ନୂଆଦିଲ୍ଲୀ: ଭୋପାଳର ସାଂସଦ ତଥା ବିଜେପି ନେତ୍ରୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ ପରାମର୍ଶଦାତା କମିଟିରେ ସାମିଲ ହୋଇଛନ୍ତି ।ଏହି ୨୧ ସଦସ୍ୟ ବିଶିଷ୍ଟ ପାନେଲର ନେତୃତ୍ୱ ନେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ଏହାସହ ବିରୋଧୀ ନେତା ଫାରୁକ୍ ଅବଦୁଲ୍ଲା, ତୃଣମୂଳ କଂଗ୍ରେସର ସୌଗତ ରାୟ, ଡିଏମକେର ଏ. ରାଜା ଏବଂ ଏନସିପିର ମୁଖ୍ୟ ଶରଦ ପାୱାର ମଧ୍ୟ ଏହି କମିଟିରେ ସାମିଲ ହୋଇଛନ୍ତି।
ତେବେ ସାଧ୍ୱୀ ପ୍ରଜ୍ଞାଙ୍କୁ ଏହି କମିଟିରେ ସାମିଲ କରିଥିବାରୁ ବିଜେପି ସମାଲୋଚନାର ସମ୍ମୁଖୀନ ହୋଇଛି । ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ବିଡମ୍ବନା ବୋଲି କହିଛି କଂଗ୍ରେସ । “ଆତଙ୍କବାଦୀ ମାମଲାରେ ସାମିଲଥିବା ଏଭଳି ଜଣଙ୍କୁ ପ୍ରତିରକ୍ଷା ବିଭାଗର ପ୍ୟାନେଲରେ ସ୍ଥାନ ଦିଆଯାଇଥିବା ଏକ ଲଜ୍ୟାର ବିଷୟ । ମୋଦି ସରକାରଙ୍କ ଦ୍ଵାରା ନିଆଯାଇଥିବା ଏହି ପଦକ୍ଷେପ ଆମ ଦେଶର ସେନାବଳ ପାଇଁ ଏକ ଅପମାନ” ବୋଲି କଂଗ୍ରେସ କହିଛି ।
ଅଧିକାଂଶ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ତଥା ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାର ଅନ୍ୟତମ ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ୨୦୧୯ ଲୋକସଭା ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ପରାସ୍ତ କରିଥିଲେ।
Comments are closed.