ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆଜି ଆରମ୍ଭ ହୋଇଯାଇଛି କନିଷ୍ଠ ସହାୟକ (ଜୁନିୟର ଆସିଷ୍ଟାଣ୍ଟ)ଙ୍କ ବୃତ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ। ଏହି ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନ ଅବସରରେ ମହିଳା ଓ ଶିଶୁ ବିକାଶର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ତୃଣମୂଳସ୍ତରରେ କାର୍ଯ୍ୟ କରିବା ପାଇଁ ଏ ତାଲିମ ବହୁତ ସାହାଯ୍ୟ କରିବ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ସମସ୍ତ ଯୋଜନା ଓ ପଦକ୍ଷେପକୁ ଲୋକମାନଙ୍କ ପାଖରେ ଠିକ ଭାବରେ ପହଞ୍ଚାଇବାର ଗୁରୁଦାୟିତ୍ୱ କନିଷ୍ଠ ସହାୟକମାନଙ୍କ ଉପରେ ନ୍ୟସ୍ତ ବୋଲି ସେ କହିଥିଲେ।
ସୂଚନା ଅନୁସାରେ, ଏହି କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇ ଚଳିତ ନଭେମ୍ବର ୨୭ ପର୍ଯ୍ୟନ୍ତ ୨୩ଦିନ ଧରି ଚାଲିବ। ଆଜିଠୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ବୌଦ୍ଧ ଓ କଟକ ଜିଲ୍ଲାରୁ ଆସିଥିବା ୪୦ଜଣକୁ ତାଲିମ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଦେବଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର ୪୦ଜଣକୁ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ତୃତୀୟ ପର୍ଯ୍ୟାୟରେ କନ୍ଧମାଳ, କେନ୍ଦ୍ରାପଡ଼ା, କେଉଁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ ଜିଲ୍ଲାରୁ ୪୦ ଜଣଙ୍କୁ ଓ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ନୂଆପଡ଼ା, ପୁରୀ, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରୁ ୪୭ ଜଣଙ୍କୁ ତାଲିମ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ମୋଟ ୧୬୭ ଜଣ କନିଷ୍ଠ ସହାୟକଙ୍କୁ ତାଲିମ ଦିଆଯିବ। ଏହି କାର୍ଯ୍ୟକ୍ରମରେ ଆକାଉଣ୍ଟିଂ ଓ ପ୍ରଶାସନିକ କାର୍ଯ୍ୟ ସମ୍ବନ୍ଧରେ ତାଲିମ ପ୍ରଦାନ କରାଯିବ।