍ରକୃତ ସ୍ୱାଧୀନତା ୨୦୧୪ରେ ମିଳିଥିଲା ବୋଲି କହିବା ପରେ ଆକ୍ରୋଶର ସମ୍ମୁଖୀନ ହୋଇଥିଲେ କଙ୍ଗନା । ଏବେ ବିଜେପି ସାଂସଦ ଭାବେ କଙ୍ଗନା ଏକାଧିକ ବିବାଦୀୟ ବୟାନ ଦେଇ ନିଜ ଦଳକୁ ହିଁ ଅଡୁଆରେ ପକାଇଛନ୍ତି । ତୁଣ୍ଡ ଦୋଷରୁ ବର୍ତ୍ତି ପାରୁନାହାନ୍ତି କୁଇନ ଅଫ୍ କଂଟ୍ରୋଭର୍ସିସ୍

Leave A Reply

Your email address will not be published.