Latest Odisha News

ରୋହିତ-ଗମ୍ଭୀରଙ୍କ ମଧ୍ୟରେ ସୃଷ୍ଟି ହୋଇଛି ମତଭେଦ

ମୁମ୍ବାଇ: ଟି୨୦ ବିଶ୍ୱକପ ୨୦୨୪ ଜିତିବା ପରେ ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ ଠିକ ଲୟରେ ଆସି ଯାଇଥିବା ପ୍ରଶଂସକମାନେ ଧରି ନେଇଥିଲେ । ମାତ୍ର ଏହା ପରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଟି୨୦ରେ ଦଳର ପ୍ରଦର୍ଶନ ଠିକଠାକ ଥିଲେ ମଧ୍ୟ ଦିନିକିଆ ଏବଂ ଟେଷ୍ଟରେ ଦଳ ପ୍ରଭାବ ପକାଇ ପାରୁ ନାହିଁ । ନ୍ୟୁଜିଲାଣ୍ଡ ନିକଟରୁ ଟେଷ୍ଟ ସିରିଜ ହାରିବା ପରେ ଏବେ କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଛି ।

ଏପରିକି ଦଳ ମଧ୍ୟରେ ଏହାର ପ୍ରଭାବ ପଡିବାରେ ଲାଗିଛି । କେତେଜଣ ଖେଳାଳି ଗମ୍ଭୀରଙ୍କ ନୀତିକୁ ସମର୍ଥନ କରୁଥିବା ବେଳେ ଅନ୍ୟମାନେ ରୋହିତଙ୍କ ସପକ୍ଷରେ ରହିଛନ୍ତି । ରିପୋର୍ଟ ମୁତାବକ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ଗମ୍ଭୀରଙ୍କ କେତେକ ନିଷ୍ପତି ରୋହିତଙ୍କୁ ପସନ୍ଦ ଆସୁ ନାହିଁ । ଗମ୍ଭୀର ସିନିୟର ଖେଳାଳିଙ୍କ ପ୍ରଦର୍ଶନ ନେଇ ସନ୍ତୁଷ୍ଟ ନାହାନ୍ତି । ଶ୍ରୀଲଙ୍କା ବିପକ୍ଷରେ ଦିିନିକିଆ ସିରିଜ ହାରିବା ପରେ ଏବେ ଟେଷ୍ଟରେ ନ୍ୟୁଜିଲାଣ୍ଡ ଘରୋଇ ପରିବେଶରେ ଭାରତକୁ ମାତ ଦେଇଛି ।

ସିନିୟର ଖେଳାଳି ଯଦି ଠିକ ଭାବେ ପ୍ରଦର୍ଶନ କରିପାରୁ ନାହାନ୍ତି ତେବେ ଟିମରୁ ବାହାରି ଯାଆନ୍ତୁ ବୋଲି ଗମ୍ଭୀର କହିଥିଲେ । ଯାହାକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ସିନିୟର ଖେଳାଳିମାନେ ରୋହିତଙ୍କୁ ଖୋଲାଖୋଲି ଭାବେ ସମର୍ଥନ ଜଣାଇଛନ୍ତି । କେତେକ ଖେଳାଳି ଗମ୍ଭୀର ସପକ୍ଷରେ ରହିଥିବା ବେଳେ ଅନ୍ୟ କେତେଜଣ ନିରପେକ୍ଷ ରହିଛନ୍ତି । ତେବେ ଏହି ଖବରର ସତ୍ୟତା କେତେ ତାହା କମ ଦିନ ମଧ୍ୟରେ ଜଣା ପଡିବ । କୋଚ ଏବଂ ଅଧିନାୟକଙ୍କ ମଧ୍ୟରେ ଏ ଭଳି ମତଭେଦ ନୂଆ କଥା ନୁହେଁ । ୱାର୍ଲ୍ଡ ଟେଷ୍ଟ ସିରିଜ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ଜଣେ ସିନିୟର ଖେଳାଳି କହିଛନ୍ତି ।

Comments are closed.