ମୁମ୍ବାଇ: ନ୍ୟୁଜିଲାଣ୍ଡ ନିକଟରୁ ଶୋଚନୀୟ ଭାବେ ଟେଷ୍ଟ ସିରିଜ ପରାଜୟବରଣ କରିବା ଏବେ ଭାରତୀୟ କ୍ରିକେଟ ଦଳର କେତେକ ସିନିୟର ଖେଳାଳିଙ୍କୁ ହରଡଘଣାରେ ପକାଇ ଦେଇଛି । ବିସିସିଆଇ କଠୋର ପନ୍ଥା ଆପଣାଇବା ପାଇଁ ବିଚାର କରୁଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏପରିକି ଭାରତରେ ଏହି ସିନିୟର ଖେଳାଳିମାନେ ସେମାନଙ୍କ ଶେଷ ଆନ୍ତର୍ଜାତୀୟ ଟେଷ୍ଟ ଖେଳି ନେଇଛନ୍ତି ବୋଲି କୁହାଯାଉଛି । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ୱୀନ ଓ ରବୀନ୍ଦ୍ର ଜାଡେଜା ଟାର୍ଗେଟରେ ଅଛନ୍ତି ।
ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା ହୋଇ ସାରିଥିବାରୁ ବିସିସିଆଇ ଏବେ ନୀରବ ରହିଛି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଯଦି ଭାରତ ପ୍ରବେଶ କରି ନ ପାରେ ତେବେ ଏମାନଙ୍କ କ୍ୟାରିୟରର ପ୍ରାୟତଃ ଶେଷ ହୋଇଯିବ । ବିରାଟ କୋହଲିଙ୍କ ନିକଟରେ କିଛିଟା ସୁଯୋଗ ହୁଏତ ରହିପାରେ ମାତ୍ର ଅନ୍ୟ ୩ଜଣ ସିନିୟରଙ୍କ ବିକଳ୍ପ ଖୋଜିବା ପାଇଁ ନିର୍ଦ୍ଦେଶ ମିଳି ସାରିଛି । ବିସିସିଆଇ ଚୟନକମିଟି ମୂଖ୍ୟ ଅଜିତ ଅଗରକରଙ୍କ ସହ ଏ ନେଇ ଆଲୋଚନା କରି ସାରିଛି ବୋଲି ଖବର ପ୍ରକାଶ ପାଇଛି ।
ଅବଶ୍ୟ ଏହା କେତେ ଦୂର ସତ୍ୟ ତାହା ସ୍ପଷ୍ଟ ହୋଇନି । ଇଂଲଣ୍ଡ ଗସ୍ତ ପୂର୍ବରୁ ଏକ ମଜଭୁତ ଟେଷ୍ଟ ଟିମ ଗଠନ କରିବା ପାଇଁ ବୋର୍ଡ ଉଦ୍ୟମ ଆରମ୍ଭ କରିଛି । ଆଗାମୀ ୱାର୍ଲ୍ଡ ଟେଷ୍ଟ ସିରିଜ ସାଇକେଲ ଏହି ସିରିଜରୁ ଆରମ୍ଭ ହେବ । ସାଇ ସୁଦର୍ଶନ, ଦେବଦତ ପାଡିକଲ, ୱାଶିଂଟନ ସୁନ୍ଦରଙ୍କ ପରି ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବା ପାଇଁ ବିଚାର ଚାଲିଛି ।
ରୋହିତ ୨୦୨୧ ପରଠାରୁ ଆଜି ପର୍ଯ୍ୟନ୍ତ ୩୫ ଇନିଂସରେ ମାତ୍ର ୧୨୧୦ ରନ ସଂଗ୍ରହ କରିଛନ୍ତି । ସେହିପରି କୋହଲି ୨୫ ଇନିଂସରେ ୭୪୨ ରନ ହାସଲ କରିଛନ୍ତି । ରୋହିତ ହଟିଲେ ଶୁଭମନ ଗିଲ, ରିଷଭ ପନ୍ତ ଓ ଯଶପ୍ରୀତ ବୁମରାହଙ୍କ ମଧ୍ୟରୁ ଜଣଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇପାରେ ।
Comments are closed.