Latest Odisha News

BREAKING NEWS

ଚଳଚଞ୍ଚଳ ଶକ୍ତିପୀଠ: ମଣ୍ଡପରେ ଷଷ୍ଠୀ, ପୀଠରେ ସପ୍ତମୀ ପୂଜା

ଭୁବନେଶ୍ୱର: ଆସୁଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା । ଉତ୍ସବମୁଖର ହୋଇପଢିଛି ସାରା ରାଜ୍ୟ । ସଜେଇ ହୋଇସାରିଲାଣି ସୁଉଚ୍ଚ ତୋରଣ ଓ ଆଖି ଝଲିସିବା ପରି ମେଢ । ଆଜି ଶକ୍ତିପୀଠରେ ସପ୍ତମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ଷଷ୍ଠୀ ପୂଜା କରାଯାଉଛି । ବେଲ ଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ଆବାହନ କରାଯିବ । ଏହି ସମୟରେ ବ୍ରତପୂଜା କରିବାର ବିଧି ଅଛି । କାଲି ସପ୍ତମୀରେ ନଦୀରୁ ପବିତ୍ର ଜଳ ଆଣାଯାଇ ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ । ଏହାପରେ ଶୁକ୍ରବାର ଦିନ ଅଷ୍ଟମୀ ପୂଜା ସହ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି । ନବମୀରୁ ସନ୍ଧିପୂଜା ସହିତ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ । କିଛି ମଣ୍ଡପରେ ଆମିଷ ଭୋଗ କରାଯାଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଏ ।

ସେପଟେ ଆଜି ଶକ୍ତିପୀଠ ଗୁଡିକରେ ମହା ସପ୍ତମୀ ପୂଜା କରାଯାଉଛି l ଆଜି ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ କଟକ ଗଡଚଣ୍ଡୀ । ସେହିପରି ବଗଳାମୁଖୀ ବେଶରେ ସଜ୍ଜିତ ହେବେ କଟକ ଚଣ୍ଡି । ଦଶହରା ପର୍ଯ୍ୟନ୍ତ ମା’ କଟକ ଚଣ୍ଡୀ ୧୬ଟି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ । ଅନ୍ୟପଟେ ଆଜିଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବେ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀ l ଭୋର ୪ଟାରୁ ମହାସ୍ନାନ, ମାଜଣା, ଷୋଡ଼ଶ ଉପଚାର ପୂଜା, ବଡ଼ିସିଂହାର ବେଶ ସହ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ମାଆଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇ ସକାଳ ୬ଟାରେ ପହଡ଼ ଖୋଲାଯାଇଥିଲା । ତେବେ ମାଆଙ୍କ ଏହି ଦୁର୍ଲଭ ବେଶ ଦେଖିବାଲାଗି ସକାଳୁ ସକାଳୁ ପୀଠରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି । ସେପଟେ ଭକ୍ତ ସମାଗମକୁ ନଜରରେ ରଖି ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନବରାତ୍ର ପୂଜାର ଆଜି ସପ୍ତମ ଦିନ । ସବୁଦିନ ଭଳି ଆଜି ଭୋର ୪ଟାରୁ ମାଆକ ଦ୍ୱାର ଫିଟାଯାଇଥିଲା । ସାଢେ ୪ଟାରେ ମାଆଙ୍କୁ ସ୍ନାନ କରାଇଥିଲେ ପୂଜକ । ପରେ ମଙ୍ଗଳ ଆଳତୀ ହୋଇଥିଲା । ଆଜି ମଧ୍ୟ ଅପରାହ୍ନ ୩ଟାରେ ମାଆଙ୍କ ଶୃଙ୍ଗାର ବେଶ କରାଯିବ । ମାଆ କାଳରାତ୍ରୀ ବେଶରେ ଦର୍ଶନ ଦେବେ ।

Leave A Reply

Your email address will not be published.