Latest Odisha News

ଷଡ଼ଯନ୍ତ୍ରକାରୀ କିଏ ?

ଭୁବନେଶ୍ବର: କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ବିରୋଧରେ କିଏ କରୁଛି ଷଡ଼ଯନ୍ତ୍ର? ଭରତପୁର ଥାନାରେ ଏତଲା । ଅଭିଯୋଗର ଟାଇମିଂକୁ ନେଇ ବର୍ଷିଲେ ଅଜୟ କୁମାର । ଆଗକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଥିବାରୁ ଜାଣିଶୁଣି ତାଙ୍କ ବିରୋଧରେ ଏତଲା ଦିଆଯାଇଥିବା ଅଜୟ କୁମାର କହିଛନ୍ତି। ରାଜନୈତିକ ଷଡ଼ଯନ୍ତ୍ର ଆଡକୁ ଆଙ୍ଗୁଳି ଦେଖାଇଛନ୍ତି । ପୂର୍ବରୁ ବି ଦଳ ଭିତରୁ ନେତା ଅଜୟଙ୍କ ବିରୋଧରେ ଟଙ୍କା ନେଇ ଟିକେଟ ପରିବର୍ତ୍ତନ କରିଥିବା ଅଭିଯୋଗ ଆଣିଥିଲେ । ତେବେ ପ୍ରଶ୍ନ ଉଠୁଛି, ଏତଲା  ଅଜୟଙ୍କ ବିରୋଧରେ ଷଡ଼ଯନ୍ତ୍ର କି?

ଅଜୟଙ୍କ ବିରୋଧରେ କାହିଁକି ଏତଲା?

ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ସହ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ନେତା ବିଶ୍ବରଞ୍ଜନ ମହାନ୍ତିଙ୍କ ବିରୋଧରେ ୧କୋଟି ୪୨ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭରତପୁର ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗ ହୋଇଛି, ଗତ ସାଧାରଣ ନିର୍ବାଚନ ପ୍ରଚାର ପାଇଁ ଏଲଇଡି ଟିଭି ଓ ଗାଡି ଯୋଗାଇବା ପାଇଁ ଆଶୁତୋଷ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ସହ ଶରତ ପଟ୍ଟନାୟକ ଓ ଅଜୟ କୁମାର ଦେଢ କୋଟି ଟଙ୍କା ଦେବାକୁ ଚୁକ୍ତି କରିଥିଲେ । ଆଗୁଆ ୮ଲକ୍ଷ ଦେଇଥିବା ବେଳେ ବାକି ଟଙ୍କା ନିର୍ବାଚନ ପରେ ଦେବାକୁ କହିଥିଲେ । ତେବେ ନିର୍ବାଚନ ସରିବା ପରେ ଟଙ୍କା ଦେବା ବଦଳରେ ଆଶୁତୋଶଙ୍କୁ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି ।

ନେତା ୪୨୦ ନା ବଡ଼ ଷଡ଼ଯନ୍ତ୍ର?

ଅଜୟ କୁମାରଙ୍କ ବିରୋଧରେ ହୋଇଥିବା ଅଭିଯୋଗ କେତେ ସତ? ଅଭିଯୋଗର ଟାଇମିଂକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଜୟ । ପୂର୍ବତନ ସାଂସଦ ତଥା ଝାଡ଼ଖଣ୍ଡର ପୂର୍ବତନ ପିସିସି ସଭାପତି ଅଜୟ କୁମାର ହାଇପ୍ରୋଫାଇଲ୍ ଜାମସେଦପୁର-ପୂର୍ବ ଆସନ ଟିକେଟ ପାଇଁ ଆଶାୟୀ ରେସରେ ସବୁଠୁ ଆଗରେ ରହିଛନ୍ତି। ଜାଣିଶୁଣି ଏହି ସମୟରେ ତାଙ୍କୁ ବଦନାମ କରିବାକୁ ଉଦ୍ୟମ ହେଉଥିବା ଅଜୟ କହିଛନ୍ତି । ଅଭିଯୋଗ ହିସାବରେ ଘଟଣା ଜୁନ୍ ୨୦ରେ ଘଟିଥିଲେ ବି କାହିଁକି ଅକ୍ଟୋବର ୧୨ତାରିଖରେ ଏତଲା ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ତାଙ୍କୁ ଅସୁବିଧାରେ ପକାଇବା ପାଇଁ ଆଶୁତୋଷଙ୍କୁ କେହି ପରାମର୍ଶ ଦେଇଥିବେ ବୋଲି ଅଜୟ କହିଛନ୍ତି । ସମସ୍ତ ଅଭିଯୋଗ ଖଣ୍ଡନ କରିବା ସହ ଟଙ୍କା ଦେବା ଚୁକ୍ତି ସଂପର୍କିତ କୌଣସି କାଗଜପତ୍ର ନାହିଁ ବୋଲି ସେ କହିଛନ୍ତି ।

ଦୋଷ ଠେଲିଦେଲେ ଶରତ ପଟ୍ଟନାୟକ

ଦେଢ କୋଟି ଟଙ୍କାର ଡିଲ ନେଇ କାଗଜପତ୍ର କିମ୍ବା ଦସ୍ତଖତ ନଥିବା କଥା କହି ଅଭିଯୋଗ ପଛର ଷଡ଼ଯନ୍ତ୍ର ଆଡକୁ ଆଙ୍ଗୁଳି ଦେଖାଇଛନ୍ତି ଅଜୟ କୁମାର। ତେବେ ଘଟଣାରେ ନିଜ ଉପରୁ ଦୋଷ ଠେଲି ଦେଇଛନ୍ତି ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ । ଦଳର ଫଣ୍ଡ ସଂପର୍କରେ ସେ ଜାଣିନାହାନ୍ତି । ପାଣ୍ଠିକୁ ଏଆଇସିସି ଓ ଅଜୟ କୁମାର ପ୍ରତ୍ୟକ୍ଷ ଭାବେ ନିୟନ୍ତ୍ରଣ କରୁଥିଲେ । ନିଜ ବିଧାନସଭା ମଣ୍ଡଳୀରେ ନିର୍ବାଚନ ପ୍ରଚାରରେ ସେ ବ୍ୟସ୍ତ ଥିଲେ ବୋଲି ଶରତ କହିଛନ୍ତି । ନୂଆପଡାରୁ ଲଢି ନିର୍ବାଚନ ହାରିଥିଲେ ଶରତ ପଟ୍ଟନାୟକ ।

ଆଗରୁ ବି ବିବାଦରେ ଥିଲେ ଅଜୟ

ନିର୍ବାଚନ ପରେ ପରେ ଦଳୀୟ ପାଣ୍ଠି ହେରଫେରକୁ ନେଇ ବି ବିବାଦ ଘେରରେ ରହିଥିଲେ ଅଜୟ କୁମାର। ଶରତ ପଟ୍ଟନାୟକ ଓ ଅଜୟ କୁମାର ବିଜେଡିଠାରୁ ଟଙ୍କା ନେଇ ବାରମ୍ବାର ଦଳୀୟ ଟିକେଟ୍ ପରିବର୍ତ୍ତନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଏଭଳି ସଂଗୀନ ଅଭିଯୋଗ ଆଣିଥିଲେ । ପରେ ମାନସଙ୍କୁ ଦଳ ବିରୋଧୀ ଓ ବିଶୃଙ୍ଖଳା ପାଇଁ ବହିଷ୍କାର କରାଯାଇଥିଲା । ତେବେ କଂଗ୍ରେସ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢିବା ପାଇଁ ଦଳ ଦେଇଥିବା ଟଙ୍କାକୁ ଉଭୟ ଶରତ ଓ ଅଜୟ ହେରଫେର କରିଥିବା ମାନସ ଚୌଧୁରୀ ଅଭିଯୋଗ କରିଥିଲେ । ସରକାର ବିରୋଧୀ ହ୍ବାଓ୍ବା ଥାଇ ମଧ୍ୟ କଂଗ୍ରେସ ସେଭଳି ଭଲ ପ୍ରଦର୍ଶନ କରିପାରିନଥିଲା। ଟିକେଟ୍ କିଣାବିକା ସହ ପାଣ୍ଠି ହେରଫେରକୁ ନେଇ ଅଭିଯୋଗରେ ଛନ୍ଦି ହୋଇଥିଲେ ଅଜୟ କୁମାର । ଏହାପରେ ଜୁଲାଇ ୨୧ତାରିଖରେ ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲେ ଏଆଇସିସି । ଏହାର ୩ମାସ ପରେ ବି ମଙ୍ଗୁଆଳ ବାଛି ପାରିନି କଂଗ୍ରେସ ।

Leave A Reply

Your email address will not be published.