Latest Odisha News

BREAKING NEWS

ଆରମ୍ଭ ହୋଇଛି କାର୍ତ୍ତିକ ନୀତି, ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଗତକାଲି ଅର୍ଥାତ ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ । ଏହି ଏକ ମାସ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ହେବା ସହ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।

ପ୍ରତ୍ୟହ ଭୋର ୪ଟାରେ ଶ୍ରୀମନ୍ଦିର ଦ୍ୱାର ପିଟା ନୀତି ସମ୍ପର୍ଣ୍ଣ ହେବା ପରେ ୪ଟା ୩୦ରେ ଭିତର ଶୋଧ, ୫ଟାରେ ମଙ୍ଗଳ ଆଳତି, ୫ଟା ୩୦ରେ ମଇଲମ ଓ ତଡପଲାଗି, ୬ଟା ୧୫ରେ ଅବକାଶ ପରେ ୬ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ l ଏହାପରେ ୭ଟା ୧୫ରେ ସୂର୍ଯ୍ୟପୂଜା, ୭ଟା ୩୦ରେ ଦ୍ୱାରପାଳ ପୂଜା, ୮ଟାରେ ଗୋପାଳବଲ୍ଲବ, ୮ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ସକାଳ ଧୂପ ଅନୁଷ୍ଠିତ ହେବା ପରେ ୧୦ଟାରୁ ୧୦ଟା ୩୦ପର୍ଯ୍ୟନ୍ତ ବାଳଧୂପ ଅନୁଷ୍ଠିତ ହେବ । ଏହାପରେ ଅନାନ୍ୟ ନୀତିକାନ୍ତି ବଢ଼ି ରାତ୍ର ୧୨ ଟାରେ ରାତ୍ର ପହୁଡ଼ ନୀତି କରାଯିବ l

ଆଶ୍ୱିନ ଶୁକ୍ଲ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ଠାକୁରଙ୍କୁ ରାଧାଦାମୋଦର ବେଶ ଲାଗି ହୁଏ । କାର୍ତ୍ତିକ ମାସରେ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ବେଶର ଏପରି ନାମକରଣ କରାଯାଇଛି । କାର୍ତ୍ତିକ ମାସରେ ରାତ୍ର ଦୁଇଘଡି ଥାଇ ଆଳତି ଅବକାଶ ସରି ତାପରେ ରାଧାଦାମୋଦର ବେଶ ହୋଇ ଠାକୁର ବାଳଧୂପ ପର୍ଯ୍ୟନ୍ତ ରୁହନ୍ତି ।ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ସହ ଫୁଲଠାରୁ ଅଧିକ ସୁବର୍ଣ୍ଣ ଅଳଙ୍କାର ଲାଗେ । ମହାପ୍ରଭୁଙ୍କର ଚୂଳରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ ତ୍ରିମୁଣ୍ତି ଉପରେ ରହିଥାଏ । ଚୂଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭାପାଏ । କର୍ଣ୍ଣଦେଶରେ କୁଣ୍ତଳ , କଟିଦେଶରେ ଓଡିଆଣୀ, ମସ୍ତକରେ ତଡଗି, ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର , ସୁନା ଅଳଙ୍କାର ସହ ପାଟଶାଢୀ, ଫୁଟା ଶିରିକପଡା, ପହରଣ, ବଳା, ଅଧରବଳା, ଓ ଉତ୍ତରୀୟ ଲାଗିହୁଏ । ଏହି ସମୟରେ ଏକ ଅଧିକ ଭୋଗ ବାଳଭୋଗ ହୁଏ l

ଅନ୍ୟପଟେ କାର୍ତ୍ତିକ ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ମହାପ୍ରଭୁଙ୍କୁ କିପରି ଶୃଙ୍ଖଳିତ ଦର୍ଶନ କରିବେ ସେ ନେଇ ପ୍ରଶାସନ ବ୍ୟବସ୍ଥା କରିଛି। ପଞ୍ଚକରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏହି ମାସରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବେ। ଏହାକୁ ଦୃଷ୍ଟିରେ ରଖି କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟକୁ ଶୃଙ୍ଖଳିତ କରାଯିବା ସହ ମହାପ୍ରସାଦ ପ୍ରସ୍ତୁତିକୁ ମଧ୍ୟ ବ୍ୟବସ୍ଥିତ କରିବାକୁ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.