ମୁମ୍ବାଇ: କିଏ ତାଙ୍କୁ ବାଜିଗର କୁହେ ତ ଆଉ କିଏ କୁହେ ଦେବଦାସ । କିଏ ପୁଣି ଜିରୋ କୁହେ ତ ଆଉ କିଏ ଦିଲୱାଲେ । ‘କୁଛ କୁଛ ହୋତା ହେ’ ଠୁ ଆରମ୍ଭ କରି ‘ଦିଲ ବାଲେ ଦୁଲହନିଆ ଲେ ଜାୟେଙ୍ଗ’ ପର୍ଯ୍ୟନ୍ତ, ବଲିଉଡକୁ ଗୋଟିଏ ପରେ ଗୋଟିଏ ସୁପରହିଟ୍ ମୁଭି ଭେଟି ଦେଇଛନ୍ତି ସେ । ତାଙ୍କର ଦମଦାର ଅଭିନୟ ପାଇଁ ସେ ବଲିଉଡରେ ପାଇଛନ୍ତି ବାଦଶାହର ପରିଚୟ । ଆଜି ହେଉଛି କିଙ୍ଗ ଖାନ ଶାହାରୁଖଙ୍କ ଜନ୍ମଦିନ । ୫୯ ବର୍ଷ ବୟସରେ ପାଦ ରଖିଛନ୍ତି ଶାହାରୁଖ । ତଥାପି ରୋମାଣ୍ଟିକ ଅଭିନେତା ଭାବେ ତାଙ୍କ ପରିଚୟ ଆଜିବି ରହିଛି । ଜନ୍ମଦିନ ଅବସରରେ ବଲିଉଡ୍ ବାଦଶାହାଙ୍କ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସେପଟେ ଶାହାରୁଖଙ୍କ ବାସଭବନ ମନ୍ନତରେ ମଧ୍ୟ ରାତିରେ ଜନ୍ମଦିନ ପାଳିଛନ୍ତି ବଲିଉଡ୍ ବାଦଶାହା । ଶାହାରୁଖଙ୍କ ଫ୍ୟାନମାନେ ମଧ୍ୟ ରାତିରେ ଶାହାରୁଖଙ୍କୁ ୫୯ ତମ ଜନ୍ମଦିନର ଶୁଭେଛା ଜଣାଇଛନ୍ତି । ଜନ୍ମଦିନର ଶୁଭେଛା ଜଣାଇବାକୁ ପହଁଚିଥିବା ଫ୍ୟାନମାନଙ୍କୁ ବାଲକୋନିରୁ ହାତ ହଲାଇ ଶୁଭେଛା ଜଣାଇଥିଲେ ବାଦଶାହା ।
୧୯୬୫ ମସିହା ଆଜିର ଦିନରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହାରୁଖ ଖାନ । ସଙ୍ଘର୍ଷରୁ ଆରମ୍ଭ ହୋଇଥିଲା ତାଙ୍କ କ୍ୟାରିଅର । ଇତିମଧ୍ୟରେ ବଲିଉଡରେ ୩୦ ବର୍ଷ ହେବ ରାଜ କରୁଛନ୍ତି ଶାହରୁଖ l ଶାହାରୁଖ ଟେଲିଭିଜନ ସିରିଏଲ ମାଧ୍ୟମରେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ଫିଲ୍ମ ଆଡକୁ ମୁହାଁଇଥିଲେ ଏବଂ ରୂପାଲି ପରଦାରେ ଫିଲ୍ମ ଦିୱାନା ସହିତ ବଲିଉଡରେ ଡେବ୍ୟୁ କରିଥିଲେ । କମେଡି, ଟ୍ରାଜେଡି, ରୋମାଣ୍ଟିକ, ଆକ୍ସନ ସବୁପ୍ରକାର ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରିଛନ୍ତି ସେ । ଆଜିସୁଦ୍ଧା ଶାହାରୁଖ ପ୍ରାୟ ୯୦ରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିସାରିଛନ୍ତି ।
ବଲିଉଡରେ ଶାହାରୁଖ ଖାନଙ୍କ ଅନେକ ହିଟ୍ ମୁଭି ରହିଛି । ତାଙ୍କର ପ୍ରଥମ ଫିଲ୍ମ ଥିଲା ଦିୱାନା । ଏହାପରେ ଦେବଦାସ, ଦିଲ୍ ତୋ ପାଗଲ ହୈ, ମହବତେ, କଭି ଖୁସି କଭି ଘମ, ମାଇଁ ନେମ୍ ଇଜ୍ ଖାନ, ରଇଜ, ବାଜିଗର, ଡର, ଅନଜାମ ଆଦି ଫିଲ୍ମରେ ଚମତ୍କାର ଅଭିନୟ କରିଛନ୍ତି କିଙ୍ଗ ଖାନ । ଯେଉଁଥିପାଇଁ ତାଙ୍କୁ ୧୪ଟି ଫିଲ୍ମଫେୟାର ଆୱାର୍ଡ ମିଳିଛି । ସେହିପରି ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କ ଅତୁଳନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ବଲିଉଡରେ ବ୍ୟାକ ଟୁ ବ୍ୟାକ ହିଟ୍ ମୁଭି ଦେଇଛନ୍ତି ଶାହାରୁଖ । ଗତବର୍ଷ ପଠାନ, ଡୁଙ୍କି ଓ ଜୱାନ ପରି ତିନି ତିନୋଟି ହିଟ ଚଳଚ୍ଚିତ୍ର ରିଲିଜ ହୋଇଥିଲା l ତେବେ ଆଗକୁ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘କିଙ୍ଗ’ ଆସିବାକୁ ଯାଉଛି l
Comments are closed.