ପୁରୀ: ଗତକାଲି ସାରା ଦେଶରେ ଦୀପାବଳି ପାଳନ କରାଯାଇଥିବା ବେଳେ ଆଜି ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ଦୀପାବଳି ଅମାବାସ୍ୟା ନୀତି । ଏଥିସହ ଓଡିଶାର ଅନେକ ସ୍ଥାନରେ ମଧ୍ୟ ଆଜି ଦୀପାବଳି ପାଳନ କରାଯିବ । ସକାଳୁ ସକାଳୁ ପୁରୀ ବଡଦାଣ୍ଡରେ ପୟାଶ୍ରାଦ୍ଧ, ବଡ଼ବଡୁଆ ଡାକ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଶ୍ରୀଜିଉଙ୍କ ଦର୍ଶନ ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳି ବଡବଡୁଆ ଡାକିଛନ୍ତି ଶ୍ରଦ୍ଧାଳୁ ।
ହିନ୍ଦୁ ଧର୍ମରେ ମହାଳୟା ଦିନ ଠାରୁ ପିତୃ ପୁରୁଷ ମାନେ ମର୍ତ୍ତ୍ୟ ପୁରକୁ ଆସିଥାନ୍ତି । ସେଥିପାଇଁ ଉକ୍ତ ମାସକୁ ମହଳା ମାସ ମଧ୍ୟ କୁହାଯାଇଥାଏ । ଏହି ସମୟରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବାର ପରମ୍ପରା ରହିଛି । ତେଣୁ ମହାଳୟାକୁ ମର୍ତ୍ତ୍ୟକୁ ଆସିଥିବା ପିତୃ ପୁରୁଷ ମାନଙ୍କୁ ଏହିଦିନ ବିଦାୟ ଦିଆଯାଇଥାଏ । ପିତୃ ପୁରୁଷଙ୍କୁ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ଘରର ଦେଇପିଣ୍ଡିରେ କାଉଁରିଆ କାଠି ଜାଳି ବାଡି ପାଖ ଖତ ଗଦାରେ ପୋତା ଯାଇଥାଏ । ପିତୃ ପୁରୁଷଙ୍କୁ ସ୍ୱର୍ଗ ଲୋକକୁ ଫେରିବା ପାଇଁ କାଉଁରିଆ କାଠି ଜାଳି ଆଲୋକ ଦେଖା ଯାଇଥାଏ ।
ତେବେ ଦୀପାବଳୀ ତିଥୀକୁ ନେଇ ଦେଖାଦେଇଥିବା ଦ୍ଵନ୍ଦ କାରଣରୁ ଗତକାଲି ଅନେକ ସ୍ଥାନରେ ବଡବଡୁଆ ଡାକ ଏବଂ ପୟାଶ୍ରାଦ୍ଧ ଦିଆଯାଇଛି । ସେହିପରି ଅନେକ ସ୍ଥାନରେ ଆଜି ବଡବଡୁଆ ଡକାଯିବ ।