Latest Odisha News

ରତ୍ନ ଭଣ୍ଡାର ସୁଡଙ୍ଗ ରହସ୍ୟ…କହିଦେଲେ ମନ୍ତ୍ରୀ

ପୁରୀ: ରତ୍ନ ଭଣ୍ଡାରରେ ଗୁପ୍ତ ସୁଡଙ୍ଗ ବା କିଛି ଗୁପ୍ତ କୋଠରୀ ରହିବା ପ୍ରସଙ୍ଗକୁ ନେଇ ଆଜି ବଡ ବୟାନ ଦେଇଛନ୍ତି ମନ୍ତ୍ରୀ । ରତ୍ନଭଣ୍ଡାରରେ କୌଣସି ସୁଡଙ୍ଗ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ନାହିଁ । ପ୍ରାଥମିକ ଆଲୋଚନାରୁ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନଥିବା ଜଣାପଡ଼ିଛି । ଏନେଇ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହାର ପରେ ସୁଡଙ୍ଗ ଚର୍ଚ୍ଚା ଅଧିକ ସ୍ପଷ୍ଟ ହେବ । ଏଥିସହିତ ମରାମତି ନେଇ ମନ୍ତ୍ରୀ କହିଛନ୍ତି, କାର୍ତ୍ତିକ ପାଇଁ ଶ୍ରୀମନ୍ଦିରରେ ଭିଡ଼ ରହିଛି, ଏହାପରେ ମରାମତି କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରାୟ ଦେଢମାସ ଭିତରେ ମରାମତି କାର୍ଯ୍ୟ ସରିବ । ଏହାପରେ ନୂଆବର୍ଷରୁ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ତେବେ କହିରଖୁଛୁ, ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠିବା ଦିନଠୁ ଗୋଟିଏ ପ୍ରସଙ୍ଗ ଯାହା ବେଶ୍ ଚର୍ଚ୍ଚାରେ ଥିଲା ତାହା ହେଲା ରତ୍ନଭଣ୍ଡାର ଭିତରେ ଥିବା ଗୁପ୍ତ ସୁଡଙ୍ଗ । ଯାହାକୁ ନେଇ ଅନେକ ଲୋକ ଅନେକ ମତ ପ୍ରକାଶ କରିଛନ୍ତି । ସାରା ଓଡିଶା ଲୋକଙ୍କ ମଧ୍ୟରେ ବି ଏହାର ଉତ୍କଣ୍ଠା ଏବେ ବି ଭରି ରହିଛି । ଆଉ ବିଶ୍ବାସ ବି ଅଛି ଯେ ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ କିଛି ରହସ୍ୟମୟୀ ସୁଡଙ୍ଗ ମଧ୍ୟ ରହିଛି । ଲୋକଙ୍କ ବିଶ୍ବାସକୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାର ସ୍ଥାନାନ୍ତରଣ ଓ ଯାଞ୍ଚ ପରେ ବି ପୁଣି ଥରେ ରତ୍ନଭଣ୍ଡାର ଖୋଲାଯାଇ ସୁଡଙ୍ଗ ଅଛି କି ନାହିଁ ବୋଲି ଯାଞ୍ଚ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ପୂର୍ବତନ ଜଷ୍ଟିସ ବିଶ୍ବନାଥ ରଥ ।

ଯାହା ପରେ ଏଏସଆଇ ଦ୍ବାରା ରତ୍ନଭଣ୍ଡାରର ବୈଷୟିକ ଯାଞ୍ଚ କରାଯାଇଥିଲା । ଯାଞ୍ଚ ପ୍ରକ୍ରିୟା ସରିଥିବା ବେଳେ ଏବେ ସୁଡଙ୍ଗ ନଥିବା କଥା କହିଛନ୍ତି ମନ୍ତ୍ରୀ । ଏଥିସହିତ ମନ୍ତ୍ରୀ କହିଛନ୍ତି ପ୍ରାଥମିକ ପ୍ରକ୍ରିୟାରେ ପ୍ରଥମେ ରତ୍ନଭଣ୍ଡାର ମରାମତି କରାଯିବ । ମରାମତି ପରେ ଏଏସଆଇର ଉଚ୍ଚସ୍ତରୀୟ କମିଟିଙ୍କ ଦ୍ବାରା ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରାଯିବ । ୧୯୭୮ ମସିହା ଡାଟାବେସ୍‌ ଅନୁଯାୟୀ ଅଳଙ୍କାର ମେଳକ କରାଯିବ ।

Leave A Reply

Your email address will not be published.