ରଣଜୀ ଟ୍ରଫି ଗ୍ରୁପ୍ ସିର ପ୍ରଥମ ମ୍ୟାଚରେ ଗୁଜରାଟ ଦଳ ଓଡ଼ିଶାକୁ ୧୦ ୱିକେଟ୍ରେ ପରାସ୍ତ କରି ଏକ ଦମଦାର୍ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଏହି ଜିତ ସହିତ ଗୁଜରାଟ ବୋନସ ପଏଣ୍ଟ ମଧ୍ୟ ହାସଲ କରିଛି । ମ୍ୟାଚ୍ର ତୃତୀୟ ଦିନରେ ଓଡ଼ିଶା ଦଳ ନିଜର ଦ୍ୱିତୀୟ ପାଳିରେ ମାତ୍ର ୧୬୧ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଓଡ଼ିଶା ପକ୍ଷରୁ ସନ୍ଦୀପ ପଟ୍ଟନାୟକ ସର୍ବାଧିକ ୬୫ ରନ୍ ଏବଂ ନିନାଦ ରଥବା ୫୩ ରନ୍ କରିଥିଲେ ।ଗୁଜରାଟର ବାମହାତୀ ସ୍ପିନର୍ ସିଦ୍ଧାର୍ଥ ଦେଶାଇ ଓଡ଼ିଶା ବ୍ୟାଟ୍ସମ୍ୟାନ୍ମାନଙ୍କୁ ବାନ୍ଧି ରଖିଥିଲେ ଏବଂ ମାତ୍ର ୩୬ ରନ୍ ଦେଇ ୫ଟି ୱିକେଟ୍ ଅକ୍ତିଆର କରିଥିଲେ ।
ଏହା ତାଙ୍କ ପ୍ରଥମ ଶ୍ରେଣୀ କ୍ରିକେଟ୍ କ୍ୟାରିଅର୍ର ୧୬ତମ ଫାଇଭ୍-ୱିକେଟ୍ ହଲ୍ ଥିଲା । ଓଡ଼ିଶା ଦ୍ୱିତୀୟ ପାଳିରେ ମାତ୍ର ୧୬୧ ରନ୍ କରିବାରୁ ଗୁଜରାଟ ସାମ୍ନାରେ ମାତ୍ର ୪୭ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା । ଗୁଜରାଟ ୯.୩ ଓଭରରେ ବିନା କୌଣସି ୱିକେଟ୍ ହରାଇ ୪୭ ରନ୍ର ଲକ୍ଷ୍ୟକୁ ହାସଲ କରିନେଇଥିଲେ । ଗୁଜରାଟର ଆର୍ୟ୍ୟ ଦେଶାଇ ୩୭ ରନ୍ କରି ଅପରାଜିତ ରହିଥିଲେ । ଏହି ବିଜୟ ପରେ ଗୁଜରାଟ ବୋନସ ପଏଣ୍ଟ ସହ ମୋଟ ୭ ପଏଣ୍ଟ ହାସଲ କରିଥିବାବେଳେ ଓଡ଼ିଶାକୁ ୦ ପଏଣ୍ଟ ମିଳିଛି ।
ସଂକ୍ଷିପ୍ତ ସ୍କୋରବୋର୍ଡ
ଓଡ଼ିଶା (୧ମ ପାଳି): ୩୨୪/୧୦, ଗୁଜରାଟ (୧ମ ପାଳି): ୪୩୯/୧୦ (ଭେଦାନ୍ତ ତ୍ରିବେଦୀ ୧୦୮, ଆର୍ୟ୍ୟ ଦେଶାଇ ୯୪, ବାଦଲ ବିଶ୍ୱାଳ ୫/୧୧୮), ଓଡ଼ିଶା (୨ୟ ପାଳି): ୧୬୧/୧୦ (ସନ୍ଦୀପ ପଟ୍ଟନାୟକ ୬୫, ନିନାଦ ରଥବା ୫୩; ସିଦ୍ଧାର୍ଥ ଦେଶାଇ ୫/୩୬, ଅରଜାନ ନାଗୱାସୱାଲା ୩/୩୩) । ଗୁଜରାଟ (୨ୟ ପାଳି): ୪୭/୦ (୯.୩ ଓଭର) (ଆର୍ୟ୍ୟ ଦେଶାଇ ୩୭) ।

