Latest Odisha News

ଦୁଲୁକିବ ବଡଦାଣ୍ଡ, ଚାଲିବ ଦେବୀସଭା, ଜମିବ ଗୋଷାଣୀ ଯାତ୍ରା

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଗୋଷାଣୀ ଯାତ୍ରା । ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ସାତ ସାହି ୪୨କନ୍ଦିର ପ୍ରାୟ ୬୦ଟି ମେଢ ଏକାଠି ହେବେ । ସମସ୍ତେ ସିଂହଦ୍ଵାର ଠାରେ ଏକାଠି ହେବାପରେ ଚାଲିବ ଦେବୀସଭା। ସେପଟେ ଗୋଷାଣି ମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହେବା ନେଇ ଅନୁମାନ କରିଛି ପ୍ରଶାସନ । ସେଥିପାଇଁ ପ୍ରସ୍ତୁତି କଡାକଡି ହୋଇଛି ।

ପରମ୍ପରା ଅନୁସାରେ ଗୋଷାଣୀ ଦେବୀ ମାନଙ୍କର ବଡଦାଣ୍ଡରେ ଦେବସଭା ହୋଇଥାଏ । ସବୁ ଗୋଷାଣୀ ମେଢ ବଡଦାଣ୍ଡକୁ ଆସି ବଡ ଏକାଦଶୀରେ ଶ୍ରୀମନ୍ଦିରର ମହାଦୀପ ଉଠିବା ପରେ ଦେବସଭା ଭାଙ୍ଗିଥାଏ । ମହାଦୀପ ଦର୍ଶନ କରିବା ପରେ ମଙ୍ଗଳାଘାଟରେ ନିର୍ମିତ ଏକ କୁତ୍ରିମ ପୁଷ୍କରିଣୀରେ ଜଳ ବିସର୍ଜନ କରାଯାଏ । ଏହା ପରେ ସନ୍ଧ୍ୟାରେ ଜହ୍ନିଖାଇ, ବାରବାଟୀ, ଶୂନ୍ଯଗୋଷାଣୀ, ବେଲବାଇ, ଗେଲବାଇ, ବୁଢାବୁଢୀ, ଚମ୍ପାଥି, ନାଗା ଆଦି ଚାଳିଶିରୁ ଉର୍ଦ୍ଧ୍ବ ଗୋଷାଣୀ ଦେବୀ ମାନେ ବିରାଟ ପଟୁଆରରେ ଆସି ଦେବସଭାରେ ସାମିଲ ହୋଇଥାନ୍ତି ।

ଗୋସାଣୀମାନଙ୍କ ମୂର୍ତ୍ତି ପ୍ରତିବର୍ଷ ଗୋଟିଏ ପରିବାରର ସଦସ୍ୟଙ୍କଦ୍ୱାରା ଭାବେ ନିର୍ମାଣ କରାଯାଏ । ସେମାନଙ୍କ କହିବା ମତେ ଏହି ପରମ୍ପରା ୫୦୦ ବର୍ଷରୁ ଚାଲି ଆସୁଛି । ମହାନ ତନ୍ତ୍ରପୀଠ ଶ୍ରୀକ୍ଷେତ୍ରର ମୃଣ୍ମୟୀ ପୌରାଣିକ କାରଣ ରହିଛି। ମହାଦେବଙ୍କ ଧର୍ମପତ୍ନୀ ସତୀଙ୍କ ଦଶବିଧ ରୂପ ଗୋସାଣୀ ରୂପରେ ଶ୍ରୀକ୍ଷେତ୍ରରେ ପୁଜିତ ହେଉଥିବା କୁହାଯାଏ । ତନ୍ତ୍ରବିଦ୍ୟାର ମହାଦେବୀ ମାଆ ସତୀଙ୍କର ଦଶ ମହାବିଦ୍ୟାର ସ୍ୱରୂପ ତନ୍ତ୍ରପୀଠ ପୁରୀରେ ଅଷ୍ଟଭୂଜା, ଦଶଭୂଜା ଆଦି ରୂପରେ ଦୁଷ୍ଟ ବୁଦ୍ଧି ମହିଷାସୁରକୁ ବିନାଶ କରିବା ମୁଦ୍ରାରେ ପୂଜିତ୍ର ହୋଇଆସୁଛନ୍ତି ଦେବୀ ଦୁର୍ଗା ।

ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଦେବୀ ସଭା ନାମରେ ନାମିତ ଆସ୍ଥାନ ବଡ଼ଦାଣ୍ଡ ଉପରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣି ଏବଂ ନାଗା, ସ୍ପାତୀ ଚଢ଼େଇ, ବୁଢାବୁଢୀ, ରଥ, ରାବଣ ଇତ୍ୟାଦିଙ୍କୁ ଏକତ୍ର କରାଯାଇ ସ୍ଥାପନ କରାଯାଏ । ଶ୍ରୀମନ୍ଦିର ନୀଳଚକ୍ର ଉପରେ ମହାପ୍ରଭୁଙ୍କର ଏକାଦଶୀ କାଳିନ ମହାଦୀପ ଉଠିଲେ ଦେବୀ ମାଆ ଗୋଷାଣୀ, ନାଗା ଓ ଅନ୍ୟାନ୍ୟ ମୂର୍ତ୍ତିମାନଙ୍କୁ ଶୋଭାଯାତ୍ରାରେ ନିଆଯାଇ ମୂଷାନଦୀର ଦେବୀଘାଟରେ ବିସର୍ଜନ କରାଯାଏ ।

 

Leave A Reply

Your email address will not be published.