ଭୁବନେଶ୍ବର: ବାୟୁମଣ୍ଡଳକୁ ଆଶ୍ବସ୍ତି ଦେଇଛି ଅଦିନିଆ ବର୍ଷା । ଗତକାଲି ବିଭିନ୍ନ ସ୍ଥାନରେ ଦୀପାବଳି ପାଳନ କରାଯାଇଥିବା ବେଳେ ବାଣ ଫୁଟା ଯୋଗୁଁ ଭୁବନେଶ୍ୱରରେ ବାୟୁ ଗୁଣବତ୍ତା(ଏକ୍ୟୁ) ଅତ୍ୟନ୍ତ ଖରାପ ହୋଇଯାଇଥିଲା । ବୁଧବାର ସକାଳେ ବାୟୁର ଗୁଣବତ୍ତା ୬୦ରୁ ୭୦ ଏକ୍ୟୁ ଥିବା ବେଳେ ସନ୍ଧ୍ୟାରେ ଏହା ୧୦୦ ଏକ୍ୟୁକୁ ବୃଦ୍ଧି ପାଇଥିଲା । ଗତକାଲି ସନ୍ଧ୍ୟାରେ ବାଣ ଫୁଟା କାରଣରୁ ଏହା ୨୩୦ରୁ ୨୪୦ ଏକ୍ୟୁ ହୋଇଯାଇଥିଲା । ତେବେ ବାଣ ଫୁଟା ଯୋଗୁଁ ବାୟୁମଣ୍ଡଳର ସ୍ଥିତି ଅସନ୍ତୋଷଜନକ ଥିବା ବେଳେ ଆଜି ସକାଳେ ହଠାତ୍ ବର୍ଷା ଏହାକୁ ଆଶ୍ବସ୍ତି ଦେଇଥିଲା । ବର୍ଷା ପରେ ଭୁବନେଶ୍ୱର ବାୟୁ ଗୁଣାବତ୍ତା ସିଧା ୧୩୩ ଏକ୍ୟୁକୁ ଖସିଆସିଥିଲା । ଯାହା ଆଗକୁ ଧିରେ ଧିରେ ସ୍ଥାୟୀ ସ୍ଥିତିକୁ ଆସିଯିବ । ତେବେ ବର୍ଷା ଯୋଗୁଁ ପ୍ରଦୂଷଣର ମାତ୍ରା କମିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।
ଏତିସହିତ ବାଣ ଫୁଟା ଯୋଗୁଁ ବାଲେଶ୍ୱର, ରାଉରକେଲା, ତାଳଚେର ୧୦୦ ଏକ୍ୟୁ ଉପରେ ରହିଥିଲା । ବାଲେଶ୍ୱର ଓ ରାଉରକେଲା ବର୍ତ୍ତମାନ ୧୩୦ରୁ ୧୪୦ ଏକ୍ୟୁ ରହିଥିବା ବେଳେ ସର୍ବାଧିକ ତାଳଚେରରେ ୨୫୬ ଏକ୍ୟୁ ରହିଛି । ଏଥିସହିତ ଉତ୍ତର ଭାରତରେ ୩୦୦ ଏକ୍ୟୁ ରହିଛି । ସେପଟେ ଇଣ୍ଡୋ ଗ୍ୟାଙ୍ଗେଟିକ ଅଞ୍ଚଳରେ ସ୍ଥିତି ଖରାପ ହେବାରୁ ତାହାର ପ୍ରଭାବ ପଶ୍ଚିମବଙ୍ଗ, ରାଉରକେଲା, ବାଲେଶ୍ୱରରେ ପଡୁଛି । ୨୦୨୨ରେ ପ୍ରଦୂଷଣ ମାତ୍ରା ଅଧିକ ଥିଲା । ୨୦୨୩ ରେ ଏହା ସାମାନ୍ୟ କମିଥିଲା । ଚଳିତ ବର୍ଷ ଗତଥର ଅପେକ୍ଷା ଆହୁରି କମିଛି ବୋଲି କହିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।
ଗତକାଲି ତାଳଚେର ଓ ଭୁବନେଶ୍ୱରରେ ବାୟୁମଣ୍ଡଳରେ ଏକ୍ୟୁ ମାତ୍ରା ଅଧିକ ରହିଥିଲା ବେଳେ କଟକରେ ସ୍ଥିତି ଅତ୍ୟନ୍ତ ଭଲ ରହିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ବାଣ ଫୁଟାନେଇ ଗାଇଡ଼ଲାଇନ ଜାରି କରାଯାଇଥିଲେ ମଧ୍ୟ ଏହାକୁ ଲୋକେ ମାନୁନାହାନ୍ତି ବୋଲି ବୋର୍ଡ ପକ୍ଷରୁ ସଦସ୍ୟ ସଚିବ କେ.ମୁରୁଗେସନ କହିଛନ୍ତି । ଏତିସହିତ ସେ କହିଚନ୍ତି, ବାଣ ଫୁଟିଲେ ଯଦି ପବନ ବୋହିବ, ତାହେଲେ ପ୍ରଦୂଷଣ ସ୍ତର କମିଥାଏ । ସେଥିପାଇଁ ଦକ୍ଷିଣ ଭାରତର ମଦୁରାଇରେ ପବନ କାରଣରୁ ସେଠି ପ୍ରଦୂଷଣର ମାତ୍ରା କମ ଥାଏ । ତେବେ ନଭେମ୍ବର ୩ ତାରିଖ ଯାଏଁ ବାୟୁ ସ୍ଥିତି ସମୀକ୍ଷା କରି କେନ୍ଦ୍ରକୁ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି ।
Comments are closed.