Latest Odisha News

ଦୀପାବଳିରେ ନିଜକୁ ଦିଅନ୍ତୁ ଷ୍ଟାଇଲିଶ୍‌ ଲୁକ୍‌

ଭୁବନେଶ୍ଵର: ଆଲୋକର ପର୍ବ ଦୀପାବଳି। ସମସ୍ତଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସ ଆଣିଥାଏ ଏହି ପର୍ବ। ଏଣୁ ଲୋକେ ଏହି ଅବସରକୁ ମନ ଖୋଲି ପାଳନ କରିବାକୁ ଚାହିଁଥାନ୍ତି। ଘରର ସଫେଇ ଓ ସାଜସଜ୍ଜାଠାରୁ ଆରମ୍ଭ କରି ରୂପସଜ୍ଜା ପର୍ଯ୍ୟନ୍ତ ସବୁ ଦିଗରେ ଧ୍ୟାନ ଓ ଧନ ଖର୍ଚ୍ଚ କରିଥାନ୍ତି। ଭଳି କି ଭଳି ରଙ୍ଗିନ ଆଲୋକମାଳାରେ ଘରକୁ ସଜେଇ ଦିଅନ୍ତି। ଏ ସବୁ ଭିତରେ ଦୀପାବଳି ଫ୍ୟାଶନ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ହେଲେ ଏହାକୁ ନେଇ ଲୋକେ ପ୍ରାୟତଃ ଦ୍ୱନ୍ଦ୍ୱରେ ରହିଥାନ୍ତି। ସାଧାରଣତଃ ଏହି ଅବସରରେ ମହିଳା ଓ ପୁରୁଷମାନେ ଏଥନିକ୍ ଡ୍ରେସ୍ ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଏହାସହ ପାରମ୍ପରିକ ଆଉଟଫିଟ ସହ ଗହଣା ଓ ଫୁଟଓ୍ୱେୟାର ମଧ୍ୟ ମ୍ୟାଚ୍ କରିପାରିବେ। ତେବେ ଆସନ୍ତୁ ଜାଣିବା ଦୀପାବଳି ଫ୍ୟାଶନ ପାଇଁ କିଛି ଟିପ୍ସ…

ଆଲୋକର ପର୍ବ ଦୀପାବଳିକୁ ଆହୁରି ଖାସ୍ କରିବ ସୁନ୍ଦର ପୋଷାକ। ଏହି ଦିନକୁ ବର୍ଷ ତମାମ ମନେ ରଖିବାକୁ ମହିଳାମାନେ ସୁନ୍ଦର ଡିଜାଇନର ଲେହେଙ୍ଗା ଚୋଲି ପିନ୍ଧିପାରିବେ। ଲେହେଙ୍ଗା ଫ୍ୟାଶନ୍ କେବେ ବାସି ହୋଇ ନ ଥାଏ। ଏହାସହ ଆପଣ ଡିଜାଇନର ଶାଢ଼ି ମଧ୍ୟ ପିନ୍ଧିପାରିବେ। ସିଫନ୍‌, ନେଟ୍‌, ବ୍ରାସୋ ପରି ହାଲକା ଶାଢ଼ୀ ଟ୍ରାଏ କରନ୍ତୁ। ଏହା ସମ୍ଭାଳିବାକୁ ମଧ୍ୟ ସହଜ ହେବା ସହ ଆପଣଙ୍କୁ ଷ୍ଟାଇଲିଶ୍‌ ଲୁକ୍‌ ଦେବ। ଧ୍ୟାନ ଦେବେ, ଏହି ଶାଢ଼ୀ ସହ ଆପଣଙ୍କ ବ୍ଲାଉଜ୍‌ ଯେପରି ଟିକେ ହେଭି ୱାର୍କର ହୋଇଥିବ। ତେବେ ଡିଜାଇନର ଆଉଟଫିଟ୍ ଯାହାବି ପିନ୍ଧୁଛନ୍ତି କିନ୍ତୁ ଏହାସହ ପାରମ୍ପରିକ ଗହଣା ପିନ୍ଧିବାକୁ ଜମା ଭୁଲିବେନି। ଦୀପାବଳିରେ ହାଲୁକା ରଙ୍ଗର ପୋଷାକ ବଦଳରେ ଡାର୍କ ଓ ବ୍ରାଇଟ୍ କଲର୍ ପୋଷାକ ବାଛନ୍ତୁ। ଏହାସହ ମହିଳାମାନେ ଯେକୌଣସି ଡିଜାଇନର ସଲଓ୍ୱାର-କୁର୍ତ୍ତୀ ବା କୁର୍ତ୍ତୀ ବା ସ୍କର୍ଟ କମ୍ୱିନେସନ ପିନ୍ଧିପାରିବେ।

ପୁରୁଷମାନେ ମାଆ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବାକୁ ବ୍ରାଇଟ୍ କଲର କୁର୍ତ୍ତା-ପାଏଜାମା ବା କୁର୍ତ୍ତା-ଚୁଡ଼ିଦାର ପିନ୍ଧନ୍ତୁ। ଏହା ବ୍ୟତୀତ ବ୍ରାଇଟ୍ କୁର୍ତ୍ତା ସହ ଖଦି ଜ୍ୟାକେଟ୍ ଆପଣଙ୍କ ବ୍ୟକ୍ତିତ୍ୱକୁ ବହୁଗୁଣିତ କରିଦେବ।

Leave A Reply

Your email address will not be published.