ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଲଜ୍ଜା । ଏକ ଓୟୋ ହୋଟେଲରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ୪ ଜଣ ଯୁବକ । ଏଥିସହ ବଳାତ୍କାର ସମୟର ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ପୀଡ଼ିତା ଓ ତାଙ୍କ ମା’ଙ୍କଠାରୁ ୬୨ହଜାର ଟଙ୍କା ନେଇଯାଇଛନ୍ତି ।
ଏନେଇ ଘଟଣାର ଅଭିଯୋଗ ପରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ୪ ଅଭିଯୁକ୍ତ ଯୁବକ ହେଲେ ଭୁବନେଶ୍ୱର ନୀଳାଦ୍ରିବିହାରର ଦୀପକ ବେହେରା (୧୯), ଶୈଳଶ୍ରୀ ବିହାରର ପ୍ରକାଶ ବେହେରା (୨୧), ଦାରୁଠେଙ୍ଗର ରାଜା ପଟ୍ଟନାୟକ (୧୯) ଏବଂ ଓଲ୍ଡଟାଉନ ଅଞ୍ଚଳର ପପୁ ଦ୍ୱିବେଦୀ (୨୩) ।
ଖବର ମୁତାବକ, ପୀଡ଼ିତା ଜଣଙ୍କ ନୟାପଲ୍ଲୀ ଅଞ୍ଚଳର ଏକ ବସ୍ତିରେ ରୁହନ୍ତି । ଦାରୁଠେଙ୍ଗର ରାଜା ପଟ୍ଟନାୟକ ପ୍ରେମଜାଲରେ ଫସାଇ ସମ୍ପର୍କ ନିବିଡ଼ କରିଥିଲେ । ଏହାପରେ ଅକ୍ଟୋବର ୧୬ ରେ ପୀଡ଼ିତାଙ୍କୁ ରାଜା ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ସ୍ଥିତ ବୁଦ୍ଧପାର୍କକୁ ଡାକି ନେଇଥିଲେ । ସେଠାରେ ରାଜା ତାଙ୍କୁ ମୃଦୁପାନୀୟରେ ନିଶା ଦେଇ କିଛି ଦୂରରେ ଥିବା ଏକ ଓୟୋ ହୋଟେଲକୁ ନେଇଯାଇଥିଲେ । ଉକ୍ତ ଓୟୋ ହୋଟେଲକୁ ରାଜା ତାଙ୍କର ଅନ୍ୟ ୩ ସହଯୋଗୀଙ୍କୁ ଡାକିଥିଲେ । ସେହି ରାତିରେ ଉକ୍ତ ହୋଟେଲ ରୁମ୍ ରେ ରାଜା ଓ ଅନ୍ୟମାନେ ଜଣକ ପରେ ଜଣେ ତାଙ୍କୁ ବଳାତ୍କାର କରି ଭିଡିଓ କରିଥିଲେ ।
ପରେ ଉକ୍ତ ଭିଡିଓକୁ ପୀଡ଼ିତାଙ୍କ ମା’ଙ୍କ ପାଖକୁ ପଠାଇ ଧମକ ଦେଇ ୬୨ ହଜାର ଟଙ୍କା ନେଇଯାଇଥିଲେ । ପରେ ମା’ଙ୍କ ସହାୟତାରେ ପୀଡ଼ିତା ଜଣକ ଅକ୍ଟୋବର ୩୦ରେ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଯେଉଁଥିରେ ଉକ୍ତଚାରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ ।