Latest Odisha News

ମହାରାଷ୍ଟ୍ର ମହାଭାରତରେ ସନ ରାଇଜିଂ !

ନୂଆଦିଲ୍ଲୀ: ମହାରାଷ୍ଟ୍ର କୁରୁକ୍ଷେତ୍ରରେ ବରିଷ୍ଠ ନେତାଙ୍କ ପୁଅ ଝିଅ । ରାଜନୈତିକ ଭିରାସତକୁ ଆଗକୁ ନେବାକୁ ସମରସଜ୍ଜା । ବିରୋଧୀଙ୍କ ପାଇଁ ପଛରୁ ଗୋଟି ଚଳାଇବେ ବାପା । କେଉଁଠି ବାଜିରେ ଲାଗିଛି ପରିବାରର ସମ୍ମାନ ତ କେଉଁଠି କ୍ଷମତା ପାଇଁ ପରିବାର ସଦସ୍ୟ ହିଁ ମୁହାଁମୁହିଁ । ପ୍ରଥମ ମ୍ୟାଚରେ ହିଁ ମ୍ୟାନ ଅଫ ଦି ମ୍ୟାଚ୍ ହେବାକୁ ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ । ଠାକରେ, ପାଓ୍ବାର ହୁଅନ୍ତୁ କି ନାରାୟଣ ରାଣେ । ମହାରାଷ୍ଟ୍ରରେ ଏଥର ଦେଖିବାକୁ ମିଳିବ ପରିବାର ପଲିଟିକ୍ସର ରୋଚକ ରଙ୍ଗ । କେଉଁଠି ଓ କାହା ସହ ଟକ୍କର ଦେବେ ରାଜନୈତିକ ପ୍ରଡକ୍ସନ ହାଉସର ନେପୋ କିଡସ? କଣ ରହିଛି ସମୀକରଣ?

ଠାକରେ ପରିବାରକୁ ‘ମହା’ ଚ୍ୟାଲେଞ୍ଜ

୨୦୧୯ରେ ପ୍ରଭାବଶାଳୀ ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ନିର୍ବାଚନ ରାଜନୀତିକୁ ଓହ୍ଲାଇଥିଲେ ଆଦିତ୍ୟ ଠାକରେ । ସେ ପର୍ଯ୍ୟନ୍ତ ନା ବାପା ଉଦ୍ଧବ ଠାକରେ ନା ଦାଦା ରାଜ ଠାକରେ, କେହି ବି ନିର୍ବାଚନ ରାଜନୀତିକୁ ଆସିନଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ହିଁ ବିଧାନ ପରିଷଦ ଯାଇଥିଲେ ଉଦ୍ଧବ । କେବେ ନିର୍ବାଚନ ଲଢିନଥିବା ରାଜ ଠାକରେ ଏଥର ମଇଦାନକୁ ତାଙ୍କ ପୁଅ ଅମିତ ଠାକରେଙ୍କୁ ଓହ୍ଲାଇଛନ୍ତି। କାରଣ ରାଜନୀତିରେ ପ୍ରଶ୍ନ ଉତ୍ତରାଧିକାରୀର । ଏପରିକି ଆଦିତ୍ୟ ଠାକରେଙ୍କ ବିପକ୍ଷରେ ବି ପ୍ରାର୍ଥୀ ଦେଇଛି ଏମଏନଏସ । ତେବେ ଆଦିତ୍ୟଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହୋଇପାରନ୍ତି ମୁରଲୀ ଦେଓ୍ବରାଙ୍କ ପୁଅ ମିଲିନ୍ଦ ଦେଓ୍ବରା । ସେହିପରି ଉଦ୍ଧବ ଠାକରେଙ୍କ ପକ୍ଷରୁ ସଂପର୍କୀୟ ବରୁଣ ସରଦେଶାଇ ବାନ୍ଦ୍ରା ପୂର୍ବରୁ ନିର୍ବାଚନ ମଇଦାନରେ ରହିଛନ୍ତି । ବାବା ସିଦ୍ଦିକିଙ୍କ ପୁଅ ଜିସାନ ସିଦ୍ଦିକିଙ୍କ ସହ ତାଙ୍କର ମୁକାବିଲା ହେବ । ପୂର୍ବରୁ କଂଗ୍ରେସ ବିଧାୟକ ରହିଥିବା ଜିସାନ ଏଥର ଅଜିତ ପାଓ୍ବାରଙ୍କ ଏନସିପିରୁ ପ୍ରାର୍ଥୀ ହୋଇଛନ୍ତି ।

ପାଓ୍ବାର ପରିବାରରେ ‘ପାଓ୍ବାର’ ସଂଘର୍ଷ

ଠାକରେ ପରିବାର ଭଳି ପାଓ୍ବାର ପରିବାର ବି ଏଥର ନିର୍ବାଚନ ମଇଦାନରେ ଆମନା ସାମନି ହୋଇଛନ୍ତି । ଏନସିପି ଦୁଇ ଭାଗ ହେବା ପରେ ପ୍ରଥମ ବିଧାନସଭା ନିର୍ବାଚନ ହେଉଛି । ବାରାମତିରେ ଦେଖିବାକୁ ମିଳିବ ଦାଦା ପୁତୁରା ଲଢେଇ । ଅଜିତ ପାଓ୍ବାରଙ୍କ ବିପକ୍ଷରେ ପୁତୁରା ଯୁଗେନ୍ଦ୍ର ପାଓ୍ବାରଙ୍କୁ ମଇଦାନରେ ଓହ୍ଲାଇଛନ୍ତି ଶରଦ ପାଓ୍ବାର । ଗତ ଲୋକସଭା ନିର୍ବାଚନରେ ବି ବାରାମତି ଦେଖିଥିଲା ପରିବାର ଫାଇଟ୍ । ସୁପ୍ରିୟା ସୁଲେଙ୍କ ବିରୋଧରେ ଅଜିତ ପାଓ୍ବାର ପତ୍ନୀ ସୁନେତ୍ରାଙ୍କୁ ପ୍ରାର୍ଥୀ କରିଥିଲେ । ସୁପ୍ରିୟାଙ୍କଠାରୁ ହାରିବା ପରେ ରାଜ୍ୟସଭା ସାଂସଦ ହୋଇଛନ୍ତି ସୁନେତ୍ରା ।

ମଇଦାନରେ ନାରାୟଣ ରାଣେଙ୍କ ଦୁଇ ପୁଅ

ଶିବସେନାରୁ ମୁଖ୍ୟମନ୍ତ୍ରୀ ରହିଥିବା ନାରାୟଣ ରାଣେଙ୍କର ଦୁଇ ପୁଅ ଏଥର ନିର୍ବାଚନ ଲଢୁଛନ୍ତି । ଉଦ୍ଧବ ଠାକରେଙ୍କୁ ଲଗାତର ଟାର୍ଗେଟ୍ କରୁଥିବା ନିତେଶ ରାଣେଙ୍କୁ ବିଜେପି ପୁଣି କଣକବଲି ବିଧାନସଭା ସିଟରୁ ପ୍ରାର୍ଥୀ କରିଛି । ତେବେ ନାରାୟଣ ରାଣେଙ୍କ ବଡପୁଅ ନିଲେଶ ରାଣେଙ୍କୁ ବିଜେପି ଟିକେଟ ଦେଇନଥିଲା । ପରେ ତାଙ୍କୁ ଏକନାଥ ସିନ୍ଦେ ଶିବସେନା କୁଡାଲ ସିଟରୁ ପ୍ରାର୍ଥୀ କରିଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ବିଜେପିକୁ ଯିବା ପରେ ତାଙ୍କୁ ରାଜ୍ୟସଭା ପଠାଯାଇଛି । ଏଥର ତାଙ୍କ ଝିଅ ଶ୍ରୀଜୟା ଚୌହାନ ପରିବାରର ତୃତୀୟ ପୀଢି ଭାବେ ପାରମ୍ପରିକ ସିଟ୍ ଭୋକରରୁ ନିର୍ବାଚନ ଲଢୁଛନ୍ତି । ସେହିପରି ମହାରାଷ୍ଟ୍ର ରାଜନୀତିର ବରିଷ୍ଠ ନେତା ଛଗନ ଭୁଜବଳଙ୍କ ପୁତୁରା ସମୀର ଭୁଜବଳ ନନ୍ଦଗାଓଁ ବିଧାନସଭା ସିଟରୁ ସ୍ବାଧୀନ ଭାବେ ନାମାଙ୍କନ ଭରିଛନ୍ତି । ମହାୟୁତି ମେଣ୍ଟର ସିଟ୍ ଭାଗବଣ୍ଟା ବେଳେ ଏହି ସିଟ ଏକନାଥ ସିନ୍ଦେଙ୍କ ଖାତାକୁ ଯାଇଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ ଅଜିତ ପାଓ୍ବାରଙ୍କ ଏନସିପିର ମୁମ୍ବାଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ସ୍ବାଧୀନ ଭାବେ ଲଢୁଛନ୍ତି ସମୀର । ସୁନିଲ ଦେଶମୁଖ, ରୋହିତ ପାଟିଲ ହୁଅନ୍ତୁ କି ସନା ମଲ୍ଲିକ, ସମ୍ଭାଜୀରାଓ ପାଟିଲ, ମହାରାଷ୍ଟ୍ର ରାଜନୀତିର ନେପୋ କିଡସଙ୍କ ସଂଖ୍ୟା ବେଶ୍ ଲମ୍ବା ।

Leave A Reply

Your email address will not be published.