Latest Odisha News

ଚଳଚଞ୍ଚଳ ଭଣ୍ଡାରଘରଣୀ ପୀଠ, ୯ ଦିନ ନବଧା ରୂପରେ ପୂଜା ପାଇବେ ମା

ନବରଙ୍ଗପୁର: ଆଉ ମାତ୍ର ଦିନ କେଇଟାର କଥା । ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା । ଅପେକ୍ଷାରେ ଭକ୍ତ । ପୂଜା ପେଣ୍ଡାଲ ଥାରୁ ଆରମ୍ଭ କରି ଶକ୍ତିପୀଠ ପର୍ଯ୍ୟନ୍ତ ସବୁଠି ଏବେ ଚଳଚଞ୍ଚଳ । ସେପଟେ ବାଜାବାଜଣା, ଶଙ୍ଖ ଧ୍ବନି ସହିତ ଭକ୍ତ ମାନଙ୍କ ଜୟକାର ଧ୍ୱନିରେ ପ୍ରକମ୍ପିତ ହେଉଛି ନବରଙ୍ଗପୁର ସହରର ମା ଭଣ୍ଡାରଘରଣୀଙ୍କ ପୀଠ । ମନ୍ଦିର ପ୍ରାଙ୍ଗଣ ଚଳଚଞ୍ଚଳ ହୋଇଉଠିବା ସହ ଆରମ୍ଭ ହୋଇଛି ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀଙ୍କ ନବରାତ୍ରୀ ପୂଜା ।

ନବରାତ୍ରୀ ପୂଜାର ଆଦ୍ୟରେ ମା’ଙ୍କ ପାଟ ଖଣ୍ଡାକୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ସ୍ଥାନୀୟ ପ୍ରତାପ ସାଗର ପୋଖରୀକୁ ନିଆ ଯାଇଥିଲା । ସେଠାରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ପାଟ ଖଣ୍ଡାକୁ ମହାସ୍ନାନ କରାଯାଇ ପୁଣି ମନ୍ଦିରକୁ ଅଣାଯାଇଥିଲା । ମନ୍ଦିରରେ ପାଟଖଣ୍ଡାକୁ ମା’ ନିକଟରେ ଅବସ୍ଥାପିତ କରାଇଥିଲେ । ପାଟଖଣ୍ଡାକୁ ପୂଜା କରିବା ପରେ ମା’ଙ୍କ ସ୍ୱତନ୍ତ୍ର ରୀତିନୀତି ଆରମ୍ଭ ହୋଇଥିଲା । ଏହି ପୂଜା ପରେ ନବରାତ୍ରୀ ପୂଜା ଆରମ୍ଭ ହୋଇଥିଲା । ଏହି ନଅ ଦିନର ପୂଜା ସମୟରେ ମା’ଙ୍କୁ ବିଭିନ୍ନ ବେଶରେ ପୂଜା କରାଯାଇଥାଏ । ସେଥିମଧ୍ୟରୁ ସନ୍ଧ୍ୟା ପୂଜା ଓ ଚଣ୍ଡୀପାଠ ଅନ୍ୟତମ ବୋଲି ମନ୍ଦିର ପୂଜକମାନେ କହିଛନ୍ତି । ପ୍ରତ୍ୟେକ ଦିନ ଏଠାରେ ମା’ ପଶ୍ଚିମାଭିମୁଖୀ ହୋଇ ପୂଜା ପାଉଥିବା ବେଳେ ଏହି ନବଦିନାତ୍ମକ ପୂଜା ସମୟ ରେ ମା’ ପୁର୍ବଭିମୁଖୀ ହୋଇ ପୂଜା ପାଇବେ ।

ଅନ୍ୟପଟେ ନବରଙ୍ଗପୁର ଜିଲ୍ଲାର ସମସ୍ତ ଦଶହରା ପୂଜାମଣ୍ଡପ ମାନଙ୍କରେ ମା’ ଜଗଧାତ୍ରୀ ଜଗଦମ୍ବାଙ୍କ ପୂଜାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି । ଦିନରାତି ଏକ କରି କାରିଗର ମାନେ କାମ କରୁଛନ୍ତି । ଆଉମାତ୍ର ଦିନ କେଇଟା ବାକି ଥିବା ବେଳେ ଏବେ ମୁର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର ।

 

Leave A Reply

Your email address will not be published.